ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନରେ ଆଞ୍ଚଳିକ ପ୍ରସଙ୍ଗ ଉଠାଇ ଚର୍ଚ୍ଚାରେ ରହିଛନ୍ତି ବସ୍ତା ବିଧାୟିକା ସୁବାସିନୀ ଜେନା। ଏ ପ୍ରସଙ୍ଗରେ ତାଙ୍କର ଯୋଗଦାନ ବେଶ୍ ପ୍ରଭାବଶାଳୀ ଥିଲା ବୋଲି ଜଣାପଡିଛି। ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ୧୮ ଟି କାର୍ଯ୍ଯ ଦିବସ ପୂର୍ବରୁ ବନ୍ଦ ହୋଇଯାଇଛି। ଫଳରେ ଚାଲିଥିବା ୧୧ଟି ଦିବସରେ ବିଧାୟିକା ଜେନା ୮୫ଟି ପ୍ରଶ୍ନ ଗୃହରେ ଉପସ୍ଥାପିତ କରିଥିଲେ। ସେଥିମଧ୍ୟରୁ ଆନ୍ତରାଜ୍ଯ ଗମନାଗମନର ସୁବିଧା ପାଇଁ ବାଲିଆପାଳ ବ୍ଲକ ଜାମକୁଣ୍ଡାର ପନ୍ତେଇ ଠାରେ ସୁବର୍ଣ୍ଣରେଖା ନଦୀ ଉପରେ ପୂର୍ତ୍ତ ବିଭାଗ ଦ୍ବାରା ଚାଲିଥିବା ପୋଲ ନିର୍ମାଣ, ସୁବର୍ଣ୍ଣରେଖା ନଦୀ କୂଳରେ ଥିବା ଅସ୍ତି ପଞ୍ଚାୟତର ବଢାପାଳ ଦତ୍ତସାହି, ବଡଖାନପୁର, ବିଷ୍ଣୁପୁର ପଞ୍ଚାୟତର ଇକଡପାଳ, ରସଲପୁର, ବିଷ୍ଣୁପୁର, ଚଉମୁଖ ପଞ୍ଚାୟତର କଙ୍କଡାପାଳ, ନିଖିରା ପଞ୍ଚାୟତର ପାଳବେଗୁନିଆ, ଚଡପାଳପଡା ଓ କୁମ୍ଭାରୀ ଗ୍ରାମପଞ୍ଚାୟତର ନୂଆସାହି, ଝଲଝଲିଆ ଗ୍ରାମରେ ଥିବା ଦୁର୍ବଳ ନଦୀବନ୍ଧର ପଥର ପ୍ଯାଚିଂ ଓ ସୁଦୃଢୀକରଣ ପାଇଁ ସରକାରଙ୍କ ପଦକ୍ଷେପ ସମ୍ବନ୍ଧରେ, ରାଜ୍ଯ ସରକାରଙ୍କର ଫ୍ଲାଗସିପ କାର୍ଯ୍ଯକ୍ରମ ମଧ୍ଯରୁ କେଉଁ ଯୋଜନାରେ ବ୍ଯୟ କମ ଓ ଖର୍ଚ୍ଚ ବଢାଇବା ପାଇଁ ପଦକ୍ଷେପ ପ୍ରମୁଖ ପ୍ରସଙ୍ଗ ଉଠାଇଥିଲେ । ତେବେ ରାଜ୍ଯରେ ପ୍ରାଥମିକ ବିଦ୍ଯାଳୟ ମାନଙ୍କରେ ଡ୍ରପ୍ ଆଉଟ୍ ହାର ପ୍ରସଙ୍ଗ ବିଧାୟିକା ସୁବାସିନୀ ଜେନାଙ୍କର ମୂଳ ପ୍ରଶ୍ନ ଥିବା ବେଳେ ଗୃହରେ ଅନ୍ଯ ସଦସ୍ଯମାନେ ଏଥିରେ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ। ଏହି ପ୍ରସଙ୍ଗ ସେହିଦିନ ରାଜ୍ଯର ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା।
ସେହିଭଳି ନଭେମ୍ବର ୧୭ ତାରିଖ ଦିନ ବାଲିଆପାଳ ବ୍ଲକର ବିଷ୍ଣୁପୁର ପଞ୍ଚାୟତର ୧୦ ମାସର ଶିଶୁକୁ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ଆଣ୍ଡ ହସପିଟଲ ନିଆଯିବା ବାଟରେ ଅକ୍ସିଜେନ ଅଭାବରୁ ମୃତ୍ଯୁ ପ୍ରସଙ୍ଗକୁ ବିଧାୟିକା ଜେନା ବିଧାନସଭାର ଶୂନ୍ଯକାଳରେ ଉଠାଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ।
