ପାଳ କୁଡ଼ିଆରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ ଘଟଣା, ପୋଲିସର ତଦନ୍ତ ଜାରି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମଙ୍ଗଳବାର ଦିନ କାଦୁଲ ଗୁଡ଼ିଆ ଚାଷ କରିଥିବା ଭଟ୍ଟାଭୂମିରେ ତିଆରି କରିଥିବା ଅସ୍ଥାୟୀ ପାଳକୁଡ଼ିଆରେ ନିଆଁ ଲାଗି ଦୁଇ ଶିଶୁ ଜୀବନ ଦଗ୍ଧ ହୋଇଥିଲେ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଆଜି ବିଜେପୁର ଓ ଲାଞ୍ଜିଗଡ଼ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରୁଥିବା ଦେଖିବାକୁ ମିଳିଥିଲା। ପୋଲିସ ସୂତ୍ରରୁ ପ୍ରକାଶ ଯେ, ତାଳବୋରା ଗାଁର କତାନା ମାଝୀ ଓ ସଂସାରୀ ମାଝୀଙ୍କ ୫ ବର୍ଷର ଝିଅ ଦୀପ୍ତି ମାଝୀ ଓ ୪ ବର୍ଷର ପୁଅ କାର୍ତ୍ତିକ ମାଝୀ ମଙ୍ଗଳବାର ସକାଳେ ନିଜ ଆଇ ସମ୍ବାରୀ ମାଝୀଙ୍କ ସହିତ ଗାଁ ନିକଟରେ ଥିବା କାନ୍ଦୁଲ ଗୁଡ଼ିଆକୁ ଯାଇଥିଲେ। ସେଠାରେ ଥିବା ଏକ ଅସ୍ଥାୟୀ ପାଳ କୁଡ଼ିଆରେ ବସି ଖେଳୁଥିଲେ। ଏହି ଦୁଇ ଶିଶୁଙ୍କୁ ଛାଡ଼ି କିଛି ଦୂରରେ ତାଙ୍କ ଆଇ ସମ୍ବାରୀ କାଠ ସଂଗ୍ରହ କରୁଥିଲେ। ଏହି ସମୟରେ ପାଳକୁଡ଼ିଆର ସାମ୍ନାରେ ପୂର୍ବରୁ ଲାଗିଥିବା ନିଆଁ ପବନ ଦ୍ବାରା ହଠାତ୍ କୁଡିଆରେ  ଲାଗିଯାଇଥିଲା। ପିଲାଙ୍କ ଚିତ୍କାର ଶୁଣି ଆଇ ସମ୍ବାରୀ ଆସିଲା ବେଳକୁ ଦୁଇଶିଶୁ ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ। ଖବର ପାଇ ଗାଁ ଲୋକେ ସମେତ ବାପା-ମାଆ ପହଞ୍ଚି ଥିଲେ ହେଲେ ଦୁଇ ଶିଶୁଙ୍କୁ ହରାଇବା ପରେ ବାପା-ମାଆଙ୍କ ଆଖିରୁ ଲୁହ ଶୁଖିନଥିଲା। ତେବେ ସରକାରୀ ନିୟମ କାନୁନ ସମ୍ପର୍କରେ ଜାଣିନଥିବାରୁ ସେମାନେ ପୋଲିସକୁ ସୂଚନା ନଦେଇ ଗାଁ ମଶାଣିରେ ମଙ୍ଗଳବାର ଦିନ ୧ ଘଣ୍ଟା ସମୟରେ ଭାଇ ଭଉଣୀଙ୍କ ଶବ ସତ୍କାର କରି ଦେଇଥିଲେ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ସୋଇଥିବା ବେଳେ ଆଜି ଲାଞ୍ଜିଗଡ଼ ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ଵାଳ ଓ ବିଜେପୁର ଥାନା ଅଧିକାରୀ ବିଶମ୍ବର କହଁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଶିଶୁ ଦୁହିଁଙ୍କ ମୃତ୍ୟୁକୁ ନେଇ କୌଣସି ସନ୍ଦେହ ଅଛିକି ବୋଲି ବାପା ମାଆଙ୍କୁ ପଚାରି ବୁଝିଥିଲେ। ଆମେ କାହାରିକୁ ସନ୍ଦେହ କରୁନାହୁଁ ପାଳ କୁଡିଆ ସାମ୍ନାରେ ନିଆଁ ଲାଗିଥିବା ଯୋଗୁଁ ଏହା ପବନରେ ହିଁ ଉଡିକି ଲାଗିଛି। ଏହା ଏକ ଦୈବୀ ଦୁର୍ଘଟଣା ବୋଲି ପୋଲିସ ନିକଟରେ ମୃତ ଶିଶୁଙ୍କ ବାପା ମାଆ ଓ ଗାଁ ଲୋକେ ପ୍ରକାଶ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.