କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଗଣଧାରଣା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ମନମୁଖୀ ଶାସନ ନେଇ କେସିଙ୍ଗା ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କେସିଙ୍ଗା ସହରରେ ଟ୍ରାଫିକ ଓ ପରିମଳ ସମସ୍ୟା ସାଙ୍ଗକୁ ଅନେକ ବହୁବିଧ ସମସ୍ୟା ଲାଗି ରହିଛି। ସମସ୍ୟାର ସମାଧାନ ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଉଛି। ସହରବାସୀ ଏନେଇ ଅନେକ ଥର ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସୁଫଳ ପାଇପାରୁ ନାହାଁନ୍ତି। ଏପରିକି କାଯ୍ୟରତ ନିର୍ବାହୀ ଅଧିକାରୀ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଆସୁଥିବା ବେଳେ କାଉନସିଲର ମାନଙ୍କ ବିଭିନ୍ନ ଦାବିକୁ ମଧ୍ୟ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଏନ୍ଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ମନମୁଖୀ ଶାସନକୁ ନେଇ ସହରର ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଆସୁଥିବା ବେଳେ ତାଙ୍କୁ ବଦଳି କରିବା ପାଇଁ ଦାବି ହୋଇଆସୁଛି। ଏପରିକି କାଉନସିଲର ମାନଙ୍କ ପକ୍ଷରୁ ମଧ୍ୟ ଜିଲ୍ଲା ପ୍ରଶାସନ ଠାରେ ଲିଖିତ ଅଭିଯୋଗ କରାଯାଇ ବଦଳି କରିବା ପାଇଁ ଦାବି ହୋଇଛି ତଥାପି ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ବଦଳି ନହେବା ବିଷୟକୁ ନେଇ ସହରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶେଷରେ କେସିଙ୍ଗା ବିକାଶ ମଞ୍ଚର ଆହ୍ଵାନକ୍ରମେ ଏନ୍ଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ବଦଳି କରିବା ଦାବିରେ ଏନ୍ଏସି କାର୍ଯ୍ୟାଳୟର ମୁଖ୍ୟ ଗେଟ୍ ସମ୍ମୁଖରେ ଆଜି ଗଣଧାରଣା ଦିଆଯାଇଛି। ଆଜିର ଗଣଧାରଣାରେ କେସିଙ୍ଗାର ସାମ୍ବାଦିକ ସମୂହ, ବୁଦ୍ଧିଜୀବୀ, ସଚେତନ ନାଗରିକ ସମେତ ପୂର୍ବତନ ନଗରପାଳ ରାମ କୁମାର ଜୈନ, ସରିତା ସିନ୍ଦୁର, ସୂର୍ଯ୍ୟକାନ୍ତ ଦାଶ, ବିଜେଡ଼ି ନଗର ସଭାପତି ରମେଶ ପଟ୍ଟନାୟକ, ବିଜେଡ଼ି କାଉନସିଲର ରମାକାନ୍ତ ଜେନା, ପ୍ରକାଶ ବନଛୋର,ବିଜେପି କାଉନସିଲର ଧରଣୀଧର ନାଏକ, କଂଗ୍ରେସ କାଉନସିଲର ରୋହିତ ଜୈନ୍, କଂଗ୍ରେସ ନଗର ସଭାପତି ସୁବାଷ ଜୈନ୍, ବିଜେପି ନଗର ସଭାପତି ମଗନ ସିନ୍ଦୂର, ପୂର୍ବତନ କାଉନସିଲର ବିଜୟ ଦୀପ, ସୁରେଶ୍ ମହାନନ୍ଦ ପ୍ରମୁଖ ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.