ସର୍ବଭାରତୀୟ ରେଳ ସମସ୍ୟାର ସମାଧାନ ହେବ ମୁଖ୍ୟ ପ୍ରସଙ୍ଗ
ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ରେଳଯାତ୍ରୀଙ୍କ ସ୍ୱାର୍ଥ ସୁରକ୍ଷା, ଯାତ୍ରୀ ସୁବିଧାର ବିକାଶ ଏବଂ ଦେଶବ୍ୟାପୀ ରେଳ ସମସ୍ୟାର ସମାଧାନ ଲକ୍ଷ୍ୟରେ ଗଠିତ ହୋଇଛି ଭାରତୀୟ ରେଳଯାତ୍ରୀ ସଂଘ ଟ୍ରଷ୍ଟ। ଏହାର ମୁଖ୍ୟ କାର୍ଯ୍ୟାଳୟ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ରହିବା ସହ କାର୍ଯ୍ୟକ୍ଷେତ୍ର ସମଗ୍ର ଭାରତରେ ପରିବ୍ୟାପ୍ତ ହେବ। ଟ୍ରଷ୍ଟର ସଂସ୍ଥାପକ ତଥା ଅଧ୍ୟକ୍ଷ ଭବାନୀ ଶଙ୍କର ନିଆଲଙ୍କ ଉଦ୍ୟମରେ ଏହା ପ୍ରସ୍ତୁତ କରାଯାଇଛି। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ରେଳଯାତ୍ରୀଙ୍କ ସମସ୍ୟା, ଷ୍ଟେସନରେ ମୌଳିକ ସୁବିଧାର ଅଭାବ, ଯାତ୍ରୀଙ୍କ ସୁରକ୍ଷା, ନୂତନ ରେଳ ସଂଯୋଗ, ଟ୍ରେନ୍ ଚଳାଚଳ ଓ ଆଞ୍ଚଳିକ ରେଳ ବିକାଶ ଭଳି ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ରେଳ ବିଭାଗ ଓ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସଂଘର ମୁଖ୍ୟ ଲକ୍ଷ୍ୟ ରହିଛି। ନୂତନ ଭାବେ ଗଠିତ ଟ୍ରଷ୍ଟର ଅଧ୍ୟକ୍ଷ ଓ ଟ୍ରଷ୍ଟି ଭାବେ ଡ. ଭବାନୀଶଙ୍କର ନିଆଲ ରହିଥିବାବେଳେ ଉପସଭାପତି ଭାବେ ପ୍ରମୋଦ କୁମାର ଜୈନ, ସାଧାରଣ ସଂପାଦକ ଭାବେ ନିରୋଜ କୁମାର ପଟ୍ଟନାୟକ, ଯୁଗ୍ମ ସଂପାଦକ ଭାବେ ପ୍ରଦୀପ କୁମାର ଦାସ, ସୁଶୀଲ କୁମାର ବାଗ, ଗୁଣନିଧି ଦୁର୍ଗା ଓ କୃଷ୍ଣଚନ୍ଦ୍ର ପ୍ରଧାନ, ଟ୍ରଷ୍ଟି ଭାବେ ଗିରିଧାରୀ ଅଗ୍ରୱାଲ ଏବଂ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ଅଶୋକ କୁମାର ରାଉତ ଦାୟିତ୍ୱ ଗ୍ରହଣ କରିଛନ୍ତି।ସର୍ବଭାରତୀୟ ସ୍ତରରେ ରେଳଯାତ୍ରୀଙ୍କ ସାମୂହିକ ସମସ୍ୟାକୁ ସଠିକ ମଞ୍ଚରେ ଉପସ୍ଥାପନ କରିବା ସହ ରେଳସେବାର ଉନ୍ନତି, ଷ୍ଟେସନଗୁଡ଼ିକର ଆଧୁନିକୀକରଣ ଓ ଯାତ୍ରୀଙ୍କ ପାଇଁ ସୁଲଭ, ସୁରକ୍ଷିତ ଓ ସୁବିଧାଜନକ ରେଳ ସେବା ନିଶ୍ଚିତ କରିବା ଦିଗରେ ସଂଘ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।





