ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠିତ ଏହି ବୈଠକ କାର୍ଯ୍ୟକ୍ରମରେ ଚଳିତ ବର୍ଷ ଜିଲ୍ଲାରେ ଡିସେମ୍ବର ମାସ ୩୦ ତାରିଖରୁ ପର୍ଯ୍ୟାୟ କ୍ରମେ ବିଭିନ୍ନ ବ୍ଲକର ମଣ୍ଡି ରୁ ଧାନ କ୍ରୟ ନିମନ୍ତେ ନିଷ୍ପତ୍ତି ନିଆଯିବା ସହ ବିଭିନ୍ନ ବିଷୟ ଉପରେ ବିଶେଷ ଆଲୋଚନା ହୋଇଥିଲା ।
ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଚାଷୀ ମାନଙ୍କ ସୁବିଧା ପାଇଁ ମଣ୍ଡିରେ ପର୍ଯ୍ୟାପ୍ତ ସୁବିଧା , ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ନେବାକୁ ମତ ଦେଇଥିଲେ । କୌଣସି ଚାଷୀ ଯଦି ଆପତ୍ତି ଅଭିଯୋଗ ରହିଥିଲେ ୧୯୬୭ ନମ୍ୱର କୁ ଯୋଗାଯୋଗ କରି ସଂପୂର୍ଣ୍ଣ ସହାୟତା ପାଇପାରିବେ ବୋଲି କହିଥିଲେ। ଚଳିତ ବର୍ଷ ସମସ୍ତ ମଣ୍ଡି ରେ ଜଣେ ଜଣେ ନୋଡାଲ ଅଫିସର ଓ ଜଣେ ସୁପରଭାଇଜର ରଖିବାକୁ ନିଷ୍ପତ୍ତି ନିଆଯାଇଛି କହିଥିଲେ ।
ସେହିଭଳି ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହି ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବା ଏବଂ ମିଲର ମାନଙ୍କ ଯେଉଁ ବିଭିନ୍ନ ଇସ୍ୟୁ ରହିଛି , ବୈଠକରେ ତା ଉପରେ ହୋଇଥିବା ଆଲୋଚନା ସନ୍ତୋଷଜନକ ଥିଲା । ମୁଖ୍ୟତଃ ଏହି କାର୍ଯ୍ୟକ୍ରମରେ ଚାଷୀ ଯେଭଳି ଉପକୃତ ହୋଇପାରିବେ ସେଥିପ୍ରତି ବିଶେଷ ଗୁରୁତ୍ଵ ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ ଏଥର ଧାନ ମଣ୍ଡିରୁ ଉଠିବ ଏବଂ ତାଙ୍କର ଐତିହାସିକ ନିଷ୍ପତ୍ତି ଯେ , ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବେ , ଏହାକୁ ଠିକଭାବେ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ତପ୍ତରତା ପ୍ରକାଶ କରିଛି ।
କଟନି ଛଟନି ଏବଂ ପରିବହନ ଉପରେ ଚାଷୀ ଯେଉଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ , ତା ଉପରେ ସାଂସଦ ଡ଼ଃ ପାଣିଗ୍ରାହୀ , ଏଥର ନୂଆ ସରକାର , ନୂଆ ନୀତି , ନୂଆ ଆଇଡ଼ିଆ , ନୂଆ ଚିନ୍ତାଧାରା , ନୂଆ ମଣ୍ଡି ବ୍ୟବସ୍ଥି ପ୍ରକ୍ରିୟା , ସବୁତ ନୂଆ ବର୍ତ୍ତମାନ ଆଗକୁ ଦେଖ କଣ ଅଗ୍ରଗତି ହେଉଛି ବୋଲି କହିଥିଲେ ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି: ତିରୁପତି ରାଓ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ ।
ଏହି ବୈଠକରେ ଚାଷୀ ପ୍ରତିନିଧି , ମିଲର ତଥା ପ୍ରଶାସନିକ ଅଧିକାରୀ ସମସ୍ତଙ୍କ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହ କରିବାକୁ ସର୍ବସମ୍ମତି କ୍ରମେ ଆଲୋଚନା କରା ଯାଇଥିଲା ।
ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।
ସୁଚନା ଅନୁଯାୟୀ କାଶୀନଗର , ଗୋଷାଣୀ , ରାୟଗଡ଼ ଓ ଗୁମ୍ମା ବ୍ଲକରେ ଡିସେମ୍ବର ୩୦ ତାରିଖ ଚଳିତ ବର୍ଷ ଏଫ୍.ଏ.କ୍ୟୁ ଧାନ ର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ପିଛା ଟ.୩୧୦୦/- ମୂଲ୍ୟ ପ୍ରତି କିଣିବାକୁ ଧାର୍ଯ୍ୟ ରଖାଯାଇଛି । ସେହିପରି ଜିଲ୍ଲାର ସମସ୍ତ ଚାଷୀମାନଙ୍କୁ ପ୍ରତି ଗ୍ରାମରେ ପ୍ରଚାର ପ୍ରସାର କରି ସଚେତନତା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ୧୫,୪୯୧ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଖରିଫ ଧାନ ପ୍ରକ୍ରିୟାକରଣ ପାଇଁ ୨୦୨୪-୨୫ ରେ ଜିଲ୍ଲାରେ ୪୫ ଗୋଟି ଧାନ ସଂଗ୍ରହ କେନ୍ଦ୍ର ଖୋଲାଯିବ , ସେଥିମଧ୍ୟରୁ ଗୋଷାଣୀ ବ୍ଲକରେ ୨୫ ଟି , ଗୁମ୍ମା ବ୍ଲକରେ ୩ ଟି , କାଶୀନଗର ବ୍ଲକରେ ୧୬ ଟି ଓ ରାୟଗଡ଼ା ବ୍ଲକରେ ଗୋଟିଏ ଧାନ ସଂଗ୍ରହ କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ ବୋଲି ସୂଚନା ଦିଆ ଯାଇଥିଲା । ଏହି ବୈଠକରେ ଏଆରସିଏସ: ଶ୍ରୀ ହରିହର ସେଠ , ଆରଏମସି: ସେକ୍ରେଟାରୀ ଶ୍ରୀ ରେବତୀ ମୋହନ ରାଉତ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ , ଜିଲ୍ଲା ଚାଷୀ ପ୍ରତିନିଧି , ମିଲର ସଂଘ ସଭାପତି , ବିଭିନ୍ନ ବ୍ଲକରୁ ଚାଷୀ ପ୍ରତିନିଧି ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।





