ମେ’ ୨୯ ଅନ୍ତର୍ଜାତୀୟ ଏଭରେଷ୍ଟ ଡେ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୧୯୫୩ ମସିହା ମଇ ମାସ ୨୯ତାରିଖ ଦିନ ପ୍ରଥମ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ନ୍ୟୁଜିଲାଣ୍ଡର ଏଡମଣ୍ଡ ହିଲାରୀ ଓ ନେପାଳର ଶେରପା ତେନଜିଙ୍ଗ ନରଗେ ଏଭରେଷ୍ଟ ଶୃଙ୍ଗରେ ପଦାର୍ପଣ କରିଥିଲେ। ଏହି ସ୍ମୃତିକୁ ନେଇ ପ୍ରତିବର୍ଷ ମେ’ ୨୯କୁ ‘ଅନ୍ତର୍ଜାତୀୟ ଏଭରେଷ୍ଟ ଡେ’ ଭାବେ ପାଳନ କରାଯାଉଛି। ଯୁଗ୍ମ ଭାବେ ପ୍ରଥମେ ଏଡ଼ମଣ୍ଡ ହିଲାରିଙ୍କ ସହ ଏଭରେଷ୍ଟ ଶୃଙ୍ଗରେ ପାଦ ଥାପିଥିବା ନେନଜିଙ୍ଗ ନରଗେ ପରବର୍ତ୍ତୀ ସମୟରେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଥିଲେ।

ସର୍ଭେ ଅଫ ଇଣ୍ଡିଆର ଭୂତପୂର୍ବ ଜେନେରାଲ ଜର୍ଜ ଏଭରେଷ୍ଟଙ୍କ ନାମ ଅନୁସାରେ ହିମାଳୟ ତଥା ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ନାମିତ ହୋଇଛି। ଏହି ନାମକରଣ ପୂର୍ବରୁ ଏହା ୧୫ଶ ଶୃଙ୍ଗ (Peak XV) ଭାବେ ପରିଚିତ ଥିଲା। ସ୍ଥାନୀୟ ନେପାଳୀମାନେ ଏହାକୁ ସାଗରମଥା ଓ ତିବ୍ୱତୀୟମାନେ ଏହାକୁ ଚୋମୁଲାଙ୍ଗମେ ଭାବେ ନାମିତ କରିଥିଲେ। ସମଗ୍ର ବିଶ୍ୱରେ ଉଚ୍ଚତମ ପର୍ବତ ଭାବେ ପରିଚିତ ମାଉଣ୍ଟ ଏଭରେଷ୍ଟ। ସମୁଦ୍ର ପତନଠାରୁ ପ୍ରାୟ ୯ କିମି (୮,୮୪୮ମିଟର) ଉପରକୁ ଥିବା ଏହି ସ୍ଥାନରେ ନିଶ୍ୱାସ ନେବାପାଇଁ ପର୍ଯ୍ୟାପ୍ତ ଅମ୍ଳଜାନ ନ ଥାଏ। ବିଶାଳ ହିମାଳୟ ପର୍ବତ ଭାରତ ସମେତ ତିବ୍ୱତ ଓ ନେପାଳ ଭଳି ଦେଶରେ ବ୍ୟାପ୍ତ। ଭାରତ ପଟେ ହିମାଳୟର ଅଧିକାଂଶ ଭାଗ ରହିଥିଲେ ବି ଏହାର ଅଧିକାଂଶ ଶୃଙ୍ଗ ନେପାଳ ପଟକୁ ରହିଛି। ଭାରତ ପଟକୁ ରହିଥିବା ଭାଗରେ କାଞ୍ଚନଜଙ୍ଗା ହେଉଛି ସବୁଠାରୁ ଉଚ୍ଚତମ ଶୃଙ୍ଗ। ହିମାଳୟ ତଥା ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ନେପାଳ ପଟେ ରହିଛି। ନେପାଳ ପଟେ ଥିବା ଅନ୍ୟାନ୍ୟ ଉଚ୍ଚତମ ଶୃଙ୍ଗଗୁଡ଼ିକ ହେଲା କାରାକୋରମ ବା ଗଡୱିନ ଅଷ୍ଟିନ, ଧଉଳାଗିରି, ନନ୍ଦାଦେବୀ ଓ ଅନ୍ନପୂର୍ଣ୍ଣା ଇତ୍ୟାଦି। ଏଭରେଷ୍ଟ ଆରୋହଣ ପାଇଁ ଗୋଟିଏ ନେପାଳ ପଟୁ ଓ ଅନ୍ୟଟି ତିବ୍ୱତ ପଟୁ ଦୁଇଟି ବାଟ ରହିଛି। ତିବ୍ୱତ ପାଖର ରାସ୍ତା ଅପେକ୍ଷା ନେପାଳ ପଟ ରାସ୍ତାଟି ଅଧିକ ନିରାପଦ। ଆଜି ପର୍ଯ୍ୟନ୍ତ ନେପାଳ ପଟ ରାସ୍ତାଟି ଅଧିକାଂଶ ଥର ବ୍ୟବହୃତ ହୋଇଛି।

‘ମାଉଣ୍ଟ ଏଭରେଷ୍ଟ ଡେ’ ଦିନ ପାର୍ବତ୍ୟାଞ୍ଚଳବାସୀଙ୍କ ସମସ୍ୟା, ପରିବେଶ ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନର ପ୍ରଭାବ, ପର୍ବତାରୋହୀଙ୍କୁ ଉତ୍ସାହିତ କରିବା ଆଦି ଉପରେ ଗୁରୁତ୍ୱାରୋପ କରାଯାଇଥାଏ। ନେପାଳ କ୍ରମାଗତ ଭାବରେ ଅନ୍ତର୍ଜାତୀୟ ମାଉଣ୍ଟ ଏଭରେଷ୍ଟ ଦିବସ ପାଳନ କରିବାକୁ ମନୋନୀତ ହୋଇଛି। ଉକ୍ତ ଦିନ ନେପାଳର ରାଜଧାନୀ କାଠମାଣ୍ଡୁରେ ପର୍ବତ ଆରୋହଣକାରୀଙ୍କୁ ପ୍ରଶଂସା କରିବା ପାଇଁ ପରେଡ କରାଯାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.