କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ (ଓୟୁଜେ) ପକ୍ଷରୁ ଗୋଲାମୁଣ୍ଡାଠାରେ ଜାତୀୟ ପ୍ରେସ ଦିବସ ପାଳନ 

ଜିଲ୍ଲାର ବିକାଶ ପାଇଁ ସାମ୍ବାଦିକଙ୍କ ସହଯୋଗ ଆବଶ୍ୟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଶନିବାର ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ (ଓୟୁଜେ) ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା। ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ମୁଖ୍ୟ ବକ୍ତା, ସ୍ୱତନ୍ତ୍ର ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ, ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଙ୍ଗିତ ପଣ୍ଡା, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଚନ୍ଦନ ନାଏକ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲାର ବିକାଶ ପାଇଁ ଖବରଦାତା ମାନଙ୍କ ସହଯୋଗ ଓ ଖବର ପରିବେଷଣ ଆବଶ୍ୟକ ଉପରେ ଜିଲାପାଳ କହିଥିଲେ। ସେହିପରି ସାମ୍ବାଦିକ ସୁରକ୍ଷା ଆଇନ, ପେନସନ ଵ୍ୟଵସ୍ଥା ଆଦି ଉପରେ ସରକାରଙ୍କ ଉପରେ ଦାବି କରାଯାଇଥିଲା। ଜିଲ୍ଲା ଉପ ସଭାପତି ସୁଧୀର ସାହୁ ସ୍ୱାଗତ ଅଭିଭାଷଣ ରଖି ଥିବା ବେଳେ ମଞ୍ଚକୁ ସଙ୍ଘଠନ ସଂପାଦକ ଅଂଶୁମାନ ପାତ୍ର ପରିଚାଳନା କରିଥିଲେ ଓ ଜିଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ ବାର୍ଷିକ ବିବରଣୀ ପରିଚାଳନା କରିଥିଲେ। ଏହି ଅବସରରେ ସାମ୍ବାଦିକ ଖଗେଶ୍ୱର ଧଙ୍ଗଡ଼ାମାଝୀଙ୍କୁ ବୃନ୍ଦାବନ ମିଶ୍ର ସୃତି ସମ୍ମାନ, କ୍ଷମାନିଧି ମହାକୁଡ଼ଙ୍କୁ ଯୁବ ପ୍ରତିଭା ସମ୍ମାନ, ବିନ୍ଦୁ ମହାନନ୍ଦଙ୍କୁ ଜିଲ୍ଲା ପ୍ରତିଭା ସମ୍ମାନ, ପ୍ରଦୀପ ସାହୁ ମହମ୍ମଦ ଅସଲମ ସ୍ମୃତି ସମ୍ମାନ ଓ ରବୀନ୍ଦ୍ର କୁମାର ମିଶ୍ରଙ୍କୁ ବିଜୟ ଦିବେଦୀ ସ୍ମୃତି ସମ୍ମାନ, ଶ୍ରେଷ୍ଠ ସରପଞ୍ଚ ଭାବେ ନୌକଶ୍ୱର ପଟେଲ, ଅନ୍ୟ ମାନଙ୍କ ମଧ୍ୟରେ ପିଇଓ ପ୍ରଶାନ୍ତ ନାଏକ ଓ ଅଲେଖ ସା ଏବଂ ସମିତି ସଭ୍ୟ ଦୁର୍ଗେସ୍ଵର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ସାମ୍ବାଦିକ ସାମିଲ ହୋଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଗୋଳାମୁଣ୍ଡା ବ୍ଲକର ସମସ୍ତ ସାମ୍ବାଦିକ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.