ଭିଜିଲାନ୍ସ ଜାଲରେ ଭବାନୀପାଟଣା ଫରେଷ୍ଟର ବାବୁ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼(ସ୍ବାସ୍ତିଦୀପ ଆଦିତ୍ୟ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜ ର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଶୁକ୍ରବାର ସକାଳୁ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସକାଳ ପ୍ରାୟ ୬ଟାରୁ ଭିଜିଲାନ୍ସର ୩ଟି ଟିମ୍ ଭବାନୀପାଟଣା ଓ ଆଖପାଖ ଅଞ୍ଚଳରେ ଏକକାଳୀନ ଚଢ଼ାଉ ଜାରି ରଖିଛନ୍ତି। ଭବାନୀପାଟଣା ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ରେଡ୍ କରାଯାଉଛି। ସୂଚନା ଅନୁସାରେ ଭବାନୀପାଟଣା ହିଲ୍ ଟାଉନ୍‌ରେ ଥିବା ଫରେଷ୍ଟରଙ୍କ ତିନି ମହଲା ବାସଭବନ, ଜୁନାଗଡ଼ ଥାନା ଅନ୍ତର୍ଗତ ଦେଉଣ୍ଡି ଗାଁରେ ଥିବା ପୈତୃକ ବାସ ଭବନ ଏବଂ ଭଟାଙ୍ଗପଦର ସେକ୍ସନ ସ୍ଥିତ ଫରେଷ୍ଟରଙ୍କ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି। ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ, ସୁନା ଗହଣା ଏବଂ ଜମିବାଡ଼ି ସମ୍ପର୍କିତ କାଗଜପତ୍ରର ଯାଞ୍ଚ ଚାଲିଛି। ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି, ସେ ନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.