ଜଣେ ବିଶ୍ବବନ୍ଦିତ ସନ୍ୟାସୀ ତଥା ଯୁବ ସମାଜର ସର୍ବକାଳୀନ ଆଦର୍ଶ ସ୍ବାମୀ ବିବେକାନନ୍ଦ ଉନ୍ନବିଂଶ ଶତାବ୍ଦୀ ରେ ଭାରତବର୍ଷର ନବଜାଗରଣର ଅନ୍ୟତମ ପ୍ରାଣପୁରୁଷ। ଯେତେବେଳେ ଭାରତୀୟ ଜନଜୀବନ ପରାଧିନତା ସାଙ୍ଗକୁ ନାନା ଅନ୍ଧବିଶ୍ବାସ ଓ କୁସଂସ୍କାର ମଧ୍ୟଦେଇ ଗତି କରୁଥିଲା, ସେହି ସମୟରେ ସ୍ବାମୀ ବିବେକାନନ୍ଦଙ୍କ ଆଧ୍ୟାତ୍ମିକ ମାର୍ଗଦର୍ଶନ ଦ୍ବାରା ସମଗ୍ର ବିଶ୍ବ ହିନ୍ଦୁ ଧର୍ମ ତଥା ଭାରତବର୍ଷର ମହାନତା ସମ୍ପର୍କରେ ଅବଗତ ହୋଇଥିଲା। ଆନ୍ତର୍ଜାତିକ ଖ୍ୟାତି ଓ ସ୍ବୀକୃତି ଦୃଷ୍ଟିରୁ ସ୍ବାମୀ ବିବେକାନନ୍ଦଙ୍କ ଜୀବନର ଏକ ମାଇଲ ଖୁଣ୍ଟ ଥିଲା ୧୮୯୩ ମସିହା ସେପ୍ଟମ୍ବର ୧୧ ତାରିଖ। ସେହିଦିନ ଯୁକ୍ତରାଷ୍ଟ୍ର ଆମେରିକାର ଚ଼ିକାଗୋ ସହରରେ ଅନୁଷ୍ଠିତ ହୋଇଥିବା ଧର୍ମ ସମ୍ମିଳନୀରେ ସ୍ବାମୀ ବିବେକାନନ୍ଦ ଯେଉଁ ମର୍ମସ୍ପର୍ଶୀ ଓ ହୃଦୟ ସ୍ପର୍ଶୀ ଉଦବୋଧନ ଦେଇଥିଲେ,ସେଥିରେ ଭରି ରହିଥିଲା ଆଧ୍ୟାତ୍ମିକତାର ତରଙ୍ଗ ଯାହାର କମ୍ପନ ପ୍ରତିଟି ଚ଼େତନ ଯୁକ୍ତ ମନୁଷ୍ୟକୁ ଆଜି ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ପ୍ରେରଣା ପ୍ରଦାନ କରୁଛି। ସେହି ମହାମାନବ ୧୮୬୩ ମସିହା ଜାନୁୟାରୀ ୧୨ ତାରିଖରେ କଲିକତାର ସିମିଳାପଲ୍ଲୀରେ ଜନ୍ମଗ୍ରହଣ କରିଥିଲେ, ତାଙ୍କ ପିତାଙ୍କ ନାମ ବିଶ୍ବନାଥ ଦତ୍ତ ଓ ମାତାଙ୍କ ନାମ ଭୂବନେଶ୍ବରୀ ଦେବୀ। ତାଙ୍କ ପିତା ଜଣେ ବିଶିଷ୍ଟ ଓକିଲ ହୋଇଥିବା ସ୍ଥଳେ ମାତା ଧର୍ମପ୍ରାଣା ମହିଳା ଥିଲେ।ତାଙ୍କ ପିଲା ବେଳ ର ନାମ ଥିଲା ନରେନ୍ଦ୍ର ନାଥ ଦତ୍ତ, ଯିଏ ପରବର୍ତ୍ତୀ କାଳରେ ବିଶ୍ବ ବରେଣ୍ୟ ଯୁଗାଚ଼ାର୍ଯ୍ୟ ସ୍ବାମୀ ବିବେକାନନ୍ଦ ହୋଇଥିଲେ।
