
ଡ଼. ଅନୀଲ ପ୍ରସାଦ ସାହୁ ସହକାରୀ ଶିକ୍ଷକ, ରୁପ୍ରାରୋଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନର୍ଲା, କଳାହାଣ୍ଡି
ଧରିତ୍ରୀ ହେଉଛି ସମସ୍ତଙ୍କର ସାଧାରଣ ସମ୍ପତ୍ତି, ଏହାର ସୁରକ୍ଷା ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ। ଆଜିର ସମୟରେ ପ୍ଲାଷ୍ଟିକ ପ୍ରଦୂଷଣ ଏକ ବିଶ୍ୱବ୍ୟାପୀ ସମସ୍ୟା। ଏହାକୁ ରୋକିବା ପାଇଁ ବ୍ୟକ୍ତିଗତ ପ୍ରଚେଷ୍ଟା ସହ ସରକାରୀ ସ୍ତରରେ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି। ବିଶେଷ କରି ଓଡ଼ିଶା ପରି ଏକ ପ୍ରାକୃତିକ ସମ୍ପଦଭରା ରାଜ୍ୟ ପାଇଁ ଏହାର ଆବଶ୍ୟକତା ଅଧିକ। ଆଜିର ଯୁଗରେ ପ୍ଲାଷ୍ଟିକ ଏକ ‘ଧୀର ବିଷ’ (ସ୍ଲୋ ପୋଇଜନ) ଭାବରେ ଆମ ପରିବେଶକୁ କବଳିତ କରିସାରିଛି। ଯେଉଁ ପ୍ଲାଷ୍ଟିକକୁ ଆମେ ସୁବିଧା ପାଇଁ ବ୍ୟବହାର କରୁଛୁ, ତାହା ଆଜି ସମଗ୍ର ଜୀବଜଗତ ପାଇଁ କାଳ ସାଜିଛି।
ଓଡ଼ିଶା ସରକାରଙ୍କ ପ୍ରଶଂସନୀୟ ପଦକ୍ଷେପ: ଓଡ଼ିଶା ସରକାର ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବ୍ୟବହାର ଉପରେ କଡ଼ା ନିୟମ ପ୍ରଣୟନ କରିଛନ୍ତି: ୧): ସମ୍ପୂର୍ଣ୍ଣ କଟକଣା – ରାଜ୍ୟର ସମସ୍ତ ସହରାଞ୍ଚଳରେ ‘ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ’ (ଥରେ ବ୍ୟବହୃତ ପ୍ଲାଷ୍ଟିକ) ବିକ୍ରି ଓ ବ୍ୟବହାର ଉପରେ ସରକାର କଟକଣା ଲଗାଇଛନ୍ତି। ୨): ଆହାର କେନ୍ଦ୍ରରେ ଷ୍ଟିଲ୍ ବାସନ – ପ୍ଲାଷ୍ଟିକ ପ୍ଲେଟ୍ ଓ ଗ୍ଲାସ ବ୍ୟବହାର କମାଇବା ପାଇଁ ବିଭିନ୍ନ ଆହାର କେନ୍ଦ୍ରରେ ଷ୍ଟିଲ୍ ବାସନର ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି। ୩): ବର୍ଜ୍ୟବସ୍ତୁ ପରିଚାଳନା – ‘ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର’ ଏବଂ ‘ମ୍ୟାଟେରିଆଲ୍ ରିକଭରି ଫ୍ୟାସିଲିଟି’ ମାଧ୍ୟମରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା କରାଯାଉଛି। ୪): ମନ୍ଦିର ଓ ପର୍ଯ୍ୟଟନ ସ୍ଥଳ – ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ଭଳି ସ୍ଥାନକୁ ପ୍ଲାଷ୍ଟିକ ମୁକ୍ତ ଜୋନ୍ ଭାବେ ଘୋଷଣା କରାଯାଇଛି।
କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ : ୧): ପ୍ଲାଷ୍ଟିକ ରାସ୍ତା – ଭାରତର ଅନେକ ସ୍ଥାନରେ ଏବଂ ଓଡ଼ିଶାର କିଛି ଅଞ୍ଚଳରେ ପ୍ଲାଷ୍ଟିକ ବର୍ଜ୍ୟକୁ ବ୍ୟବହାର କରି ପିଚୁ ରାସ୍ତା ନିର୍ମାଣ କରାଯାଉଛି, ଯାହା ଅଧିକ ସ୍ଥାୟୀ। ୨): ବାର୍ଷିକ ଉତ୍ପାଦନ – ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪୦୦ ନିୟୁତ ଟନ୍ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସୃଷ୍ଟି ହୁଏ, ଯାହାର ମାତ୍ର ୯% ପୁନଃଚକ୍ରଣ (Recycle) ହୋଇଥାଏ।
