ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ସତସଙ୍ଗ କାର୍ଯ୍ୟକ୍ରମ

ଦେବହୂତିଙ୍କ ଶୋକ ଓ କପିଳ ଉପାଖ୍ୟାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ପକ୍ଷରୁ ଶ୍ରୀମଦ୍ଭାଗବତ ମହାପୁରାଣ ତୃତୀୟ ସ୍କନ୍ଧ : ତ୍ରୟୋବିଂଶ ଓ ଚତୁର୍ବିଂଶ ଅଧ୍ୟାୟର ବିସ୍ତୃତ ବ୍ୟାଖ୍ୟା ସହ ପାରାୟଣ ଏବଂ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ସୁପରିଚାଳନାରେ ବୁଧବାର ଓ ଗୁରୁବାର ଦୁଇଦିନ ଧରି ଏହା ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଥିଲା। ପ୍ରଥମ ଦିବସ ସାୟଂକାଳ ପ୍ରାରମ୍ଭରେ ପ୍ରଶାନ୍ତ କୁମାର ରାଉଳ ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ବେଳେ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତ ସତସଙ୍ଗୀମାନଙ୍କୁ ଶୁଭେଚ୍ଛା ଓ ସ୍ବାଗତ କରିବା ସହ କଥାବ୍ୟାସଙ୍କ ପରିଚୟ ରଖିଥିଲେ। ଅର୍ଜୁନ କୁମାର ସାମଲ ପୌରୋହିତ୍ୟ ଆସନରେ ଆସୀନ ହୋଇ ଆକାଶୀୟ ମଞ୍ଚକୁ ସର୍ବପ୍ରଥମେ କଥାବ୍ୟାସ ବିଶିଷ୍ଟ ଗବେଷକ, ପ୍ରବକ୍ତା ପଣ୍ଡିତ ଡ଼ ପ୍ରଦୀପ୍ତ କୁମାର ମିଶ୍ରଙ୍କୁ ସଭକ୍ତିକ ପାଛୋଟି ଆଣି ତୃତୀୟ ସ୍କନ୍ଧ:ତ୍ରୟୋବିଂଶ ଅଧ୍ୟାୟର ତାତ୍ତ୍ବିକ କଥା ଆଲୋଚନା କରିବା ପାଇଁ ନିବେଦନ କରିଥିଲେ। ଉକ୍ତ ଅଧ୍ୟାୟରେ କର୍ଦ୍ଦମ ଓ ଦେବହୂତିଙ୍କ ପ୍ରସଙ୍ଗ ଉପରେ ଷାଠିଏ ହଜାର ବର୍ଷ କର୍ଦ୍ଦମ ତପସ୍ୟା ପରେ ଦେବହୂତିଙ୍କ ସଙ୍ଗଲାଭ କରି ନିଜକୁ ନଅଭାଗରେ ବିଭକ୍ତ କରି ନବଧା ଭକ୍ତି ସ୍ବରୂପ ନଅଟି କନ୍ୟା ସନ୍ତାନ ସୃଷ୍ଟି କରି ବନଗମନ ନିମନ୍ତେ ପ୍ରସ୍ତୁତ ହୋଇଛନ୍ତି। ବିଶ୍ବବ୍ରହ୍ମାଣ୍ଡକୁ ସେ ଦୀର୍ଘ ସମୟ ଧରି ପୁଷ୍ପକ ବିମାନରେ ଭ୍ରମଣ, ବସନ୍ତ ଋତୁର ଦୃଶ୍ୟ, ଗୃହୋପକରଣ, ନିଜର ସୁନ୍ଦର ଅଙ୍ଗସୌଷ୍ଠବ, ବିଭିନ୍ନ ଆଳଙ୍କାରିଣ ଭୂଷଣ, ପ୍ରକୃତିର ରୂପ ସୌନ୍ଦର୍ଯ୍ୟ, ବିନ୍ଦୁସାଗର ଉପାଖ୍ୟାନ ସହ ଶେଷରେ ଦେବହୂତି ଶୋକ ପ୍ରସଙ୍ଗ ଇତ୍ୟାଦି ଭାଗବତର ତ୍ରୟୋବିଂଶ ଅଧ୍ୟାୟରେ ବର୍ଣ୍ଣିତ ଯାହା ଉପରେ ଦୀକ୍ଷାନ୍ତ ଆଲୋଚନା କରିଥିଲେ ପଣ୍ଡିତ ଡ଼ ମିଶ୍ର। ଚତୁର୍ବିଂଶ ଅଧ୍ୟାୟରେ ନଅ କନ୍ୟାଙ୍କୁ ନବ ଋଷିଙ୍କୁ ସମ୍ପ୍ରଦାନ କପିଳ ଭଗବାନଙ୍କ ଜନ୍ମ, କର୍ଦ୍ଦମ ମୁନିଙ୍କ ଗୃହତ୍ୟାଗ, ମାତାଙ୍କୁ ସାଂଙ୍ଖ୍ୟଦର୍ଶନ ଶିକ୍ଷା, ଉତ୍ତମ ପୁତ୍ରର, ମାତାର,ପିତାର କର୍ତ୍ତବ୍ୟ ଇତ୍ୟାଦି ବିଷୟରେ ପଣ୍ଡିତହୃଷିକେଶ ସାହୁ ମହାଭାଗ ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ।

Omkar Vasthu
Omkar Vasthu

ଉକ୍ତ ଦୁଇ ଦିନର ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୧୪୫ରୁ ଉର୍ଦ୍ଧ୍ବ ସତସଙ୍ଗୀ ଯୋଗଦାନ କରି ଏ ଦୁଇ ଅଧ୍ୟାୟର ଆଲୋଚକ ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ ଓ ପଣ୍ଡିତ ଶ୍ୟାମସୁନ୍ଦର ଦାଶଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ସମ୍ପାଦିକା ଶ୍ରୀମତୀ ମହାପାତ୍ର ଦୁଇ ଦିନର ସତସଙ୍ଗରେ ଦାୟିତ୍ୱ ସମ୍ପାଦନ କରିଥିବା ବେଳେ ସହଯୋଗ କରିଥିବା ସମସ୍ତ ସତସଙ୍ଗୀ ଭଗବତ୍ ପ୍ରେମୀଙ୍କୁ ସାଧୁବାଦ ଜଣାଇଥିଲେ। ରୀତା ଅପରାଜିତା ମହାନ୍ତି ଧନ୍ୟବାଦ ଅର୍ପଣ ଓ ରତିନାରାୟଣ ରାଉତ ଶାନ୍ତିପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ ନିଜର ବକ୍ତବ୍ୟ ସହ ସଭାର ବିରତି ଆସନ୍ତା ବୁଧବାର ପର୍ଯ୍ୟନ୍ତ ଘୋଷଣା କରି ସଭାସାଙ୍ଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.