କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ଆୟୋଜିତ ହେଲା ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ‘ଶତଦଳ’ କ୍ଲବର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।

ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଝାନ୍‌ସୀ ଜେନା ଏଥିରେ ସଭାପତିତ୍ବ କରିବା ସହ ସ୍ବାଗତ ଅଭିଭାଷଣ ରଖିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ରାଜକିଶୋର ପଣ୍ଡିତ ଅତିଥି ପରିଚୟ ଦେବା ସହ ଆଲୋଚନାଚକ୍ରର ଶୀର୍ଷକ ‘ମଧ୍ୟଯୁଗୀୟ ସାହିତ୍ୟରେ ବୈଷ୍ଣବ ଚେତନା’ ଉପରେ ନିଜସ୍ୱ ଚିନ୍ତନ ଉପସ୍ଥାପନା କରିଥିଲେ।

ଏଥିରେ ବିଷୟ ବିଶେଷଜ୍ଞ ଭାବେ ବିଶିଷ୍ଟ ସାହିତ୍ୟିକ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଭାଗବତ ବେହେରା ଯୋଗ ଦେଇ ମଧ୍ୟଯୁଗୀୟ ସାହିତ୍ୟର କାଳଖଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ। ଧର୍ମର ସଂଜ୍ଞା ସହ ବେଦ ଭିତରେ ଥିବା କୃଷ୍ଣ ଚେତନାକୁ ବର୍ଣ୍ଣନା କରି ସମୟାନୁକ୍ରମେ ବିଷ୍ଣୁ ଓ ବୈଷ୍ଣବ ଧର୍ମ ସମ୍ପର୍କରେ କହିଥିଲେ। ମଧ୍ୟଯୁଗ ଓ ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟରେ ବୈଷ୍ଣବ ଚେତନାର ଜାଗରଣ ଏବଂ ଏହାର ପ୍ରଚାର ପ୍ରସାର ସମ୍ପର୍କରେ ସେ ଆଲୋଚନା କରିିଥିଲେ।

ଏହି ଅବସରରେ ଅତିଥି ଭାବେ ଯୋଗ ଦେଇଥିବା ଡକ୍ଟର ବେହେରାଙ୍କୁ ସମସ୍ତେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ନେଟ୍ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ପୂର୍ବତନ ଛାତ୍ରୀ ଅନୁପମା ଖଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ଡକ୍ଟର ସୃଷ୍ଟିଧର ପଣ୍ଡା, ଅଧ୍ୟାପିକା ଡକ୍ଟର ପ୍ରତୀଚୀ ନନ୍ଦ, ମୋନାଲିସା ବେହେରା, ଅଧ୍ୟାପକ ଅଜୟ ରାଉତ ଓ ଡକ୍ଟର ଜଗନ୍ନାଥ ଖଟୁଆ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ଛାତ୍ରୀ ରଚନା ଦାସ ମଞ୍ଚ ଆହ୍ୱାନ କରିଥିବା ବେଳେ ମୋନାଲିସା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚନାଚକ୍ରରେ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରୀମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.