ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାର ଆବାସିକ ବିଦ୍ୟାଳୟ ମାନଙ୍କରେ ଉନ୍ନତମାନର ଶିକ୍ଷା ସମେତ ପିଲାଙ୍କ ରହିବା ଖାଇବାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ହେଲେ ସ୍କୁଲ ଦାଇତ୍ୱରେ ଥିବା ଶିକ୍ଷକ ଓ କର୍ମଚାରୀ ମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜିଲା ଭଲି ଘୁର୍ଣ୍ଣ୍ୟ କାମକରିବାକୁ ପଛାଉନାହାନ୍ତି। ଗରିବ, ଆଦିବାସୀ ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ଖାଇବା ବାବଦକୁ ଆସିଥିବା ଚାଉଳକୁ ରାତିଅଧିଆ ବିକିବାକୁ ପ୍ରୟାସ କରି ହଟହଟା ହେଉଛନ୍ତି। ଚତୁରତାର ସହିତ ଅଖା ବସ୍ତା ବଦଳରେ ସିମେଣ୍ଟ ବସ୍ତାରେ ଚାଉଳ ପୁରାଇ ରାତି ଅଧରେ ପାଚେରୀ ଡିଆଁଇ ଏକ ବଲେରୋ ପିକଅପ୍ ଭ୍ୟାନ ଯୋଗେ ୪ କୁଇଣ୍ଟାଲ ଚାଉଳ ଚୋରା ଚାଲାଣ ସମୟରେ ସ୍ଥାନୀୟ ଲୋକେ ହଠାତ୍ ମାଡି ବସିଥିବା ବେଳେ ଆବାସିକ ବିଦ୍ୟାଳୟ ଦାଇତ୍ୱରେ ଥିବା ମେଟ୍ରୋମ ଚୂଲେନ୍ଦ୍ରି ସାହୁ ସମେତ ୪ ପ୍ୟାକେଟ ଚାଉଳ ଜବତ କରି ପଚରାଉଚରା କରିଥିଲେ ଗ୍ରାମବାସୀ। ହେଲେ ମେଟ୍ରୋମ ଚୁଲେନ୍ଦ୍ରି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିବାରୁ ଏହା ଚୋରି ଚାଉଳ ବୋଲି ଗ୍ରାମବାସୀ ସ୍ପଷ୍ଟ ସନ୍ଦେହ କରିଥିବା ଜଣା ପଡିଛି। ହେଲେ ଏପଟେ ଘଟଣାରେ ଲିପ୍ତ ଥିବା ବଲେରୋ ପିକଅପ୍ ଭ୍ୟାନ ଘଟଣା ସ୍ଥଳରୁ ଫେରାର ମାରିଥିବାରେ ସକ୍ଷମ ହୋଇଛି। ବର୍ତ୍ତମାନ ଏବେ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଚାଉଳ ଚୋରି ସମୟର ଫଟୋ ଓ ଭିଡିଓ ଘୁରି ବୁଲୁଛି। ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ଲାଞ୍ଜିଗଡ଼ ବ୍ଲକ ବିଜେପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ। ସୂଚନାଯୋଗ୍ୟ ବିଦ୍ୟାଳୟର ପ୍ରାୟ ୨କୁଇଣ୍ଟାଲ ତଥା ୪ପ୍ୟାକେଟ ଚାଉଳ ରାତିଅଧିଆରେ ସ୍କୁଲ ପାଚେରୀ ଡିଆଇଁ ଏକ ବଲେରୋ ପିକଅପ୍ ଭ୍ୟାନରେ ଲୋଡ଼ କରି ଚୋରା ଚାଲାଣ କରୁଥିବାବେଳେ ସ୍ଥାନୀୟ ଲୋକେ ହଠାତ୍ ଜମା ହୋଇଯିବାରୁ ବିଦ୍ୟାଳୟ ମେଟ୍ରୋମ ଚୁଲେନ୍ଦ୍ରି ସାହୁର ଅକଲ ଗୁଡ଼ୁମ ହୋଇଛି। ତେବେ ଏହା ଚୋରି ଚାଉଳ ବୋଲି ଗାଁ ଲୋକେ ସ୍ପଷ୍ଟ ଜାଣିଥିଲେ ସୁଦ୍ଧା ଘଟଣା ଟିକୁ ଚାପିଦେବାକୁ ଉଦ୍ୟମ କରି ପୋଲିସକୁ ନଜଣାଇ ସେହି ଚୋରି ଚାଉଳକୁ ଜବତ କରି ସ୍କୁଲ ଦାୟିତ୍ୱରେ ଥିବା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଜିମା ଦେଇଥିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସହିତ ଗରିବ ନିରୀହ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ପେଟକୁ ଲାତ ମାରି ସେମାନଙ୍କ ମୁହଁର ଦାନାକୁ ଚୋରି କରି ଭଦ୍ରମୁଖା ପିନ୍ଧିଥିବା କର୍ମଚାରୀଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ କାହ୍ନୁ ଚରଣ ବେହେରାଙ୍କୁ ପଚାରିବାରୁ ମୁଁ ବର୍ତ୍ତମାନ ଛୁଟିରେ ଅଛି ମତେ ଗାଁ ଲୋକେ ଏ ସମ୍ପର୍କରେ ଫୋନ୍ କଲା ପରେ ମୁଁ ଜାଣିଲି ଏହାରି ଉପରେ ମୁଁ ମୋ ଉପରସ୍ତ ଅଫିସରଙ୍କୁ ଜଣାଇବି ବୋଲି କହିଥିଲେ। ତେବେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ସ୍କୁଲ ମାନଙ୍କରେ ଦିନକୁ ଦିନ ଚାଉଳ ଚୋରା ଚାଲାଣ ବଡୁ ଥିବା ବେଳେ ଗତ କିଛି ଦିନ ତଳେ ଲାଞ୍ଜିଗଡ ଏସଏସଡି ସ୍କୁଲରେ ଚାଉଳ ଚୋରି ଘଟଣା ସାରା ଜିଲ୍ଲାରେ ଚହଳ ପଡ଼ିଥିଲା। ହେଲେ ସେହି ଘଟଣାକୁ ଲୋକେ ଭୁଲି ନାହାନ୍ତି କିନ୍ତୁ ଏପଟେ ବିଜେପୁର ସରକାରୀ ସ୍କୁଲରେ ୪ପ୍ୟାକେଟ ଚାଉଳ ଚୋରି ଉଦ୍ୟମ ଏବେ ଅଞ୍ଚଳରେ ପୁଣି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।




