ବିପ୍ଲବୀ ଜନନେତା ପର୍ଶୁରାମ ହରିଚ଼ନ୍ଦନ

ପୂଣ୍ୟତୋୟା ଭାରତରେ ଓଡ଼ିଶା, କଳା,ସାହିତ୍ୟ ଓ ସଂସ୍କୃତି ର ମହାନ ମିଳନ ସ୍ଥଳ। ନିଜସ୍ବ ପ୍ରତିଭା ବଳରେ ଅନେକ ପ୍ରଥିତଯଶା ଓ ସିଦ୍ଧପୁରୁଷ ମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଜନ୍ମନେଇ ଏ ମାଟିକୁ ମହିମା ମଣ୍ଡିତ କରିଛନ୍ତି। ସେହିଭଳି ଜଣେ ତେଜସ୍ବୀ ପୁରୁଷ ପର୍ଶୁରାମ ହରିଚ଼ନ୍ଦନ ଗମ୍ଭାରିମୁଣ୍ଡା ଅଞ୍ଚଳରେ ଜନ୍ମ ନେଇଥିଲେ। ତାଙ୍କ ସାହିତ୍ୟ ସାଧନା, ସମାଜସେବା, ରାଜନୈତିକ ମୂଲ୍ୟବୋଧ ଓ ସ୍ବାଧିନତା ଆନ୍ଦୋଳନ ର ବାର୍ତ୍ତା ଅବିଭକ୍ତ ପୁରୀ ଜିଲ୍ଲା କୁ ଉଦଭାଷିତ କରିବା ସହିତ ସମଗ୍ର ଉତ୍କଳ କୁ ଉଦଭାଷିତ କରିଥିଲା।ବଣ ଜଙ୍ଗଲ ପରିବେଷ୍ଟିତ, ଅନ୍ଧାରି ମୂଳକ ଗମ୍ଭାରିମୁଣ୍ଡା ପାଇଁ ସେ ଥିଲେ ଆଲୋକବର୍ତ୍ତିକା।ବ୍ୟକ୍ତିଗତ ଜୀବନର ସୁଖ,ସ୍ବାଚ୍ଛନ୍ଦ୍ୟ,ସାହିତ୍ୟ ସାଧନା ଓ ରାଜନୀତି କୁ ପଛରେ ପକାଇ ସେ ଏ ଅଞ୍ଚଳ ନିର୍ମାଣ ରେ ହେଲେ ବ୍ରତୀ। ଗମ୍ଭାରୀମୁଣ୍ଡା ପ୍ରାଥମିକ ସ୍କୁଲ, ମାଇନର ସ୍କୁଲ, ହାଇସ୍କୁଲ, ପୋଷ୍ଟ ଅଫିସ୍, କୋପରିଟିଭ ସୋସାଇଟି, ଡ଼ାକ୍ତରଖାନା, ପଶୁ ଡ଼ାକ୍ତରଖାନ, ସୁନାଖଳା ଛକ ଠାରୁ ଆୟତପୁର ଛକ ପର୍ଯ୍ୟନ୍ତ ରାସ୍ତା ସବୁ ତାଙ୍କର ଅବଦାନ।

