ନେହେରୁ ଯୁବ ସଂଗଠନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଲା ଜିଲ୍ଲାସ୍ତରୀୟ ଯୁବ ଉତ୍ସବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଯୁବମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ପରିପ୍ରକାଶ କରିବା ସହିତ ତାଙ୍କର ଦକ୍ଷତାକୁ ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ଗତକାଲି ସକାଳ ୧୦.୩୦ରେ ବାଲେଶ୍ୱର ସଦର ମହକୁମାସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ-୨୦୨୪-୨୫ ପାଳିତ ହୋଇ ଯାଇଛି I

ଉଦଘାଟନୀ ସମାରୋହରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଏହାପରେ ଯୁବ ପ୍ରତିଯୋଗୀ ମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ। ତା ପରବର୍ତ୍ତୀ ବିଜ୍ଞାନ ମେଳା ପ୍ରଦର୍ଶନୀ ଉଦଘାଟନ କରି ସମସ୍ତ ପ୍ରକଳ୍ପ ବୁଲି ଦେଖିଥିଲେ। ଏହା ପରେ ୧୧ ଗୋଟି ବର୍ଗ ଯଥା ୧. ବିଜ୍ଞାନ ମେଳା (ଗ୍ରୁପ୍) ୨.ବିଜ୍ଞାନ ମେଳା(ଏକାକୀ) ୩. ପଦ୍ୟ ୪. ଚିତ୍ରକଳା ୫. ମୋବାଇଲ ଫଟୋଗ୍ରାଫି ୬. ଔପଚାରିକ ବକ୍ତୃତା ୭. ଦଳଗତ ଲୋକନୃତ୍ୟ ୮. ଏକାକୀ ଲୋକନୃତ୍ୟ ୯. ଦଳଗତ ଲୋକ ସଙ୍ଗୀତ ୧୦. ଏକାକୀ ଲୋକ ସଙ୍ଗୀତ ୧୧. ଗଳ୍ପ ଲିଖନ ରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ବିଚାରକ ମଣ୍ଡଳୀଙ୍କ ଦ୍ଵାରା ପ୍ରଥମ ଦ୍ଵିତୀୟ ତୃତୀୟ ପ୍ରତିଯୋଗୀ ଚୟନ ହୋଇଥିଲା।

ଏହା ପରେ ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଜଳେଶ୍ଵର ଶ୍ରୀ ଅଶ୍ଵିନୀ କୁମାର ପାତ୍ର, ସମ୍ମାନୀୟ ଅତିଥି ଭାବେ ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା ଏବଂ ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ଯୋଗଦାନ କରିଥିଲେ। ଏଥି ସହ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲ୍ଲା ଯୁବ ଅଧିକାରୀ ଏମ. ଵିଘ୍ନେଶ, ଆଇ.ପି.ଇ ଶ୍ରୀ ଅଶୋକ କୁମାର ନାୟକ ଓ ପ୍ରୋଗ୍ରାମ ଅଧିକାରୀ ଏନଏସଏସ ଶ୍ରୀ ଗୌରାଙ୍ଗ ପଣ୍ଡା ମଞ୍ଚାସୀନ ଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ଵିନୀ ରାଉତ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏଠାରେ ସୂଚନା ଥାଉ କି, ଏହି ଯୁବ ଉତ୍ସବ ନେହେରୁ ଯୁବ କେନ୍ଦ୍ର ସଂଗଠନ, ବାଲେଶ୍ୱର ଏବଂ ଜିଲ୍ଲା ପ୍ରଶାସନ, ବାଲେଶ୍ୱରଙ୍କ ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା। ବିଭିନ୍ନ ବର୍ଗର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.