ବାଲେଶ୍ୱର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦଘାଟିତ ହେଲା ଜିଲ୍ଲା ସ୍ତରୀୟ ଯୁବୋତ୍ସବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଜି ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୬ ତଥା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଫକିରମୋହନ ସ୍ୱୟଂଚାଳିତ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ହୋଇଛି। ଓଡିଶା ସରକାରର କ୍ରୀଡା ଓ ଯୁବସେବା ବିଭାଗ ଏବଂ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ଏହି ଉଦଘାଟନୀ ସଭାରେ ବାଲେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ସଭାପତିତ୍ଵ କରିଥିଲେ। ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ବାଲେଶ୍ୱର ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ଫକୀରମୋହନ କଲେଜ ଅଧ୍ୟକ୍ଷ ଶ୍ରୀ ଦିନେଶ ଚନ୍ଦ୍ର ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିଭା ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ଉପସ୍ଥିତ ଥିଲେ। ଯୁବମାନଙ୍କ ଅନ୍ତର୍ନିହିତ ପ୍ରତିଭା ଓ ନେତୃତ୍ୱ କ୍ଷମତାକୁ ମଞ୍ଚ ଦେବା ହେଉଛି ଏହି ଉତ୍ସବର ପ୍ରମୁଖ ଉଦ୍ଦେଶ୍ୟ। ଯୁବକ ଓ ଯୁବତୀମାନେ ଦେଶର ଭବିଷ୍ୟତ ଭାବେ ଦେଶ ଗଠନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଏହି ଉତ୍ସବ ଆଜି ଓ କାଲି ଦୁଇ ଦିନ ଧରି ଆୟୋଜିତ ହେବ। ଏଥିରେ ସର୍ବମୋଟ ୬୦୦ ପ୍ରତିଯୋଗୀ (ବୟସ ୧୫–୨୯ ବର୍ଷ) ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ମୋଟ ସାତଟି ପ୍ରତିଯୋଗିତା ଆୟୋଜନ କରାଯାଇଛି। ସେଗୁଡିକ ହେଲା ଲୋକନୃତ୍ୟ (ସମୂହ), ଲୋକଗୀତ (ସମୂହ), ବିଜ୍ଞାନ ମେଳା (ସମୂହ), କବିତା ଲେଖନ (ଏକାକୀ), ଗଳ୍ପ ଲେଖନ (ଏକାକୀ), ଚିତ୍ରାଙ୍କନ (ଏକାକୀ), ବକ୍ତୃତା (ଏକାକୀ) ପ୍ରତିଯୋଗିତାର ବିଜୟୀମାନଙ୍କୁ ୧ମ, ୨ୟ ଏବଂ ୩ୟ ସ୍ଥାନ ପାଇଁ ନଗଦ ଅର୍ଥରାଶି ସହ ପୁରସ୍କାର ସହ ସମ୍ମାନିତ କରାଯିବ। ୧ମ ଓ ୨ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ଭାଗ ନେବାର ସୁଯୋଗ ପାଇବେ। ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ଯୁବୋତ୍ସବକୁ ଯୁବ ପ୍ରତିଭା ପ୍ରଦର୍ଶନର ଏକ ମଞ୍ଚ ଭାବେ ଅବତୀର୍ଣ୍ଣ କରା ଯାଇଥିବାରୁ ଯୁବମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.