କାଶୀର ବୀରେଶ୍ୱର ଶିବଙ୍କର ପ୍ରସନ୍ନତାରୁ ଏହି ପୁତ୍ର ଲାଭ ହୋଇଥିଲା, ତେଣୁ ନାମ ରଖାହେଲା ବୀରେଶ୍ୱର -ଡାକନାମ ‘ବିଲେ’। ଅନ୍ନପ୍ରାଶନ ସମୟରେ ନାମ ଦିଆଗଲା ନରେନ୍ଦ୍ରନାଥ। ଶୈଶବରେ ବିଲେ ବଡ଼ ଅଶାନ୍ତ ଥିଲେ। ଭୁବନେଶ୍ୱରୀ ଦେବୀ ଦୁଃଖ କରି କହୁଥିଲେ, ‘ଶିବଙ୍କୁ ଗୋଟିଏ ପୁଅ ମାଗିଥିଲି, ସେ ଗୋଟିଏ ଭୂତ ପଠାଇ ଦେଲେ।’ ମା’ ଙ୍କଠାରୁ ରାମାୟଣ ମହାଭାରତ ଗଳ୍ପ ଶୁଣିବା ମାଧ୍ୟମରେ ବାଳକର ପ୍ରାଥମିକ ଶିକ୍ଷା ଆରମ୍ଭ ହେଲା।ରାମସୀତାଙ୍କର ମୂର୍ତ୍ତିକୁ ପୁଷ୍ପମାଲ୍ୟରେ ସଜ୍ଜିତ କରିବାକୁ ବିଲେ ଖୁବ୍ ଭଲ ପାଉଥିଲେ। ସଙ୍ଗୀମାନଙ୍କୁ ନେଇ ଶିବମୂର୍ତ୍ତି ସମ୍ମୁଖରେ ବସି ଧ୍ୟାନ କରିବା ଥିଲା ବିଲେର ଅନ୍ୟତମ ପ୍ରିୟ ଖେଳ। ଦିନେ ଛାତଘରେ ଏହି ଧ୍ୟାନର ଖେଳ ଚାଲିଛି, ଏପରି ସମୟରେ ଗୋଟିଏ ଗୋଖର ସାପ ସେଠାରେ ଦେଖାଗଲା; ସଙ୍ଗୀମାନେ ସମସ୍ତେ ଦୌଡ଼ି ପଳାଇଲେ; କିନ୍ତୁ ବିଲେ ଗଭୀର ଧ୍ୟାନମଗ୍ନ। ଚାରିଆଡ଼େ ଚହଳ ପଡ଼ିଗଲା। ସାପଟି ଚାଲିଯିବା ପରେ ଧ୍ୟାନସ୍ଥ ବିଲେକୁ କୋଳ କରି ବାହାରକୁ ଅଣାଗଲା। ପରେ ପଚାରିବାରୁ ବିଲେ କହିଲା, ‘ମୁଁ ତ କିଛି ଜାଣିନି।’ ଶ୍ରୀରାମକୃଷ୍ଣଦେବ କହୁଥିଲେ, ‘ନରେନ୍ ଧ୍ୟାନସିଦ୍ଧ ମହାପୁରୁଷ।’ ଗରିବ ଦୁଃଖୀ ଓ ସାଧୁ ଫକିରଙ୍କ ଉପରେ ବାଳକ ନରେନ୍ଦ୍ରର ଖୁବ୍ ଦରଦ ଥିଲା। ଭିକ୍ଷା ପାଇଁ କେହି ଆସିଲେ ସେ ଚାଉଳ ଡାଲି, ପଇସା, କଉଡ଼ି ଯାହା ପାଏ, ତାହା ଆଣିଦିଏ, ଆଉ କିଛି ନ ପାଇଲେ ଖୋଲି ଦିଏ ନିଜର ପିନ୍ଧାଲୁଗା ଖଣ୍ଡିକ। ସର୍ବହରାମାନଙ୍କ ମୁହଁରେ ହସ ଦେଖି ତା’ର ପ୍ରାଣ ଅପରିସୀମ ତୃପ୍ତିରେ ଭରି ଉଠେ। ଜାତିଭେଦ ସମ୍ବନ୍ଧରେ ବାଳକ ନରେନ୍ର ବିଶେଷ କୌତୁହଳ। ବାପାଙ୍କ ବୈଠକଖାନାରେ ବିଭିନ୍ନ ଜାତିର ମହକିଲମାନଙ୍କର ଅଲଗା ଅଲଗା ହୁକ୍କାରେ ମୁହଁ ଲଗାଇ ଟାଣି ଟାଣି ଦେଖେ-ଜାତି କିପରି ଯାଏ। ଜଣେ ମୁସଲମାନ ମହକିଲ ଥରେ ଆଦର କରି ନରେନ୍କୁ ଭଲ ଭଲ ସନ୍ଦେଶ ଖୁଆଇ ଦେଲେ। ମା’ ତାହା ଦେଖି କହିଲେ, ‘ଅନ୍ୟ ଜାତିର ଛୁଆଁ ଖାଇଲେ ଜାତି ଯାଏ।’ କିନ୍ତୁ ଜାତି କିପରି ଯାଏ, ତାହା ହିଁ ହେଲା ନରେନ୍ର ଚିନ୍ତାର ବିଷୟ।
