ରାସ୍ତାରେ ଓଲଟିପଡ଼ିଲା ଗ୍ୟାସ ବୋଝେଇ ଟ୍ୟାଙ୍କର: ଡ୍ରାଇଭର ଗୁରୁତର

ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ଆଶଙ୍କା

ଘଟଣାସ୍ଥଳରେ ପହଞ୍ଚିଲେ ଉପଜିଲ୍ଲାପାଳ, ପୁଲିସ, ଅଗ୍ନିଶମ ଓ ପରିବହନ ବିଭାଗ

ଛତିକୁଡାରୁ ସିକେରକୁପା ରାସ୍ତାରେ ଯାତାୟତ ଠପ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ସନ୍ଧ୍ୟା ପ୍ରାୟ ପାଞ୍ଚଟା ସମୟରେ ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ଅନ୍ୟ ଏକ ଟ୍ରକକୁ ସାଇଡ ଦେବାକୁ ଯାଇ ଗୋଟିଏ ଗ୍ୟାସ ଟ୍ୟାଙ୍କର ରାସ୍ତା ଉପରେ ସଂପୂର୍ଣ୍ଣ ଓଲଟି ପଡ଼ିଛି। ଦୁର୍ଘଟଣା ଏତେ ଜୋର ଥିଲା ଯେ, ଗ୍ୟାସ ଟ୍ୟାଙ୍କର କିଛି ମିଟର ଘୋଷାଡ଼ି ହୋଇ ଯିବା ସହ ଇଞ୍ଜିନ ଚୂରମାର ହୋଇଯାଇଛି। ଗୁରୁତର ଡ୍ରାଇଭରକୁ ଉଦ୍ଧାର କରି ଆମ୍ବୁଲାନ୍ସ ନମିଳିବାରୁ ଏକ ପିକଅପ ଯୋଗେ ଡାକ୍ତରଖାନା ପଠାଯାଇଛି। ଏହି ଟ୍ୟାଙ୍କରଟି ବିଶାଖାପାଟଣାରୁ ଗ୍ୟାସ ବୋଝେଇ କରି ବଲାଙ୍ଗୀର ଯାଉଥିଲା। ତେବେ ଟ୍ୟାଙ୍କର ଓଲଟି ପଡ଼ିଥିବାବେଳେ ଗ୍ୟାସ ନିର୍ଗତ ହେବା ଆଶଙ୍କା ସୃଷ୍ଟି ହେବାରୁ ନର୍ଲା ଅଗ୍ନିଶମ ବିଭାଗ, ନର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ସମ୍ବେଦନଶୀଳ ଥିବାରୁ ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହିପରି ନର୍ଲା ତହସିଲଦାର, ଗ୍ୟାସ ସେଫଟି ବିଭାଗ ଓ ଜିଲ୍ଲା ପରିବହନ ବିଭାଗ ମଧ୍ୟ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ତେବେ ଟ୍ୟାଙ୍କରରେ ଅତି ଦହନଶୀଳ ଏଲପିଜି ଗ୍ୟାସ ଥିବା ଓ ଏହା ନିର୍ଗତ ହେବା ଆଶଙ୍କା ଥିବାରୁ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଚଳାଚଳ ଉପରେ ରୋକ ଲଗାଇଛି ପ୍ରଶାସନ। ଫଳରେ ଭବାନୀପାଟଣା-ରାୟଗଡା ୬ ନମ୍ବର ରାଜ୍ୟ ରାଜପଥର ଛତିକୁଡ଼ାରୁ-ସିକେରକୁପା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଠପ ହୋଇଯାଇଛି। ଘଟଣା ସମ୍ପର୍କରେ ପୁଲିସ ଓ ପ୍ରଶାସନ ତୀକ୍ଷଣ ନଜର ରଖିଥିବାବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ବନ୍ଦ ରହିଛି। ସେହିପରି ଦୁର୍ଘଟଣା ଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଥିବା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.