ରେଖପୁରରୁ ଋଷିଆ: ବିଶିଷ୍ଟ କଣ୍ଠଶିଳ୍ପୀ ସର୍ବେଶ୍ଵର ଭୋଇଙ୍କ ଦୀର୍ଘ ଯାତ୍ରା 

ଘରକୁ ଫେରିଲେ, ଗାଁରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ମାଟିର ସନ୍ତାନ ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଣ୍ଠ ଶିଳ୍ପୀ ସର୍ବେଶ୍ୱର ଭୋଇ ଋଷିଆରେ ପ୍ରୋଗ୍ରାମ ସାରି ନିଜ ଗାଁ ରେଖପୁରକୁ ଫେରିଛନ୍ତି । ସେ ନିଜ ଗାଁ ରେଖପୁରରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ, ପରିବାର, ବନ୍ଧୁ ବାନ୍ଧବଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରବିବାର କଳାହାଣ୍ଡି ଲେଖକ କଳା ପରିଷଦ ତରଫରୁ ଭବାନୀପାଟଣାରେ ମଧ୍ୟ ସର୍ବେଶ୍ୱରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୫ ରୁ ୭ ଜୁଲାଇ ତିନିଦିନ ଧରି ଋଷିଆର ମସ୍କୋ ସହରରେ “ଭାରତ ଉତ୍ସବ” କାର୍ଯ୍ୟକ୍ରମ ରହିଥିଲା । ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନର ୧୨ ଜଣିଆ ଏକ ଟ୍ରୁପରେ ମସ୍କୋ ଯାଇଥିଲେ ସର୍ବେଶ୍ୱର । ମସ୍କୋରେ ସିଙ୍ଗାରୀ, ବଜାଶାଲ ଆଉ ବୀରବାଦ୍ୟ ଘୁମୁରା ଭଳି ଲୋକକଳା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବା ସହ ଭାରତୀୟ ଲୋକ କଳାର ଛାପା ଛାଡିଛନ୍ତି ମସ୍କୋ ବାସୀଙ୍କ ହୃଦୟରେ । ମସ୍କୋରେ ଗାଇଲେ, ନାଚିଲେ ଏବଂ ମସ୍କୋ ବାସୀଙ୍କୁ ନଚାଇଲେ ସର୍ବେଶ୍ୱର । ମସ୍କୋ ଯିବା ପାଇଁ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ ତାଙ୍କୁ ବହୁତ ସାହାଯ୍ୟ ସହଯୋଗ କରିଥିବା ଏବଂ ସେମାନଙ୍କ ସହ ମିଶି ମସ୍କୋ ଯାଇଥିବା କଥା ପ୍ରକାଶ କରିବା ସହ ଏଥିପାଇଁ ସାଂସଦ ଶ୍ରୀ ସେଠଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ପ୍ରଭୁ ଶ୍ରୀ ଜଗନ୍ନାଥ, ମା ମାଣିକେଶ୍ୱରୀ, ଗାଁ ଦେବା ଦେବୀଙ୍କ ଅପାର କରୁଣାରୁ ସଫଳତାର ସହ ସେ ଫେରିଥିବା ବେଳେ କଳାହାଣ୍ଡିର ଲୋକ ନୃତ୍ୟ ବୀର ବାଦ୍ୟ ଘୁମୁରା, ବଜାଶାଲ, ସିଙ୍ଗାରୀ ଭଳି ଲୋକ କଳା କେବଳ ଜିଲ୍ଲାରେ, ରାଜ୍ୟରେ କିମ୍ବା ଆମ ଦେଶରେ ନୁହଁ ଆଜି ଏହା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି ସର୍ବେଶ୍ଵର । କେବଳ ଆମର ଲୋକ କଳା ପରିବେଷଣ ଯୋଗୁଁ ଆମେ ଋଷିଆ ବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିବାରେ ସମର୍ଥ ହୋଇଛୁ । ଆଗକୁ ଆଗକୁ ଆମ ଲୋକକଳା ଆହୁରୀ ସୁଦୂର ପ୍ରସାରୀ ହେବ । ଏଥିପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି । ଏଣୁ ଯୁବ ପିଢୀ ଆଗେଇ ଆସନ୍ତୁ ଓ ଲୋକ କଳାକୁ ଆହୁରି ବିସ୍ତାର କରନ୍ତୁ । ଆଜି ମୁଁ ଗର୍ବିତ ଆମ ଲୋକ କଳାକୁ ବିଶ୍ଵ ଦରବାରରେ ପହଞ୍ଚାଇ ପାରିଛି ବୋଲି ବିଶିଷ୍ଟ କଣ୍ଠ ଶିଳ୍ପୀ ଶ୍ରୀ ଭୋଇ ଯୁବ ସମାଜକୁ ବାର୍ତ୍ତା ଦେଇଛନ୍ତି । ଦୀର୍ଘ ସମୟରୁ ଗାଁରେ ସର୍ବେଶ୍ୱରଙ୍କ ଫେରିବା ପଥକୁ ଚାହିଁ ରହିଥିବା ପରିବାର ବର୍ଗ, ବନ୍ଧୁ ବାନ୍ଧବଙ୍କ ସମେତ ଗ୍ରାମବାସୀ ତୁମେଶ୍ୱର ଭୋଇ, କ୍ଷୀରୋଦ ଚନ୍ଦ୍ର ପୋଢ, ଭାଗୀରଥି ଭୋଇ, ଷଢାନନ ଭୋଇ, ଶରତ ଚନ୍ଦ୍ର ସେଲମା, ଭାତର ଭୂଷଣ ଭୋଇ, କମ୍ବୁପାଣି ଭୋଇ ପ୍ରମୁଖଙ୍କ ସମେତ ଗ୍ରାମର ଶତାଧିକ ଯୁବ ବର୍ଗ ଓ ମା ଭଉଣୀ ମାନେ ତାଙ୍କୁ ପାଦ ଧୋଇ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରି ଘରକୁ ପାଛୋଟି ନେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.