ଛ’ ବର୍ଷ ବୟସରେ ସ୍କୁଲରେ ନରେନ୍ଦ୍ରଙ୍କର ନାମ ଲେଖା ହେଲା, କିନ୍ତୁ ସେ ଇଂରାଜୀ ପଢ଼ିବାକୁ ରାଜି ହେଲା ନାହିଁ। ‘ସେ ତ ବିଦେଶୀ ଭାଷା, କାହିଁକି ପଢ଼ିବି? ତା’ଠାରୁ ମାତୃଭାଷା ତ ଶିଖିବା ଭଲ।’-ଏହା ଥିଲା ତାଙ୍କର କଥା। ଅନେକ ବୁଝାଇବା ପରେ କିଛି ମାସ ପରେ ନରେନ୍ଦ୍ର ଇଂରାଜୀ ପଢ଼ିବାକୁ ଆରମ୍ଭ କଲେ। ପ୍ରଖର ମେଧା, ଅଦ୍ଭୁତ ଧୀଶକ୍ତି ନେଇ ସେ ଜନ୍ମଗ୍ରହଣ କରିଥିଲେ। ଥରେ ଯାହା ପଢ଼ୁଥିଲେ କେବେ ତାହା ଭୁଲୁ ନ ଥିଲେ। ସ୍କୁଲର ପାଠ୍ୟ-ପ୍ରସ୍ତୁତି ପାଇଁ ତାଙ୍କୁ ଅତି ଅଳ୍ପ ସମୟ ଲାଗୁଥିଲା। ବାକି ସମୟତକ ଖେଳାଖେଳି, କୁସ୍ତି, ଆଖଡ଼ା, ପହଁରିବା ବା ଅଭିନୟ କରିବାରେ କିମ୍ବା କଳକବ୍ଜା ତିଆରି ଇତ୍ୟାଦିରେ କଟି ଯାଉଥିଲା। ନରେନ୍ଦ୍ର ଖୁବ୍ ଏକଜିଦିଆ ଓ ଦୁଷ୍ଟ ଥିଲେ। ଭୂତଭୟ, ବ୍ରହ୍ମଦୈତ୍ୟଭୟ, କୋକବାୟାଭୟ ଏସବୁ ହସି ଉଡ଼େଇ ଦେଉଥିଲେ। ଆମେରିକାରୁ ଫେରିବାପରେ ବିବେକାନନ୍ଦ ଦିନେ ଶିଷ୍ୟମାନଙ୍କୁ ହସି ହସି କହିଥିଲେ, ‘ପିଲାଦିନେ ମୁଁ ଖୁବ୍ ଦୁଷ୍ଟ ଥିଲି। ତା ନ ହେଲେ ଏହି ଭାବରେ ଦୁନିଆସାରା ମୁଁ କଅଣ ଘୂରିଆସି ପାରିଥାନ୍ତି କିରେ?’ ବାଲ୍ୟକାଳରୁ ନରେନ୍ଦ୍ରଙ୍କର ସ୍ୱଭାବ ଥିଲା ଅତିଶୟ ନିର୍ମଳ। ପଢ଼ାପଢ଼ିରେ ତାଙ୍କର ବିଶେଷ ଅନୁରାଗ ଥିଲା। ସ୍କୁଲ ପାଠ୍ୟ ଛଡ଼ା ନାନା ବିଷୟ ପଢ଼ିବାକୁ ସେ ଭଲ ପାଉଥିଲେ। ତାଙ୍କର ଜ୍ଞାନାର୍ଜନ ସ୍ପୃହା ଓ ଧାରଣାଶକ୍ତି ଅତି ଅଦ୍ଭୁତ ଥିଲା। ଏଣ୍ଟ୍ରାନ୍ସ ପାଶ୍ କରିବା ପୂର୍ବରୁ ସମୁଦାୟ ଭାରତର ଇତିହାସ ସେ ଆୟତ୍ତ କରିଥିଲେ। ସାହିତ୍ୟରେ ମଧ୍ୟ ତାଙ୍କର