ଓଡ଼ିଆ ବାର୍ତ୍ତା/ ସିନାପାଲି (ଲକ୍ଷ୍ମୀକାନ୍ତ ହଂସ): ଉଦନ୍ତୀ ମହୋତ୍ସବ ଏକ ମହୋତ୍ସବ ନୁହେଁ ଏହା ହେଉଛି ସିନାପାଲି ଅଞ୍ଚଳର ସଂସ୍କୃତି, ପରମ୍ପରା ଓ ଐତିହ୍ୟର ମେରୁଦଣ୍ଡ। ଉଦନ୍ତୀ ମହୋତ୍ସବ ସିନାପାଲି ଅଞ୍ଚଳକୁ ବିଶ୍ବ ଦରବାରରେ ଏକ ଭିନ୍ନ ପରିଚୟ ପ୍ରଦାନ କରିଛି। ଏହି ମହୋତ୍ସବ ମାଧ୍ଯମରେ ସିନାପାଲି ଅଞ୍ଚଳର କବି, ଲେଖକ, ଗାଳ୍ପିକ, ସାହିତ୍ୟିକ, ସ୍ବାଧୀନତା ସଂଗ୍ରାମୀ ତଥା ବହୁ ପ୍ରତିଭାଶାଳୀ ବ୍ଯକ୍ତିତ୍ବ ମାନଙ୍କୁ ସମ୍ମାନିତ କରି ଅଞ୍ଚଳର ଗର୍ବ ଗୌରବାମୟ ଇତିହାସକୁ ସମସ୍ତଙ୍କ ନିକଟରେ ପରଷିଦେଇ ଆସୁଛି। ପ୍ରତିବର୍ଷ ଉଦନ୍ତୀ ମହୋତ୍ସବରେ ନୂତନ ପ୍ରତିଭା ଏବଂ ମହାନ ବ୍ୟକ୍ତିତ୍ବ ମାନଙ୍କୁ ସମ୍ମାନିତ କରିବା ସହିତ ବିଭିନ୍ନ ପ୍ରତିଯୋଗିତା ମାଧ୍ଯମରେ ଜନମାନସକୁ ଯୋଡ଼ିବାର ପ୍ରୟାସ କରାଯାଉଛି। ସିନାପାଲି ଅଞ୍ଚଳର ଦେବାଦେବୀ ମାନଙ୍କ ଅପାର କରୁଣାରୁ ଅଞ୍ଚଳ ବାସୀ ଏହି ଉତ୍ସବ ମାଧ୍ଯମରେ ଏକସୁତ୍ରରେ ଗୁନ୍ଥା ଯାଇଥିବା ପୁଷ୍ପମାଲ୍ଯ ହୋଇ ମହାପ୍ରଭୁ ଶ୍ରୀଶ୍ରୀଜଗନ୍ନାଥ, ସିନାପାଲି ଅଧିଷ୍ଠାତ୍ରୀ ଦେବୀ ମାଁ ମହୁଲଗଛିଏନ, ମାଁ ଦୁର୍ଗା, ମାଁ ସମଲେଶ୍ବରୀ, ମାଁ ଗାୟତ୍ରୀଙ୍କ ଗଳାର ହାର ହୋଇ ଶୋଭାପାଉଛି। ସର୍ବ ଦେବାଦେବୀଙ୍କ ଅପାର କରୁଣା, ଅଗଣିତ ଅଞ୍ଚଳ ବାସୀଙ୍କ ସହଯୋଗ ସହାନୁଭୂତି ସମର୍ଥନ ଏବଂ ଉତ୍ସାହ ବଳରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ଯ ନୂଆପଡା ଜିଲ୍ଲା, ସିନାପାଲିରେ ପଳନ ହେବାକୁ ଯାଉଛି ଉଦନ୍ତୀ ମହୋତ୍ସବ ୨୦୨୬। ଏହି ସକାଶେ ୨୦୨୫ ଉଦନ୍ତୀ ମହୋତ୍ସବ ପାଳନ କମିଟିର ସଭାପତି ବୈଷ୍ଣବ ମେହେରଙ୍କ ସଭାପତିତ୍ବରେ ସିନାପାଲି ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ, ସିନାପାଲି ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ମହୋତ୍ସବ ପ୍ରେମୀ ଶତାଧିକ ଜନସାଧାରଣଙ୍କ ଉପସ୍ଥିତିରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ, ଜନସାଧାରଣଙ୍କ ମତାମତକୁ ସମ୍ମାନ ଜଣାଇ ଉତ୍ସବ ପାଳନର ବିଗତ ଆଗତ ସବୁ ତଥ୍ଯ ଆଧାରିତ କିଛି ସଫଳ ବିଫଳ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା ହୋଇଥିଲା। ଏବର୍ଷ ଉଦନ୍ତୀ ମହୋତ୍ସବ କିଭଳି ଆହୁରି ଦିବ୍ଯ ଭବ୍ଯ ଐତିହାସିକ ହେବ ସେ ଦିଗରେ ମଧ୍ଯ ଚର୍ଚ୍ଚା ହୋଇଥିଲା। ସର୍ବ ସହମତି ଫଳରେ ଆସନ୍ତା ୨୦୨୬ ମାର୍ଚ୍ଚ ୨୭-୨୮-୨୯ ତାରିଖ ତିନିଦିନ ବ୍ୟାପି ଏହି ଉଦନ୍ତୀ ମହୋତ୍ସବ ପାଳନ କରାଯିବ ବୋଲି ସ୍ଥିରୀକୃତ କରାଯାଇଛି ଏବଂ ଉତ୍ସବ ପାଳନ କମିଟି ପରିଚାଳନା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପଦବୀ ସ୍ଥିରୀକୃତ କରାଯାଇଛି। ଉତ୍ସବ ପାଳନ କମିଟି ସଭାପତି ରୂପେ ପ୍ରିୟରଞ୍ଜନ ମେହେର, ଉପସଭାପତି ଅଜିତ କୁମାର ଯୋଷୀ, ରଜନୀକାନ୍ତ ମାଝୀ ଓ ମନୋରଞ୍ଜନ ମେହେର, ସମ୍ପାଦକ ରୁପେ ସୁରଜ କୁମାର ମେହେର, ସହ ସମ୍ପାଦକ ଜିତୁ ମେହେର, ସୁସାନ୍ତ କୁମାର ନାଏକ, ବଂଶୀଧର ଜଗତ, କୋଷାଧ୍ୟକ୍ଷ ଦିବ୍ଯ ରଞ୍ଜନ ନାଏକଙ୍କୁ ମନୋନୀତ କରାଯାଇଛି। ଏହି ବୈଠକରେ ସିନାପାଲି ସଚେତନ ନାଗରିକ କମିଟିର ସଭାପତି ଡମ୍ବରୁଧର ମେହେର, ବରିଷ୍ଠ ଉପଦେଷ୍ଟା ବୈଷମ୍ପାୟନ ମେହେର, ନିଳମଣି ମେହେର, ନାରାୟଣ ପାତ୍ର, ଗଲାମଣି ସା, ନନ୍ଦ କୁମାର ପାତ୍ର, ଡ. ଅରିଗଞ୍ଜନ ଯୋଷୀ, ସୁବ୍ରତ କୁମାର ଠାକୁର, ଲିଙ୍ଗରାଜ ଘିଭେଲା, ତ୍ରୀନାଥ ମେହେର, ରବିନ୍ଦ୍ରନାଥ ଯୋଷୀ, ସତିଶ ଯୋଷୀ, ଲଲିତ କୁମାର ସୁନାରୀ, ବଂଶୀଧର ଜଗତ , ମନିଷ ପଟେଲ, ଆଲୋକ ମେହେର, ସାନୁର୍ଯ୍ୟ ମେହେର, ଜିତେନ୍ଦ୍ର ମେହେର, ଗଣମାଧ୍ୟମ ପ୍ରତିନିଧି ସମେତ ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ ସହ ଯୁବ ସମାଜ ଉପସ୍ଥିତରହି ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ସର୍ବ ସହମତି କ୍ରମେ ଆଗାମୀ ତା: ୧୪-୦୨-୨୦୨୬ ରିଖ ଶନିବାର ଦିନ ପରବର୍ତ୍ତି ବୈଠକ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଗଲା। ବୈଠକର ଶେଷ ପର୍ଯ୍ୟାୟରେ ବଂଶୀଧର ଜଗତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାପତିଙ୍କ ଅନୁମତି କ୍ରମେ ସଭାଟିକୁ ସାଙ୍ଗ କରିଥିଲେ।





