ନର୍ଲା, ଭବାନୀପାଟଣା ଓ ଜୁନାଗଡ଼ରେ ବିଜେଡ଼ି ଖେଳିପାରେ ମହିଳା କାର୍ଡ

ବିଜେପିକୁ ମାତ୍ ଦେବାକୁ ବିଜେଡିର ଅଦ୍ଭୁତପୂର୍ବ ରଣ କୌଶଳ!

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜେପି ଓଡ଼ିଶାର ୧୮ଗୋଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। କଳାହାଣ୍ଡି ଲୋକସଭା ଆସନରୁ ବସନ୍ତ ପଣ୍ଡାଙ୍କୁ ବାଦଦେଇ ବିଜେପି ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ମଧ୍ୟ ବିଜେଡ଼ି ନିଜର ବ୍ୟୁହ ରଚନା କରୁଛି। କଳାହାଣ୍ଡି ଲୋକସଭା ଆସନରେ ବିଜେଡ଼ି ଯାଦବ କାର୍ଡ ଖେଳିବା ଏକ ପ୍ରକାରର ନିଶ୍ଚିତ ହୋଇଥିବା ଜଣାପଡ଼ିଛି। ବିଜେପି ଲୋକସଭାରେ ମହିଳା କାର୍ଡ ଖେଳି ମାଳବିକାଙ୍କୁ ଟିକେଟ ଦେବାପରେ ବିଜେଡ଼ି କଳାହାଣ୍ଡି ଲୋକସଭା କ୍ଷେତ୍ରର ୭ଟି ବିଧାନସଭା ଆସନ ମଧ୍ୟରୁ ୨ କିମ୍ବା ୩ଟି ଆସନରେ ମହିଳା ପ୍ରାର୍ଥୀ ଦେଇପାରେ ବୋଲି ଆଲୋଚନା ହେଉଛି।

Omkar Vasthu
Omkar Vasthu

ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମାଁ କୁ ସମ୍ମାନ ଗାଁ କୁ କାମ ନାରା ଦେଇ ଆସୁଛନ୍ତି। ଗାଁ କୁ କାମ ନାରା ସଫଳ ହୋଇଥିବାବେଳେ ମିଶନ ଶକ୍ତି ମାଧ୍ୟମରେ ମାଁ କୁ ସମ୍ମାନ ନାରା ମଧ୍ୟ ସଫଳ ହୋଇଛି। ଏହାସହ ୩୩% ମହିଳାଙ୍କୁ ପ୍ରାର୍ଥୀ କରି ବିଜୁ ଜନତା ଦଳ ମାଁ କୁ ସମ୍ମାନ କଥାର ସାର୍ଥକତା ପ୍ରତିପାଦନ କରିବ। କଳାହାଣ୍ଡିରେ ବିଜେପିକୁ ଚେକ୍ ଦେବାକୁ ବିଜେଡ଼ି ବିଧାନସଭା ଆସନରେ ଗୋଟି ଚାଳନା କରିବାକୁ ରଣନୀତି ପ୍ରସ୍ତୁତ କରୁଥିବା ବିସ୍ବସ୍ଥ ସୂତ୍ରରୁ ଜଣାପଡିଛି। କଳାହାଣ୍ଡି ଲୋକସଭା କ୍ଷେତ୍ରରେ ନର୍ଲା, ଭବାନୀପାଟଣା, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଖଡ଼ିଆଳ ଓ ନୂଆପଡ଼ା ବିଧାନସଭା ଆସନ ରହିଛି। ଗତ ନିର୍ବାଚନରେ ଏସବୁ ଆସନ ମଧ୍ୟରୁ ୫ଟିରେ ବିଜୟ ଲାଭ କରିଥିଲା ବିଜେଡ଼ି। ବର୍ତ୍ତମାନ ୭ ଗୋଟି ବିଧାନସଭା ଆସନରେ କିପରି ସମସ୍ତ ପ୍ରାର୍ଥୀ ବିଜୟୀ ହେବେ ସେହି ଯୋଜନା କରୁଛି ଦଳ। ଏହି ସବୁ ଆସନ ମଧ୍ୟରୁ ଭବାନୀପାଟଣା, ନର୍ଲା ଓ ଜୁନାଗଡ଼ ଆସନ ମହିଳାଙ୍କ ପାଇଁ ରଖିପାରେ ବିଜେଡ଼ି।