ବିଶେଷ ପ୍ରୀତି ଥିଲା। କଲେଜ୍ରେ ପ୍ରବେଶ କରି ନରେନ୍ଦ୍ରଙ୍କର ଜ୍ଞାନସ୍ପୃହା ବଢ଼ିଗଲା। ସେ ପାଶ୍ଚାତ୍ୟ ଦର୍ଶନ, ନ୍ୟାୟଶାସ୍ତ୍ର, ବୈଜ୍ଞାନିକ ଆବିଷ୍କାର ଓ ଦେଶବିଦେଶର ଇତିହାସ ପ୍ରଭୃତି ବିଶେଷ ଆଗ୍ରହ ସହକାରେ ପଢ଼ିବାକୁ ଲାଗିଲେ। ଶରୀରଚର୍ଚ୍ଚା ଏବଂ ସଙ୍ଗୀତରେ ମଧ୍ୟ ତାଙ୍କର ବିଶେଷ ଉତ୍ସାହ ଥିଲା। ଗଳିରେ ନବଗୋପାଳ ମିତ୍ରଙ୍କ ଆଖଡ଼ାରେ ନିୟମିତ କୁସ୍ତି, ଲାଠିଖେଳ ପ୍ରଭୃତି ଅଭ୍ୟାସ କରୁଥିଲେ। ସ୍ବାମୀ ଜୀ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ।
ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ। ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ। ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା। ମାତ୍ର ୨୬ ବର୍ଷ ବୟସରେ ସେ ସନ୍ୟାସୀ ହୋଇଥିଲେ।
ମାତୃଭୂମିର ସ୍ବର୍ଣ୍ଣିମ ଅତୀତକୁ ଫେରାଇ ଆଣିବା ପାଇଁ ୧୮୯୧ ଖ୍ରୀଷ୍ଟାବ୍ଦରେ ସନ୍ୟାସୀ ଭ୍ରାତା ମାନଙ୍କ ସଙ୍ଗ ପରିତ୍ୟାଗ କରି ଏକାକୀ ଈଶ୍ବର ଙ୍କ ଶରଣାପନ୍ନ ହୋଇ ଭାରତର ବିଭିନ୍ନ ସ୍ଥାନ ପଦବ୍ରଜରେ ପରିଭ୍ରମଣ କରି ୧୮୯୨ ମସିହା ଡ଼ିସେମ୍ବର ୨୫ ରୁ ୨୭ ତାରିଖ ଦିନ କନ୍ୟାକୁମାରୀ ଠାରେ ଭାରତ ମହାସାଗର ମଧ୍ୟରେ ଏକ ଶିଳାଖଣ୍ଡ ଉପରେ ବସି ଗଭୀର ଭାବରେ ଧ୍ୟାନମଗ୍ନ ହୋଇଥିଲେ। “ଭାରତମାତା” ଙ୍କୁ ଧ୍ୟାନ କରି ସ୍ବାମୀ ବିବେକାନନ୍ଦ ଧ୍ୟାନ ଚ଼କ୍ଷୁରେ ଦେଖିଥିଲେ ଭାରତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ।ସେହି ସମୟରେ ସତେ ଯେପରି ସାଗର ଉପରେ ବିଚ଼ରଣ କରି ଗୁରୁ ଶ୍ରୀ ରାମକୃଷ୍ଣ ତାଙ୍କୁ ଆହ୍ବାନ ଦେଇ କହୁଛନ୍ତି ଯା ଲଙ୍ଘିଯା ଏ ସମୁଦ୍ର ଦୂର ଦେଶେ ଯାଇ ଭାରତର ବାର୍ତ୍ତା ପହଞ୍ଚାଇ ଦେ। ଧ୍ୟାନମଗ୍ନ ହେଲା ପରେ ସ୍ବାମୀ ବିବେକାନନ୍ଦ ଭାରତର ପ୍ରତିନିଧି ହିସାବରେ ଯିବାକୁ ମନସ୍ଥ କରି କଲିକତା କୁ ଫେରି ଆସିଥିଲେ।