ଗମ୍ଭାରିମୁଣ୍ଡା ଅଞ୍ଚଳର ସାମୂହିକ ବିକାଶ ପାଇଁ ଅଞ୍ଚଳ ର ଯୁବଗୋଷ୍ଠୀ ଙ୍କୁ ନେଇ ପର୍ଶୁରାମ ହରିଚ଼ନ୍ଦନ ଖଜୁରିଆ ଗ୍ରାମରେ ଏକ କ୍ଲବ ପ୍ରତିଷ୍ଠା କରିଥିଲେ, ଯାହାର ନାମ ରଖାଯାଇଥିଲା “Nonsense Paradise”। ଏହି କ୍ଲବ ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜସେବା ସହ ଅଞ୍ଚଳ ର ସାମଗ୍ରିକ ବିକାଶ। ପରବର୍ତ୍ତୀ ସମୟରେ ଗମ୍ଭାରିମୁଣ୍ଡା ଠାରେ ତାଙ୍କ ନେତୃତ୍ବରେ “ଗାନ୍ଧୀ କୁଟୀର” ସ୍ଥାପନ ହୋଇଥିଲା। ସେହି ସମୟରେ ପର୍ଶୁରାମ ହରିଚ଼ନ୍ଦନ ଙ୍କ ନେତୃତ୍ବରେ ଯୁବ ଅନୁଷ୍ଠାନ “ପଲ୍ଲୀ ସଂସ୍କୃତି କଳା ପରିଷଦ” ଗଢ଼ି ଉଠିଥିଲା। ଏହି କଳା ପରିଷଦ କେବଳ ଯେ କଳା ଚ଼ର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା ତାହା ନୁହେଁ,ବରଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ଗୋଟିଏ ସାମାଜିକ ଆନ୍ଦୋଳନ ସୃଷ୍ଟି କରି ଅନେକ ଯୁବ କଳାକାର,ସମାଜସେବୀ ଓ ଯୁବ କର୍ମଯୋଗୀ ସେ ଗଢ଼ିପାରିଥିଲେ। ଗମ୍ଭାରିମୁଣ୍ଡା ଅଞ୍ଚଳରେ ଶିକ୍ଷାର,ସ୍ବାସ୍ଥ୍ୟର,ରାସ୍ତାଘାଟର ଏବଂ ସର୍ବୋପରି ସଂସ୍କୃତିର ବିକାଶ ପାଇଁ ଅହରହ ଚ଼େଷ୍ଟା ଚ଼ଳାଇଥିଲେ। ପର୍ଶୁରାମ ହରିଚ଼ନ୍ଦନ ସର୍ବ ପ୍ରଥମେ ଗମ୍ଭାରୀମୁଣ୍ଡା ଗ୍ରାମ ପଞ୍ଚାୟତ ର‌‌ ସରପଞ୍ଚ ଓ ପରବର୍ତ୍ତୀ ସମୟରେ ବାଣପୁର ବ୍ଲକ ର ଅଧ୍ୟକ୍ଷ ହେଲେ,ତା’ପରେ ପୁରୀ‌ ଜିଲ୍ଲା ପରିଷଦର ଉପସଭାପତି ହେଲେ। ବାଣପୁର ବ୍ଲକ ର ଅଧ୍ୟକ୍ଷ ଥିବାବେଳେ ବାଣପୁର ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ର ବିକାଶ ଓ ଉନ୍ନତି କରିଥିଲେ। ସେ ଜନସାଧାରଣଙ୍କ ସମସ୍ୟା ର ସମାଧାନ କରୁଥିଲେ। ଶିକ୍ଷାର ଉନ୍ନତି କଳ୍ପେ ପର୍ଶୁରାମ ହରିଚ଼ନ୍ଦନ ପ୍ରାଣାନ୍ତକ ଉଦ୍ୟମ କରି ସ୍ବର୍ଗତ ଭାଗିରଥି ମାଲୁ ଙ୍କ ଅର୍ଥ ଓ ଅନ୍ୟ ସମାଜସେବୀ ବନ୍ଧୁ ମାନଙ୍କ ସହଯୋଗରେ ଗମ୍ଭାରିମୁଣ୍ଡା ଠାରେ ପତିତପାବନ ବାଣୀ ମନ୍ଦିର ନାମକ ହାଇସ୍କୁଲ ପ୍ରତିଷ୍ଠା କରିଥିଲେ।

ସେ ବି ଜଣେ ଜାତୀୟତାବାଦୀ ନାଟ୍ୟକାର। ସେ ଅନେକ ନାଟକ ରଚ଼ନା କରିଥିଲେ। ସେହି ନାଟକ ମଧ୍ୟରେ “ବିପ୍ଲବୀ କୃତ୍ତିବାସ”,”ଛିନାଙ୍ଗୀ”,”ଅଭିଶପ୍ତ ଦୁର୍ଗ”, “ଦିଗବିଜୟୀ କପିଳେନ୍ଦ୍ର”।

ତାଙ୍କରି ନାଟକ ଓଡ଼ିଆ ପ୍ରାଣରେ ପ୍ରବଳ ଦେଶାତ୍ମବୋଧ ଓ ରୋମାଞ୍ଚ ସୃଷ୍ଟି କରେ। ବିପ୍ଲବୀ ବୀର କୃତ୍ତିବାସ ଙ୍କୁ ବିସ୍ମୃତ ଗର୍ଭରୁ ଆଲୋକକୁ ଆଣିବା, ଓଡ଼ିଆଜାତି ପାଇଁ ପର୍ଶୁରାମ ହରିଚ଼ନ୍ଦନଙ୍କର ସର୍ବଶ୍ରେଷ୍ଠ ଅବଦାନ।ଯଦି ପର୍ଶୁରାମ ହରିଚ଼ନ୍ଦନଙ୍କ ବଳିଷ୍ଠ ଲେଖନୀରୁ ନିସୃତ ଐତିହାସିକ ଗବେଷଣା ସମ୍ବଳିତ କୃତ୍ତିବାସଙ୍କ ଜୀବନୀ ସମ୍ପର୍କୀତ ନିବନ୍ଧ ୧୯୫୦ ମସିହା ଡ଼ିସେମ୍ବର ମାସର ଝଙ୍କାର ପତିକ୍ରାରେ ପ୍ରକାଶ ପାଇନଥାନ୍ତା, ହୁଏତ ଇତିହାସର ଅତଳ ଗର୍ଭରେ ଓଡ଼ିଆ ଜାତିର ଏହି ଅନନ୍ୟ ବୀର ଙ୍କ ରକ୍ତରଞ୍ଜିତ ଇତିହାସ ଚ଼ିର ଦିନ ପାଇଁ ସମାଧି ଲଭିଥାନ୍ତା।

“ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ”। ମୃତ୍ୟୁଟା ଅତ୍ୟନ୍ତ ବାସ୍ତବ ଏବଂ ଧ୍ରୁବ ସତ୍ୟ।ଜନ୍ମ ଏବଂ ମୃତ୍ୟୁ ବିଧି ଅଭିପ୍ରେତ। କାଳଜୟୀ ପୁରୁଷ ମୃତ୍ୟୁର କଠୋରତା ମଧ୍ୟରେ ଅବଲୀନ ହେଲେ ମଧ୍ୟ ତାର ସାଧନା, ସିଦ୍ଧି ଏବଂ ସୁକୃତ ପାଇଁ ସେ ଯେପରି ଅମର ରହେ, ପର୍ଶୁରାମ ହରିଚ଼ନ୍ଦନ ସେହିପରି ତାଙ୍କର ସାଂସ୍କୃତିକ ପ୍ରତିଷ୍ଠା, ସାମାଜିକ ପରିଚ଼ିତ, ରାଜନୈତିକ ପାରଦର୍ଶିତା ଏବଂ ସମାଜସେବାର ପରାକାଷ୍ଠା ନିମନ୍ତେ ଯେଉଁ ଅଙ୍ଗୀକାରବଦ୍ଧତା ଆମ ଅଞ୍ଚଳର ପ୍ରତ୍ୟେକ ମଣିଷ ନିକଟରେ ଛାଡ଼ି ଚ଼ାଲି ଯାଇଛନ୍ତି ସେଥିପାଇଁ ଆମ ଅଞ୍ଚଳର ପ୍ରତିଟି ମଣିଷ ନିକଟରେ ଯୁଗେ ଯୁଗେ ଅମର ହୋଇରହିଥିବେ – ଏଥିରେ ଦ୍ବିମତ ନାହିଁ। ଦିନ ଯାଏ,ଚ଼ିହ୍ନ ରହେ। ସ୍ମୃତିର ପାଉଁଶ ତଳୁ ମିଳିବ ଅସତ୍ୟ ସହରର ଅନେକ କାହାଣୀ- କିମ୍ବଦନ୍ତୀ,ମିଳିବ ଅନେକ କାଳ୍ପନିକ ଚ଼ିତ୍ରପଟ,କିନ୍ତୁ ମିଳିବନି ବାସ୍ତବ ମଣିଷର ଅଭୂଲା-ଅପାଶୋରା ମୁହଁଟିଏ।

ସେହି ଯୁଗପୁରୁଷ ୧୯୭୭ ମସିହା ମଇ ୨୬ ତାରିଖ ରେ ଏ ଦୁନିଆ ଛାଡ଼ି ଚ଼ାଲିଗଲେ। ସେ ଏକାଧାରାରେ ଜଣେ ସୁସଂଗଠକ, ଯୋଗଜନ୍ମା ନାଟ୍ୟକାର, ବିଶିଷ୍ଟ ରାଜନୀତିଜ୍ଞ, ନିସ୍ବାର୍ଥପର ଜନସେବକ, ସୁପରାମର୍ଶଦାତା, ସ୍ବାଧିନତା ସଂଗ୍ରାମୀ ଓ ଓଡ଼ିଆ ସାମରିକ ଇତିହାସ ଓ ପରମ୍ପରା ର ତେଜୋଦୀପ୍ତ ନକ୍ଷତ୍ର ପର୍ଶୁରାମ ହରିଚ଼ନ୍ଦନ ଙ୍କ ଶ୍ରାଦ୍ଧବାର୍ଷିକ  ଅବସରରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ।

ଲେଖକ- ବିଶ୍ବବିଜୟୀ ଦାଶ

ସମ୍ପାଦକ 

ବ୍ରଜବିଳାସ ସାହିତ୍ୟ ପତ୍ରିକା 

ଗମ୍ଭାରିମୁଣ୍ଡା,ବାଣପୁର,ଖୋର୍ଦ୍ଧା

ପିନ୍- ୭୫୨୦୩୫

ମୋବାଇଲ ନଂ- ୬୩୭୦୨୦୮୪୨୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.