ସେହିଭଳି ରାଜ୍ଯର ପ୍ରାଥମିକ ଶିକ୍ଷକ ମାନଙ୍କର ଦୁଇଟି ଦାବି ଓ ଆଦର୍ଶ ବିଦ୍ଯାଳୟର ଶିକ୍ଷକ ମାନଙ୍କୁ ସରକାରୀ ଶିକ୍ଷକ ଭାବେ ମାନ୍ୟତା ପ୍ରଦାନ ସହିତ ବିଭିନ୍ନ ଦାବି ପ୍ରସଙ୍ଗ ବିଧାୟିକା ଜେନା ମଙ୍ଗଳବାର ଦିନ ଶୂନ୍ଯକାଳରେ ଉତଥାପନ କରିଥିଲେ । ବିଧାନସଭାରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ଯରେ ନାରୀ ନିର୍ଯ୍ଯାତନା ଉପରେ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରି ଭଦ୍ରକ ଅରଞ୍ଜି ଗ୍ରାମରେ ଜନୈକା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ଯାଙ୍କ କନ୍ଯା ଉପରେ ଅତ୍ଯାଚାର ପ୍ରସଙ୍ଗ ଉଠାଇ ମହିଳା ସୁରକ୍ଷା ପାଇଁ ଦାବୀ କରିଥିଲେ। ତେବେ ୨୦୨୫-୨୬ ରାଜ୍ଯ ଅତିରିକ୍ତ ବଜେଟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚଦାବୀ ଉପରେ ଆଲୋଚନା ରାଜ୍ଯ ସାରା ଚର୍ଚ୍ଚାର ବିଷୟ ହୋଇଥିଲା। ପାଣିକୁ ନେଇ ଆଗାମୀ ଦିନରେ କିଭଳି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ସେ ପ୍ରସଙ୍ଗରେ ଗୃହକୁ ଅବଗତ କରାଇଥିଲେ। ତେବେ ସମଗ୍ର ରାଜ୍ଯ ପରିପ୍ରେକ୍ଷୀରେ ଏହି ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ମଧ୍ୟ ସେ ନିଜ ଅଞ୍ଚଳରେ କାର୍ଯ୍ଯକ୍ଷମ ହୋଇ ପାରୁନଥିବା ମେଗା ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗ ଉଠାଇଥିଲେ। ୨୦୨୧ ମସିହାରେ ବାଲିଆପାଳ ବ୍ଲକର ୨୧ ଟି ପଞ୍ଚାୟତର ୧୪୪ଟି ଗ୍ରାମକୁ ନେଇ ମେଗା ପାନୀୟ ଜଳ ପ୍ରକଳ୍ପ ୨୦୨୩ ଡିସେମ୍ବର ୮ ତାରିଖ ସୁଦ୍ଧା କାର୍ଯ୍ଯକ୍ଷମ ହେବା କଥା, କିନ୍ତୁ ତାହା ଏ ପର୍ଯ୍ଯନ୍ତ ସମାପ୍ତ କାହିଁକି ହୋଇ ପାରୁନି ବୋଲି ସେ ପ୍ରଶ୍ନ କରି ଗଭୀର ଉଦବେଗ ପ୍ରକାଶ କରିଥିଲେ ।
ତେବେ ବିଧାନସଭାର ଏହି ଶୀତକାଳୀନ ଅଧିବେଶନକୁ ୧୧ଟି କାର୍ଯ୍ଯଦିବସ ମଧ୍ୟରେ ସୀମିତ କରାଯାଇଥିବାରୁ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ପାରିଲେନି ବୋଲି ବିଧାୟିକା ଜେନା ପ୍ରକାଶ କରିଛନ୍ତି । ବସ୍ତା ଓ ବାଲିଆପାଳ ଅଞ୍ଚଳର ପ୍ରସଙ୍ଗ ଭିତ୍ତିକ ଅତିରିକ୍ତ ୧୪୪ ଟି ପ୍ରଶ୍ନ ବିଧାନସଭା ପକ୍ଷରୁ ତାଲିକାଭୁକ୍ତ ହୋଇଥିଲେ ମଧ୍ଯ ଉତଥାପନ ହୋଇପାରିଲା ନାହିଁ ବୋଲି ସେ କହିଛନ୍ତି।





