ସ୍ଥାୟୀ ନିଯୁକ୍ତି ଦାବୀ: କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥିଙ୍କ ଧାରଣା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ଥାୟୀ ନିଯୁକ୍ତି ଦାବୀ ନେଇ ବୁଧବାର ଦିନ ଗାଁ ସାଥିମାନେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ୨୦୦୮ ମସିହା ଠାରୁ ମନରେଗା କାର୍ଯ୍ୟକରୁଥିବା ଗାଁ ସାଥି (ମେଟ) ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ଦାବୀରେ କଳାହାଣ୍ଡି ଗାଁ ସାଥି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ସହିତ ଛଅ ଦଫା ଦାବିପତ୍ର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି।କଳାହାଣ୍ଡି ଜିଲ୍ଲା ଗାଁ ସାଥି କ୍ରିୟାନୁଷ୍ଠାନ କମିଟି ସଭାପତି  ଅଭିମନ୍ୟୁ ବେଶ୍ରାଙ୍କ ନେତୃତ୍ୱରେ ମାଣିକେଶ୍ବରୀ ମନ୍ଦିର ଠାରୁ ଶହ ଶହ ଗାଁ ସାଥି ଭାଇ ଭଉଣୀ ଶୋଭାଯାତ୍ରାରେ ଆସି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ପୂଜାର୍ଚ୍ଚନା କରି ବକ୍ତବ୍ୟ ମଧ୍ୟମରେ ଦାବୀ ଗୁଡିକ ଉପସ୍ଥାପନା କରିଥିଲେ। ସମସ୍ତ ଲିଗାଲ ଗାଁ ସାଥି ମାନଙ୍କୁ ସଠିକ ଭାବେ ଚିହ୍ନ୍ନଟ କରାଯାଇ ସ୍ଥାୟୀ ନିଯୁକ୍ତି ପ୍ରଦାନ କରି ମାସିକ ପ୍ରୋତ୍ସାହନ ଦେବାକୁ ଦାବୀ କରା ଯାଇଛି। ମନମୁଖୀ ଚୟନ ହୋଇଥିବା ଗାଁ ସାଥି ମାନଂକୁ କାର୍ଯ୍ୟରୁ ବାଦଦେବା ସହିତ +୨ ଶିକ୍ଷାଗତ ଥିବା ଗାଁ ସାଥି ମାନଙ୍କୁ ସ୍ଥାୟୀ ନିଯୁକ୍ତି, +୨ ରୁ ତଳକୁ ଶିକ୍ଷାଗତ ଯୋଗ୍ୟତା ଥିବା ଗାଁ ସାଥି ମାନଂକୁ ବାର ହଜାର ଟଙ୍କା ଦେବାକୁ ଦାବୀ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରୋହିତ ସାହୁ, ଗୌରଚନ୍ଦ୍ର ଗହୀର, ସଦାଶିବ ନାଗ, ଶତ୍ରୁଘନ ଗୌଡ଼, ପ୍ରକାଶ ବୁଦ୍ଧିଆ, ଶ୍ୟାମ ଛତରିଆ, ଭିକାରି କୁମାର, ଅମର ଦୁର୍ଗା, ପ୍ରେମ ଗୋପାଳ ସାହୁ, ତିଳୋତ୍ତମା ସାହୁ, ତେର ଗୋଟି ବ୍ଲକ ସଭାପତିଙ୍କ ସହିତ ଜିଲ୍ଲାର ଶତାଧିକ ଗାଁ ସାଥି ଉପସ୍ଥିତ ହୋଇ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.