ବଲାଙ୍ଗିରରେ ଅନୁଷ୍ଠିତ ହେଲା ପରାକ୍ରମ ଶୋଭାଯାତ୍ରା

ଓଡିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଅପରେସନ୍ ସିନ୍ଦୂର’ର ସଫଳତା ପରେ ଏହାର ବୀର ଗାଥାକୁ ଲୋକଲୋଚନରେ ପ୍ରସାର କରି ଭାରତୀୟ ଯବାନ ମାନଙ୍କୁ ସମ୍ମାନ ଜଣାଇବାକୁ ଆଜି ବଲାଙ୍ଗିରରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଅବସରରେ ତିନି ବାହିନୀର ବୀର ଯବାନଙ୍କୁ କୃତଜ୍ଞତା ଭାବ ପ୍ରକାଶ କରି ଜିଲ୍ଲାସ୍ତରରେ ଜିଲ୍ଲା ପ୍ରଶାସନ ଏବଂ ବଲାଙ୍ଗିର ପୌରପରିଷଦ ମିଳିତ ଆନୁକୁଲ୍ୟରେ ତ୍ରିରଙ୍ଗା ମୋଟରସାଇକେଲ ଶୋଭାଯାତ୍ରା ଟାଉନ ପରିକ୍ରମା କରିଥିଲା । ଏହି ମୋଟର ସାଇକେଲ ଶୋଭାଯାତ୍ରାରେ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସାଲୱାର, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ପୌରାଧ୍ୟକ୍ଷା ଲିକା ସାହୁ, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତରଣୀ ସୁନାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସରକାରୀ କର୍ମଚାରୀ, ଏନ.ସି.ସି. କ୍ୟାଡେଟ, କ୍ରୀଡାବିତ୍, ପୋଲିସ ବାହିନୀ, ପୁରାତନ ଯବାନ ସଂଘ, ସାଧାରଣ ଲୋକେ ଏବଂ ସ୍ଵେଛାସେବୀ ସଂଗଠନ ଯୋଗଦାନ କରିଥିଲେ। ଜିଲ୍ଲାପାଳ ଶ୍ରୀ ଇସାଲୱାର ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ତ୍ରିରଙ୍ଗା ପତାକା ଧରି ବାଇକରେ ଶୋଭାଯାତ୍ରାରେ ବାହାରିଥିଲେ । ବୀର ଯବାନଙ୍କ ସମାନାର୍ଥେ ସମସ୍ତେ ବାଇକ‌ରେ ବସି ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାଟି ସକାଳ ୯ ଟାରେ କୋଶଲ କଳା ମଣ୍ଡଳ ପଡିଆଠାରୁ ବାହାରି କଚେରି ଛକ, ସୁଦପଡା ହନୁମାନ ମନ୍ଦିର ଛକ, ବିକ୍ରମ ଛକ, ଭାଗିରଥି ଛକ, ସର୍କିଟ ହାଉସ, ଆରଟିଓ ଛକ, ମହିଳା ମହାବିଦ୍ୟାଳୟ , ରାଜେନ୍ଦ୍ର କଲେଜ, ଲିଟିଲ ଫ୍ଲାୱାର ସ୍କୁଲ ଦେଇ ପୁଣି କୋଶଲ କଳା ମଣ୍ଡଳ ପଡିଆକୁ ଫେରିଥିଲା । ଜନସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରମ୍ ନାରା ଦେଇ ସହର ପରିକ୍ରମା କରିଥିଲେ। ଏହି ଯାତ୍ରାରେ ସାମିଲ ସମସ୍ତେ ସମ୍ମାନପୂର୍ବକ ବିପତ୍ତି ସମୟରେ ଆମ ଦେଶ ଦେଶବାସୀଙ୍କ ମର୍ଯ୍ୟାଦା ଓ ସଂକଳ୍ପ ରକ୍ଷା କରିଥିବା ଦେଶର ସ୍ଥଳ, ଜଳ ଓ ଆକାଶ ବାହିନାର ବୀର ଯବାନଙ୍କୁ ପ୍ରଣାମ ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.