ବିପଦପୂର୍ଣ୍ଣ ବିଦ୍ୟୁତ୍ ତାର ସ୍ଥାନାନ୍ତରଣ ପାଇଁ ଦାବି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସଦର ବ୍ଲକ ଖାରୀ ବିଦ୍ୟୁତ୍ ଗ୍ରୀଡ୍ ଅନ୍ତର୍ଗତ ଖରଝୁରା ଗ୍ରାମପଞ୍ଚାୟତର ମହୁଳଖୁଣ୍ଟ ଗ୍ରାମର ଦୟାନନ୍ଦ ମେହେରଙ୍କ ଘର ଉପର ଦେଇ ବିପଦପୂର୍ଣ୍ଣ ୧୧ କେଭି କେବୁଲ ତାର ଟଣାଯାଇଛି। ଯାହା ଫଳରେ ପରିବାର ବର୍ଗ ଭୟଭୀତ ଅବସ୍ଥାରେ ବସବାସ କରୁଥିବା ଅଭିଯୋଗ କରିଛନ୍ତି। ଦୟାନନ୍ଦ ମେହେର ବିଦ୍ୟୁତ୍ ତାର ସ୍ଥାନାନ୍ତର କରିବା ପାଇଁ ଖାରୀ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ଯ କୌଣସି ସୁଫଳ ମିଳିନାହିଁ। କିଛି ବର୍ଷ ପୂର୍ବରୁ ଦୟାନନ୍ଦ ମେହେର ତାଙ୍କ ନିଜସ୍ବ ଜମିରେ ଘର ନିର୍ମାଣ ପାଇଁ ମୂଳଦୁଆ ପକାଇଥିଲେ କିନ୍ତୁ ପରେ ବିଦ୍ୟୁତ୍ ବିଭାଗର ମନମାନି କାର୍ଯ୍ୟକଳାପ ଯୋଗୁଁ ଘର ନିର୍ମାଣ ଜମି ଉପର ଦେଇ ବିଦ୍ୟୁତ୍ ତାରକୁ ନେଇଥିଲେ। ବର୍ତ୍ତମାନ ଘର ଉପରେ ବିଦ୍ୟୁତ୍ ତାର ଯାଇଥିବାରୁ ଘର ଛାତକୁ ଲାଗିଥିବା ବିଦ୍ୟୁତ୍ ଖୁଣ୍ଟରୁ ବିଭିନ୍ନ ସମୟରେ ସଟ୍ ସର୍କିଟ୍ ହୋଇ ନିଆଁ ବହାରୁଥିବାର ଦେଖାଯାଉଛି। ଯାହା ଦ୍ବାରା କାଳେ କୌଣସି ଦୁର୍ଘଟଣା ଘଟିଯିବ ବୋଲି ପରିବାର ବର୍ଗ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ଏ ସମ୍ପର୍କରେ ଖାରୀ ବିଦ୍ୟୁତ୍ ବିଭାଗ ସହଯୋଗ କରିବା ଦିଗରେ ଆଦୌ ତତ୍ପର ନଥିବା ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେଲେ ଉକ୍ତ ପରିବାର ସ୍ୱଭାବିକ ଭାବରେ ଜୀବନ ଅତିବାହିତ କରିପାରିବେ ବୋଲି ଅଞ୍ଚଳର ବୃଦ୍ଧିଜୀବି ମହଳରେ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.