ପରିବେଶ ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ: ପ୍ଲାଷ୍ଟିକ ପୋଡ଼ିବା ଦ୍ୱାରା ‘ଡାଇଓକ୍ସିନ୍’ ଭଳି ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଥାଏ, ଯାହା ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ସହ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରେ। ସେହିପରି, ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଗରମ କରିବା ଦ୍ୱାରା ସେଥିରୁ ନିର୍ଗତ କେମିକାଲ୍ ମଣିଷ ଶରୀରରେ ହରମୋନ୍ ଅସନ୍ତୁଳନ ଏବଂ ପ୍ରଜନନ ସମସ୍ୟା ସୃଷ୍ଟି କରେ। “ପ୍ଲାଷ୍ଟିକକୁ ‘ରିସାଇକେଲ’ କରିବା ଅପେକ୍ଷା ଏହାର ବ୍ୟବହାରକୁ ‘ରିଫ୍ୟୁଜ’ (ମନା) କରିବା ଅଧିକ ଜରୁରୀ।”
ଆମର ସଙ୍କଳ୍ପ: ଶୂନ୍ୟ ପ୍ଲାଷ୍ଟିକ ଜୀବନଶୈଳୀ: ଶୂନ୍ୟ ପ୍ଲାଷ୍ଟିକ ବ୍ୟବହାର ପାଇଁ ଆମକୁ ‘ଫାଇପ୍ ଆର୍’ ନିୟମ ଆପଣେଇବାକୁ ହେବ: ୧): ରିଫ୍ୟୁଜ (ମନା କରିବା): ଏକଥର ବ୍ୟବହୃତ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବାରଣ କରିବା। ୨): ରିଡ୍ୟୁସ (କମାଇବା): ପ୍ଲାଷ୍ଟିକ ସାମଗ୍ରୀର କ୍ରୟ କମାଇବା। ୩): ରିୟୁଜ (ପୁନର୍ବାର ବ୍ୟବହାର): ଫିଙ୍ଗିବା ପୂର୍ବରୁ ତାକୁ ଅନ୍ୟ କାମରେ ବ୍ୟବହାର କରିବା। ୪): ରିପ୍ରୋପୋଜ (ଅନ୍ୟ କାମରେ ଲଗାଇବା): ପୁରୁଣା ବୋତଲରେ ଗଛ ଲଗାଇବା ବା ସଜାବଟ କାମରେ ବ୍ୟବହାର କରିବା। ୫): ରଇସାଇକିଲ (ପୁନଃଚକ୍ରଣ): ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ସଠିକ୍ ଭାବେ ପୃଥକ କରି ରିସାଇକେଲ୍ ପାଇଁ ପଠାଇବା।
ଓଡ଼ିଶାର ସୌନ୍ଦର୍ଯ୍ୟ ଏହାର ନଦୀ, ସମୁଦ୍ର ଓ ଜଙ୍ଗଲରେ ଅଛି। ଯଦି ଆମେ ପ୍ଲାଷ୍ଟିକ ବର୍ଜନ ନକରିବା, ତେବେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଧୀରେ ଧୀରେ ନଷ୍ଟ ହୋଇଯିବ। ଆସନ୍ତୁ ସରକାରଙ୍କ ସହ ହାତ ମିଳାଇ “ନିର୍ମଳ ଓଡ଼ିଶା, ସବୁଜ ଓଡ଼ିଶା” ଗଠନରେ ସହଯୋଗ କରିବା। ସ୍ଲୋଗାନ: ”ନିଜେ ସଚେତନ ହେବା, ଅନ୍ୟକୁ ସଚେତନ କରିବା; ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଗଢ଼ି ପୃଥିବୀକୁ ବଞ୍ଚାଇବା।”