ତାଙ୍କର ଏହି ଇଚ୍ଛା ଦୈବନିର୍ଦ୍ଦିଷ୍ଟ ବୋଲି ଇଙ୍ଗିତ ପାଇବା ପରେ ସ୍ବାମୀଜୀ ବିଦେଶ ଯିବା ନିମନ୍ତେ ସ୍ଥିର କରି ଯୁବକ ଶିଷ୍ୟ ମାନଙ୍କ ଦ୍ବାରା ଉପଲବ୍ଧି କିଛି ଅର୍ଥ ଏବଂ ମହୀଶୂର, ରାମନାଦ ଓ ଖେତଡ଼ିର ମହାରାଜାଙ୍କ ଦିଆଯାଇଥିବା ଆର୍ଥିକ ସହାୟତା ନେଇ ସ୍ବାମୀ ବିବେକାନନ୍ଦ ୧୮୯୩ ମସିହା ମେ’ ମାସ ୩୧ ତାରିଖ ଦିନ ବମ୍ବେ ଠାରୁ ପେନିନସୁଲାର ଜାହାଜ ସାହାର୍ଯ୍ୟରେ ଆମେରିକା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।
ଚ଼ିକାଗୋରେ ଅନୁଷ୍ଠିତ ଧର୍ମସଭାର ପ୍ରଥମ ଅଧିବେଶନ ୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖ ସୋମବାର ଦିନ ଆର୍ଟ ଇନଷ୍ଟିଚ୍ୟୁଟର ପ୍ରଶସ୍ତ ସଭାଗୃହ କଲମ୍ବସ ହଲ୍ ରେ ହୋଇଥିଲା ଆବାହନ ପ୍ରାର୍ଥନା ସଙ୍ଗୀତ ଦ୍ବାରା ୪୦୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ସମାବେଶରେ ଉଦଘାଟିତ ହୋଇଥିଲା। ସେଦିନର ସଭା ଅଧ୍ୟକ୍ଷ ପ୍ରତିନିଧିମାନଙ୍କର ପରିଚ଼ୟ ପ୍ରଦାନ କରିବା ପରେ ଅନ୍ୟ ଧର୍ମର ପ୍ରତିନିଧି ମାନେ ଲିଖିତ ଅଭିଭାଷଣ ପାଠ କରିଥିବା ବେଳେ ସ୍ବାମୀ ବିବେକାନନ୍ଦ ତାଙ୍କର ଅଭିଭାଷଣ ନିଜ ମୁଖରେ କହିଥିଲେ।ଅଧିବେଶନରେ ଉଦ୍ଦିଷ୍ଟ ମଞ୍ଚ ଉପରେ ଠିଆ ହୋଇ ମନେ ମନେ ମା’ ସରସ୍ବତୀଙ୍କୁ ପ୍ରଣାମ ଜଣାଇ ପ୍ରଥମେ ଜଣାଇଥିଲେ ସମ୍ବୋଧନ। ହେ ମୋର ଆମେରିକାବାସୀ ଭଗିନୀ ଓ ଭ୍ରାତୃଗଣ,ଏତିକି ସଭାଗୃହରେ ଏକ ଅପୂର୍ବ ଉନ୍ମାଦନା ର ଲହରୀ ଶ୍ରୋତାମାନଙ୍କ ମଧ୍ୟରେ ସଂଚ଼ରିତ ହୋଇଥିଲା ଏବଂ ସମସ୍ତ ଜନ ଗଣ ଆନନ୍ଦ ରେ ଦୁଇ ମିନିଟ କରତାଳି ପ୍ରଦାନ କରିଥିଲେ। ସ୍ବାମୀଜୀ ତାଙ୍କର ଉଦବୋଧନରେ ବିଶ୍ବ ଭ୍ରାତୃତ୍ବର “ଆତ୍ମିୟତା”କୁ ପ୍ରାଧାନ୍ୟ ଦେବାରୁ ଶ୍ରୋତାମାନଙ୍କ ହୃଦୟର ଗଭୀରତମ ସୂତ୍ରଟିକୁ ସ୍ପର୍ଶ କରିଥିଲା। କରତାଳି ସମାପ୍ତ ହେବା ପରେ ସ୍ବାମୀଜୀ ସଂକ୍ଷିପ୍ତ ବକ୍ତୂତା ପ୍ରଦାନ କରିଥିଲେ। ପ୍ରଥମ ଦିନ ସ୍ବାମୀଜୀ ନିଜ ଅଭିଭାଷଣରେ କହିଥିଲେ ଯେଉଁ ଧର୍ମ ଜଗତକୁ ଆବାହମାନ କାଳରୁ ପରମ ସହିଷ୍ଣୁତା ଓ ସର୍ବବିଧିମତ ସ୍ବୀକାର କରିବାକୁ ଶିକ୍ଷା ଦେଇ ଆସୁଛି, ମୁଁ ସେହି ଧର୍ମଭୂକ୍ତ ବୋଲି ନିଜକୁ ଗୌରବାନ୍ବିତ ବୋଲି ମନେକରେ। ସେପ୍ଟେମ୍ବର ୧୫ ତାରିଖ “ଭାତୃଭାବ” ପ୍ରସଙ୍ଗରେ କହିଥିଲେ ମୁଁ ଜଣେ ହିନ୍ଦୁ, ମୁଁ ଜଣେ ବୌଦ୍ଧ, ମୁଁ ଜଣେ ମୁସଲମାନ ଏପରି ନ ଭାବି ମୁ ଜଣେ ମନୁଷ୍ୟ ବୋଲି ଭାବିବା ଉଚ଼ିତ। ଧର୍ମସଭାର ବିଦାୟୀ ଭାଷଣ ଥିଲା ସେପ୍ଟେମ୍ବର ୨୭ ତାରିଖ।ସେଦିନର ବିଷୟ ବସ୍ତୁ ଥିଲା “ବୌଦ୍ଧଧର୍ମ ସହିତ ହିନ୍ଦୁଧର୍ମର ସଂପର୍କ”। ସ୍ବାମୀଜୀ କହିଥିଲେ, ହେ ବୌଦ୍ଧଗଣ, ବୌଦ୍ଧଧର୍ମ ବ୍ୟତୀତ ହିନ୍ଦୁ ଧର୍ମ ବଞ୍ଚିପାରେନା, ଠିକ୍ ସେହିପରି ହିନ୍ଦୁ ଧର୍ମକୁ ଛାଡ଼ି ବୌଦ୍ଧ ଧର୍ମ ବଞ୍ଚିପାରେ ନାହିଁ। ଏହାରି ଉପରେ ସ୍ବାମୀଜୀ ବକ୍ତୃତା ରଖିଥିଲେ। ତେବେ ଏହି ୧୭ ଦିନ ଧରି ସାମଗ୍ରିକ ଭାଷଣ ଦେଇ ସମସ୍ତଙ୍କ ହୃଦୟକୁ ଜୟ କରିପାରିଥିଲେ ସ୍ବାମୀ ବିବେକାନନ୍ଦ। ତାଙ୍କର ସମସ୍ତ ବକ୍ତୃତା ଅଗ୍ନିଶିଖା ସଦୃଶ ଥିଲା, ଯାହାକି ଶ୍ରୋତାମାନଙ୍କର ହୃଦୟକୁ ଛୁଇଁପାରୁଥିଲା। ସେହି ଶ୍ରେଷ୍ଠ ପୁରୁଷ, ବହୁମୁଖୀ ପ୍ରତିଭାର ଅଧିକାରୀ ସ୍ବାମୀ ବିବେକାନନ୍ଦ ଜୀ ୧୯୦୨ ମସିହା ଜୁଲାଇ ୪ ତାରିଖରେ ସମଗ୍ର ଦେଶବାସୀଙ୍କୁ ଶୋକସାଗରେରେ ଭସାଇ ଚ଼ାଲିଗଲେ।
ବିଶ୍ବବିଜୟୀ ଦାଶ
ଗମ୍ଭାରିମୁଣ୍ଡା,ବାଣପୁର, ଖୋର୍ଦ୍ଧା
ପିନ୍- ୭୫୨୦୩୫
ମୋବାଇଲ ନଂ: ୬୩୭୦୨୦୮୪୨୮





