ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ ପର୍ବ ମକର ସଂକ୍ରାନ୍ତି 

ମକର ସଂକ୍ରାନ୍ତି ଦିନ ଠାରୁ ପ୍ରକୃତିରେ ଦିବ୍ୟ ବାତାବରଣ ସୃଷ୍ଟି ହେବା ସହିତ ଜନଜୀବନରେ ନୂତନ ଉନ୍ମାଦନା ଓ ଆଶାର ସଂଚାର ହୋଇଥାଏ। ଏହି ଦିନ ପ୍ରୟାଗ ସଙ୍ଗମ, ଗଙ୍ଗା ଓ ଅନ୍ୟ ପବିତ୍ର ନଦୀରେ ଗାଧୋଇଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ମାନ୍ୟତା ରହିଛି। ସ୍ନାନ ସାରିବା ପରେ ଘୃତଅର୍ଘ୍ୟ ଦେଇ ସୂର୍ଯ୍ୟ ସହସ୍ର ନାମ ପାଠ କରିବା ସହିତ ବିଧିବଦ୍ଧ ଭାବେ ସୂର୍ଯ୍ୟପୂଜା ଓ ଆଦିତ୍ୟ ହୃଦୟସ୍ତୋତ୍ରମ‌୍‍ ପାଠ କରିବାର ବିଧି ରହିଛି। ଏହାସହିତ ଗାୟତ୍ରୀ ମନ୍ତ୍ର ପାଠ କରିବା ସୂର୍ଯ୍ୟ ପୂଜାର ଆଉ ଏକ ଅଂଶବିଶେଷ। ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ ଏହି ପର୍ବରେ ସ୍ନାନାଦି କର୍ମ ଓ ଦାନଧର୍ମ କରିବାରେ ବିଶେଷ ଫଳପ୍ରାପ୍ତିର ଯୋଗ ରହିଥାଏ। ସୂର୍ଯ୍ୟଙ୍କୁ ଏହି ଦିନ ଉପାସନା କରିବା ଦ୍ୱାରା ଶାରୀରିକ, ଭୌତିକ ଓ ମାନସିକ ସମସ୍ୟାରୁ ମୁକ୍ତି ମିଳେ। ପୌରାଣିକ ମତାନୁଯାୟୀ, ମକର ସଂକ୍ରାନ୍ତି ଦିନ ଗଙ୍ଗା ଭଗୀରଥଙ୍କ ପଛେ ପଛେ ଯାଇ ସାଗରରେ ମିଶିଥିଲେ। ସୂର୍ଯ୍ୟ କର୍କଟ କ୍ରାନ୍ତିରେ ଥିବା ବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା। ଇଚ୍ଛାମୃତ୍ୟୁ ବରଦାନ ପାଇଥିବାରୁ ଭୀଷ୍ମ ଶରଶଯ୍ୟାରେ ଶୋଇ ଶରୀର ତ୍ୟାଗ ପାଇଁ ସୂର୍ଯ୍ୟଙ୍କର ଉତ୍ତରାୟଣ ବା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଏହି ଦିନ ଠାରୁ ସୂର୍ଯ୍ୟ ଉତ୍ତରାୟଣ ହୁଅନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.