ଓଡ଼ିଆ ବାର୍ତ୍ତା/ କୋଲକାତା (ରଜତ ବଂଶଲ): କେନ୍ଦ୍ର ସାହିତ୍ୟ ଏକାଡେମୀର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ହିନ୍ଦୀ ପକ୍ଷ ପାଳନ ଉଦଘାଟିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୧୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏହି ପରିପ୍ରେକ୍ଷୀରେ କୋଲକାତା କାର୍ଯ୍ୟାଳୟର କାର୍ଯ୍ୟକ୍ରମରେ ଉଦଘାଟନୀ ଉଦବୋଧନ ପ୍ରଦାନ କରିଥିଲେ ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ। ସେ ହିନ୍ଦୀ ଦିବସ ଏବଂ ହିନ୍ଦୀ ପକ୍ଷ ପାଳନର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।
କାର୍ଯ୍ୟାଳୟ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ସମ୍ପର୍କରେ ସେ ସୂଚନା ଦେଇଥିଲେ। ଏହାପରେ ଏକାଡେମୀର କର୍ମଚାରୀଙ୍କମାନଙ୍କ ମଧ୍ୟରେ ହିନ୍ଦୀ ନିବନ୍ଧ, ଅନୁବାଦ ଏବଂ ଶ୍ରୁତଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୩ ତାରିଖରେ ପୁରସ୍କାର ପ୍ରଦାନ କରାଯିବ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏକାଡେମୀର ପ୍ରୋଗ୍ରାମ ଅଫିସର ଅଭିଷେକ ରଥ।