ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶାନ୍ତପୁରର ବାର୍ଷିକ ଉତ୍ସବ ସମାରୋହ 

“ଯୁବ ଓଡିଶା ନବୀନ ଓଡିଶା” ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ -ମନୋରମା ମହାନ୍ତି, ଅଧ୍ୟକ୍ଷା ନର୍ଲା ପଞ୍ଚାୟତ ସମିତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ “ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସାରଙ୍ଗଧର ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଯୋଗଦାନ କରି ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ଶାନ୍ତପୁର ସରପଞ୍ଚ ପର୍ଶୁରାମ ହରପାଲ, ଶାନ୍ତପୁରର ପୂର୍ବତନ ସରପଞ୍ଚ ଲୋକନାଥ ସା, ପୂର୍ବତନ ସରପଞ୍ଚ ତଥା ପୂର୍ବତନ ଛାତ୍ର ସଂସଦର ସଭାପତି ଟିକେଧର ସାହୁ, ସମିତି ସଦସ୍ୟ ଜୟ ମେହେର, ପୂର୍ବତନ ସମିତି ସଦସ୍ୟ ଗୋବିନ୍ଦ ତାଣ୍ଡି, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବଳରାମ ହରପାଲ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ । ପୂର୍ବାହ୍ନ ୧୦ ଘଣ୍ଟା ସମୟରେ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ପୂର୍ବଦିନ ଅନୁଷ୍ଠିତ ହୋଇଥିବା କ୍ରୀଡା ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅପରାହ୍ନ ୩ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ ସଂଧ୍ୟା କାର୍ଯ୍ୟକ୍ରମ । ଛାତ୍ରଛାତ୍ରୀ ଏବଂ କିଶୋର ମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ପରିବେଶିତ ହୋଇଥିଲା । ସମ୍ବଲପୁରୀ ନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିଲା । ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରୀ ଭାବରେ ପ୍ରୀତିରାଣୀ ବିଶ୍ୱାଳଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଇତ୍ୟବସରରେ ନର୍ଲାର ଦୁଇ ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ଓ ରଞ୍ଜନ କୁମାର ମହାନ୍ତିଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଉତ୍ତମ ଶିକ୍ଷକ ଭାବରେ ହେମନ୍ତ କୁମାର ସାହୁଙ୍କୁ ଛାତ୍ରଛାତ୍ରୀ ମାନେ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷୟତ୍ରୀ ଜି ସ୍ୱାତୀ, ସ୍ୱେତାଲିନ ପଧାନ, ପ୍ରିୟଙ୍କା ଭୋଇ ଓ ଅବନି କୁମାର ସାହୁ ପ୍ରମୁଖ ମିଳିତ ଭାବରେ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ପରିଚାଳନା ସମିତିର ସଦସ୍ୟ/ସଦସ୍ୟା ବୃନ୍ଦ, ଶାନ୍ତପୁର ହାଇସ୍କୁଲର ଆଲୁମିନି ଛାତ୍ର, ଯୁବ ପିଢୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାରା ରାଜ୍ୟର ବିଦ୍ୟାଳୟ ସ୍କୁଲ ଓ କଲେଜ ଗୁଡିକରେ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହୋଇ ଆସୁଛି ଏହି କାର୍ଯ୍ୟକ୍ରମ । ଗତ ଡିସେମ୍ବର ୧୦ ରେ ଶାନ୍ତପୁର ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବୁଧବାର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିବା ବେଳେ ବିଦ୍ୟାଳୟର କ୍ରୀଡା ଶିକ୍ଷକ କିଶୋର ସା ସମସ୍ତ ଇଭେଣ୍ଟଗୁଡିକ ପରିଚାଳନା କରିଥିଲେ । ରାତି ୯ ଟା ଯାଏଁ ଚାଲିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ କୃତଜ୍ଞତା ଜଣାଇଥିଲେ ପ୍ରଧାନ ଶିକ୍ଷକ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.