ଓଡ଼ିଆ ବାର୍ତ୍ତା/ ଝାରସୁଗୁଡ଼ା: ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ହେମନ୍ତ ସାହୁଙ୍କ ନିଜ ଉଦ୍ୟମରେ ‘ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନ’ର ଶୁଭାରମ୍ଭ ତା. ୧୬. ୦୨. ୨୦୨୬ରୁ ହୋଇଯାଇଛି । ଏହାର ସପ୍ତମ ଦିବସରେ ଝାରସୁଗୁଡ଼ା ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାହିତ୍ୟ ଅନୁଷ୍ଠାନ ଝରଣା ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି ରାଧାମୋହନ ପାଣ୍ଡେ ଓ ମୁଖ୍ୟ ସମ୍ପାଦିକା ଅଞ୍ଜଳିପ୍ରଭା ପଟ୍ଟନାୟକ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିବା ପରେ ଏକକ ଅଭିଯାତ୍ରୀ ହେମନ୍ତ ସାହୁ ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପରିଷଦର ସମ୍ପାଦକ ଦୂର୍ବାଦଳ କରାଳୀ ପରିଷଦର ଗୌରବମୟ ଇତିହାସ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେବା ସହ ଏ ଯାତ୍ରା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ଯୁଗଯାତ୍ରୀ ସାହିତ୍ୟ ସଂସଦ ତିରିଶ ଜିଲ୍ଲାର ସାହିତ୍ୟ ଅନୁଷ୍ଠାନକୁ ସମ୍ପର୍କ ଅଭିଯାନ କରୁଥିବା କହିଥିଲେ । ଉପଦେଷ୍ଟା ଡ଼ କୈବଲ୍ୟ ମିଶ୍ର ଯୁଗ ଯାତ୍ରୀର ଏ ପ୍ରଚେଷ୍ଟା ଅନ୍ୟ ସାହିତ୍ୟ ଅନୁଷ୍ଠାନମାନଙ୍କ ପାଇଁ ତଥା ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି ମତ ଦେଇଥିଲେ । ପରେ ଏହି ଅନୁଷ୍ଠାନର ସମସ୍ତ ତଥ୍ୟ ଲିଖିତ ଆକାରରେ ଶ୍ରୀ ସାହୁଙ୍କୁ ସଭାପତି ଓ ମୁଖ୍ୟ ସଂପାଦିକା ପ୍ରଦାନ କରିଥିଲେ ।
ଏହି ଅଭିଯାନରେ ଓଡ଼ିଶାର ତିରିଶ ଗୋଟି ଜିଲ୍ଲାରେ ଥିବା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକୁ ସାରସ୍ଵତ ସମ୍ପର୍କର ଏକ ସୂତ୍ରରେ ବାନ୍ଧିବାର ପ୍ରୟାସ ତଥା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକର ତଥ୍ୟ ସଂଗ୍ରହ ପୂର୍ବକ “ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଅବଦାନ” ଶୀର୍ଷକରେ ଏକ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଥିବା କହିଥିଲେ ଏକକ ଅଭିଯାତ୍ରୀ ଯୁଗ ଯାତ୍ରୀର ସମ୍ପାଦକ ହେମନ୍ତ ସାହୁ । ଏହି ଅଭିଯାନ ମ.ରାମପୁରରୁ ବାହାରି କନ୍ଧମାଳ ଜିଲ୍ଲାରୁ ଆରମ୍ଭ ହୋଇ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଜିଲ୍ଲା, ବରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା ପରିଭ୍ରମଣ ପୂର୍ବକ ଆଜି ଝାରସୁଗୁଡା ଜିଲ୍ଲାରେ ପହଂଚିଛନ୍ତି । ପର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲା ଯିବା ପରେ କଳାହାଣ୍ଡିରେ ମାର୍ଚ୍ଚ ମାସ ୧୮ ତାରିଖରେ ଶେଷ ହେବାର ଯୋଜନା ରହିଛି । ଏହି ଅଭିଯାନଟି ସମ୍ପାଦକ ନିଜ ଉଦ୍ୟମରେ କରିଥିବା ଜଣାପଡିଛି ।





