ନର୍ଲାରୋଡ ନବରାତ୍ରୀ ଦୁର୍ଗାପୂଜା: ବିଶେଷ ଆକର୍ଷଣ ସାଜିଛି ପାରାୟଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡରେ ଚାଲିଛି ନବରାତ୍ରୀ ଦୁର୍ଗାପୂଜା। ଗତ ୨୨ ତାରିଖ ଦିନ କଳସ ଯାତ୍ରାରୁ ପୂଜା ଆରମ୍ଭ ହୋଇଥିବା ବେଳେ ଆଜି ପଞ୍ଚମୀ ପୂଜା ଚାଲିଛି। ପୂଜା ଆରମ୍ଭ ଦିନରୁ ୨୭ ତାରିଖ ଯାଏଁ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଚାଲି ଆସୁଛି। ବଲାଙ୍ଗୀରର ପ୍ରୀତିନନ୍ଦା ମିଶ୍ର ଓ ଶୃତିନନ୍ଦା ମିଶ୍ରଙ୍କ ପାରାୟଣ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବାନ୍ଧି ରଖିବାରେ ବେଶ ସକ୍ଷମ ହୋଇପାରିଛି। ପାଞ୍ଚ ଦିନ ଧରି ପାରାୟଣ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ପାଲଟିଛି। ଦୁଇ ପାରାୟଣ ଗାୟିକାଙ୍କ ସୁମଧୁର ସ୍ଵରରେ ଦର୍ଶକ ବିଭୋର ହୋଇ କୃଷ୍ଣ ଭକ୍ତିରେ ଝୁମି ଉଠୁଥିବା ଦେଖିବାକୁ ମିଳୁଛି। ୨୮ ରେ ସୁରେଶ ସୁନାଙ୍କ ଦିଲୱାଲା ମେଲୋଡି, ୨୯ ରେ ଟିଟିଲାଗଡ଼ର ନିଉ ଲାଇଫ ଡେନ୍ସ ଗୃପର ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ ରହିଥିବା ବେଳେ ୩୦ ତାରିଖରେ ମା ଠାକୁରାଣୀ ନାଟ୍ୟ ଅନୁଷ୍ଠାନ ବାଗ ବହାଲିର ନାଟକ ‘ମାୟା ନଗରୀରେ କୁଟ ଚକ୍ରାନ୍ତ’ ଭଳି ମନୋରଞ୍ଜନର କାର୍ଯ୍ୟକ୍ରମ ଦର୍ଶକଙ୍କ ପାଇଁ ରଖିଛି କମିଟି। ହେଲେ ଲଘୁଚାପ ଜନିତ ବର୍ଷା ପୂଜା ମାହୋଲକୁ ବିଗାଡ଼ି ଦେଉଛି। ପୂଜା ପରିଚାଳନା କମିଟିର ସଭାପତି ହମେଶ କୁମାର ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ କମିଟିର ଉପ ସଭାପତି ସୌମ୍ୟ ରଞ୍ଜନ ପରିଡ଼ା, ସମ୍ପାଦକ ବିମଲ କୁମାର କେଡିଆ, ସହ ସମ୍ପାଦକ ଓମ୍ ପ୍ରକାଶ ପୂଝାରୀ, ବରିଷ୍ଠ ସଦସ୍ୟ ରାଜା ପରିଡା, ବିନାୟକ ମହନ୍ତ, ଅମର ରାଉତ, ବାବୁଲା ରାଉତ, ରାଜିନ ସାହୁ, ମାର୍ଗଦର୍ଶକ ଜହରଲାଲ ବିଶ୍ଵାଳ ପ୍ରମୁଖ ବିଭିନ୍ନ ଦାୟୀତ୍ୱରେ ରହି ପୂଜା ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରୁ ଆସିଥିବା ବ୍ରହ୍ମା ପଣ୍ଡିତ କୃପାସିନ୍ଧୁ ରଥ ଓ ତାଙ୍କ ସହଯୋଗୀ ପୂଜକ ଦଳ ପୂଜନ କାର୍ଯ୍ୟ ନିର୍ବାହନ କରୁଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.