Pearl dental clinic
Near Ashish Medical Store, Bhawanipatna

ରାଜ୍ୟର ଏକ ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ନର୍ଲାରେ ଏଥର ବିଜେଡ଼ି ମହିଳା କାର୍ଡ ଖେଳିବାକୁ ଯାଉଛି, ଯେଉଁଠି ବର୍ତ୍ତମାନର ବିଧାୟକ ଭୁପିନ୍ଦର ସିଂ ବାଦ୍ ପଡି ନୂଆ ମୁହଁ ତଥା ମହିଳା ଚେହେରା ଆସିବେ ବୋଲି ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଏହି ଆସନରେ ସ୍ଥାନୀୟ ତଥା ମହିଳା ପ୍ରାର୍ଥୀତ୍ଵ ଦାବି କରିଛନ୍ତି ଜନତା। ବିଧାୟକ ଭୁପିନ୍ଦର ସିଂ ଗତ ନିର୍ବାଚନରେ ନବୀନ ହାଓ୍ବାରେ ନିର୍ବାଚନ ବୈତରଣୀ ପାର ହୋଇଥିବାବେଳେ ଏବେ ତାଙ୍କ ପାଇଁ ଲଢେ଼ଇ ଆଉ ଏତେ ସହଜ ହେବନାହିଁ। ଯଦି ଏହି ଆସନରେ ବିଜେଡି ସ୍ଥାନୀୟ ମହିଳା ପ୍ରାର୍ଥୀ ଛିଡାକରେ ତେବେ ଜିତିବାକୁ ସହଜ ହେବ। ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଟିକଟ ଦୌଡ଼ରେ ଥିବା ଜଣାପଡିଛି।  

Udyog Nursery
Udyogi Nursery

ଭବାନୀପାଟଣା ବିଧାନସଭା ଆସନ ବର୍ତ୍ତମାନ ବିଜେପି ହାତରେ ରହିଛି। ଏହି ଆସନରୁ ବିଜେପିକୁ ହଟାଇବା ପାଇଁ ବିଜେଡ଼ି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ଏକ ପ୍ରକାରର ନିଶ୍ଚିତ ହୋଇସାରିଛି। ଏଥିରେ ମହିଳା ନେତ୍ରୀ ଲଲିତା ନାଏକ ବିଜେଡ଼ି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଆଲୋଚନା ଜୋର ଧରିଛି। ସେହିପରି ଭାବେ ଜୁନାଗଡ଼ ବିଧାନସଭା ଆସନରେ ମଧ୍ୟ ବିଜେଡ଼ି ମହିଳାଙ୍କୁ ସେନାପତି କରିପାରେ। ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିବାଦୀୟ ହୋଇଥିବାରୁ ତାଙ୍କ ଉପରେ ଆଉ ଭରସା କରି ନପାରେ ଦଳ। ତେଣୁ ଏହି ଆସନରେ ମହିଳା କାର୍ଡ ଖେଳି ଦୁର୍ଗ ରକ୍ଷା କରିବାକୁ ରଣନୀତି ପ୍ରସ୍ତୁତ କରିବା ବିଜୁ ଜନତା ଦଳ ପାଇଁ ଶୁଭଙ୍କର ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ତେବେ ଅତି କମ ଦିନ ମଧ୍ୟରେ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିବ। ସେହି ସମୟକୁ ସମସ୍ତଙ୍କର ଅପେକ୍ଷା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.