ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା l କୌଣସି ସୂତ୍ରରୁ ଖବର ପାଇ ସକାଳ ପ୍ରାୟ ୮ ଟା ବେଳେ ସୋନପୁର ବୁଢାରଜା ଛକ ନିକଟରେ ଗାଡି ମୋଟର ଯାଞ୍ଚ ଆରମ୍ଭ କରିଥିଲେ l ଏହି ସମୟରେ ଆସୁଥିବା ଏକ ମହିନ୍ଦ୍ରା ଏକ୍ସୟ୍ୟୁଭି -୭୦୦ ନଂ OD15 Z- 9013 କୁ ଅଟକାଇ ଯାଞ୍ଚ କରାଯିବାରୁ ଗାଡ଼ିରୁ ୧୮୪ କିଲୋଗ୍ରାମ ଗଞ୍ଜେଇ ବାହାରିଥିଲା l ଗାଡିରେ ଥିବା ଦୁଇ ଅଭିଯୁକ୍ତ ଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ରୁଣ୍ଡିମହୁଲ ଗ୍ରାମର ଅଭିମନ୍ୟୁ ସାହୁ (୪୨) ଓ କଣ୍ଟାମାଳ ଥାନା ଠେଲକୋବେଡା ଗ୍ରାମର ବିଶ୍ଵାମିତ୍ର ବାଘ (୩୮) ବୋଲି ଜଣାପଡିଛି l ଏମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି l ଏ ନେଇ ସୋନପୁର ଅବକାରୀ ବିଭାଗ କେସ ନମ୍ବର PR No. 86/2025 -26 /18/8/25 ରେ ଏକ ମାମଲା ରୁଜୁ କରାଯାଇଛି l ଏହି ଚଢ଼ାଉରେ ଅବକାରୀ ବିଭାଗ ର ଇନ୍ସପେକ୍ଟର ପ୍ରକାଶ କୁମାର ସା, ଏସଆଇ ଶାନ୍ତନୁ ପଟ୍ଟନାୟକ, ଇନ୍ସପେକ୍ଟର ହରପ୍ରସାଦ ରଣା, ଏସ ଆଇ ବିଶ୍ୱନାଥ ଭୋଇ, ଏଏସଆଇ ସନ୍ତୋଷ କୁମାର ସ୍ୱାଇଁ ଓ ଏଏସଆଇ ଲୋକନାଥ ବେହେରା ପ୍ରମୁଖ ସାମିଲ ଥିଲେ l