ବାଲିଆପାଳ ଠାରେ ଜିଲ୍ଲାପାଳ ଉଦଘାଟନ କଲେ ଆଧୁନିକ ଝୋଟଜନିତ ଉତ୍ପାଦ ନିର୍ମାଣ ୟୁନିଟ୍

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲିଆପାଳ ଝୋଟ ଫାର୍ମର ପ୍ରୋଡ୍ୟୁସର୍ସ ଅର୍ଗାନାଇଜେଶନ୍‌ (FPO) ଦ୍ୱାରା ପରିଚାଳିତ ଆଧୁନିକ ଝୋଟ ଡାଇଭର୍ସିଫାଇଡ୍ ପ୍ରୋଡକ୍ଟ ନିର୍ମାଣ ୟୁନିଟ‌ର ଉଦଘାଟନ କରିଛନ୍ତି ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ। ଓର୍ମାସ, ବାଲେଶ୍ୱର ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ପ୍ରୟାସ ଗ୍ରାମୀଣ ଜୀବିକା ସୁଦୃଢ କରିବା ସହିତ ଝୋଟ ଭିତ୍ତିକ ବିବିଧ ଉତ୍ପାଦ ପ୍ରସ୍ତୁତିକୁ ପ୍ରୋତ୍ସାହନ ଦେବ। ଏହି ୟୁନିଟ୍‌ ମାଧ୍ୟମରେ ସ୍ଥାନୀୟ ଗୋଷ୍ଠୀ ଓ ଶିଳ୍ପୀମାନେ କୌଶଳ ଉନ୍ନୟନ, ଆୟ ସୃଷ୍ଟି ଓ ବଜାର ସୁବିଧା ପାଇବେ। ପଂଚାୟତରାଜ ଓ ପାନୀୟଜଳ ବିଭାଗ ଅଧୀନରେ ଓର୍ମାସ ଦ୍ଵାରା ଗଠିତ ଏହି ଏଫପିଓ ସାମୂହିକ କୃଷିକୁ ମଜବୁତ କରିବା, ଭଲ ବଜାର ପ୍ରବେଶ ସୁନିଶ୍ଚିତ କରିବା ଏବଂ ଚାଷୀମାନଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ କରିଛି। ଜିଲ୍ଲାପାଳ ଶ୍ରୀ ବିକାଶ ଉଦ୍‌ଘାଟନ ସମାରୋହରେ, କର୍ଯ୍ୟକାରୀ ସଂସ୍ଥାମାନଙ୍କ ପ୍ରୟାସକୁ ସ୍ୱାଗତ କରିଥିଲେ ଓ ଝୋଟ ପ୍ଲାଷ୍ଟିକର ବିକଳ୍ପ ହୋଇପାରିବ ବୋଲି ମଧ୍ୟ ପ୍ରେରଣା ଦେଇଥିଲେ। ଉପସ୍ଥିତ ଅଧିକାରୀ ଓ ପିଆରଆଇ ସଦସ୍ୟଙ୍କ ଦ୍ୱାରା କ୍ଷମତାବର୍ଦ୍ଧନ ଓ ବଜାର ସୁବିଧା ପାଇଁ ଲଗାତାର ସଂସ୍ଥାଗତ ସହଯୋଗ ଦେବାକୁ ଆଶ୍ୱାସନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଉପ-ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବାଲିଆପାଳ, ଆରଏମସି ସଚିବ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, ଓର୍ମାସ ଓ ମିଶନ୍ ଶକ୍ତିର ବରିଷ୍ଠ ଅଧିକାରୀମାନେ ଏବଂ ପିଆରଆଇ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଏହି ପ୍ରୟାସ, ସ୍ଥାନୀୟ ଶିଳ୍ପୀମାନେ ଓ ମହିଳା ଏଫପିଓ ସଦସ୍ୟାମାନଙ୍କ ପାଇଁ ଜୀବିକା ସୁଯୋଗ ସୃଷ୍ଟି ସହିତ ପରିବେଶ ସୁରକ୍ଷାକୁ ସୁଦୃଢ କରିବାରେ ସାହାଯ୍ୟ କରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.