ଶୁକ୍ଳ ଅଥର୍ବବେଦ ଓ ମହର୍ଷି ଯାଜ୍ଞବଲ୍କ୍ୟ 

ମହର୍ଷି ଯାଜ୍ଞବଲ୍କ୍ୟ ଥିଲେ, ମହର୍ଷି ବ୍ରହ୍ମରାତଙ୍କ ପୁତ୍ର ଓ ବୈଦିକ ଯୁଗର ଜଣେ ପ୍ରଖ୍ୟାତ ବେଦଜ୍ଞ ଋଷି। ତାଙ୍କ ମାଆ ଥିଲେ ସୁନନ୍ଦାଦେବୀ। ବହୁ ଯଜ୍ଞ କରି ସେ ସିଦ୍ଧିପ୍ରାପ୍ତ କରିଥିବାରୁ ତାଙ୍କ ନାମ ହୋଇଥିଲା ଯାଜ୍ଞବଲ୍କ୍ୟ। ବେଦ ଜ୍ଞାନ ଦୃଷ୍ଟିରୁ ବ୍ରହ୍ମାଙ୍କ ଅବତାର ବୋଲି ତାଙ୍କୁ ଅଭିହିତ କରା ଯାଏ। ଯାଜ୍ଞବଲ୍କ୍ୟଙ୍କ ନାମ ବହୁ ଶାସ୍ତ୍ର, ପୁରାଣ, ସଂହିତାରେ ଦେଖିବାକୁ ମିଳିଥାଏ। ମହର୍ଷି ବୈଶମ୍ପାୟନ ତାଙ୍କ ମାମୁଁ ତଥା ଗୁରୁ ଥିଲେ। ମହାମୁନି ବୈଶମ୍ପାୟନ, ତୈତ୍ତରୀୟ ସଂହିତାର ଧୂରିଣ ପଣ୍ଡିତ ଥିଲେ। ଯାଜ୍ଞବଲ୍କ୍ୟ ତାଙ୍କ ଠାରୁ ଏହି ଶାଖାରେ ପାଣ୍ଡିତ୍ୟ ହାସଲ କରିଥିଲେ। ଥରେ ଗୁରୁ ବୈଶମ୍ପାୟନ ଓ ଯାଜ୍ଞବଲ୍କ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଲା। ଗୁରୁ ବୈଶମ୍ପାୟନ କୁପିତ ହୋଇ ଅଭିଶାପ ଦେଲେ, ତୁମେ ମୋଠାରୁ ଗ୍ରହଣ କରିଥିବା ସବୁ ବିଦ୍ୟା ବିସ୍ମୃତ ହୋଇଯାଅ। ଗୁରୁଙ୍କ ଅଭିଶାପ ଫଳିଲା। ଫଳରେ ଯାଜ୍ଞବଲ୍କ୍ୟଙ୍କ ସମସ୍ତ ଶାସ୍ତ୍ରଜ୍ଞାନ ଲୁପ୍ତ ହୋଇଗଲା। ଶାସ୍ତ୍ରଜ୍ଞାନ ହୀନ ହୋଇ ଯାଜ୍ଞବଲ୍କ୍ୟ ପାଗଳ ପ୍ରାୟେ ବୁଲିବାକୁ ଲାଗିଲେ। ଶେଷରେ ସେ ଉଗ୍ର ତପସ୍ୟା ଦ୍ୱାରା ସୂର୍ଯ୍ୟ ଦେବଙ୍କୁ ସନ୍ତୁଷ୍ଟ କଲେ। ସୂର୍ଯ୍ୟ ତାଙ୍କୁ ଅଥର୍ବ ବେଦର ଏକ ନୂତନ ଶାଖା ପ୍ରଦାନ କଲେ। ସୂର୍ଯ୍ୟ ପ୍ରଦତ୍ତ ସେହି ଅଥର୍ବବେଦ ଶୁକ୍ଳ ଅଥର୍ବବେଦ ନାମରେ ପ୍ରସିଦ୍ଧ। ଯାଜ୍ଞବଲ୍କ୍ୟ ଶାସ୍ତ୍ର ସିନା ପାଇଲେ କିନ୍ତୁ ତାଙ୍କର ସ୍ନୃତିଶକ୍ତି ଲୋପ ପାଇ ଯାଇ ଥିବାରୁ ସେ ଏହାକୁ ଆୟତ୍ତ କରିବାରେ ବିଫଳ ହେଲେ। ଏଣୁ ସ୍ମୃତି ଶକ୍ତି ଫେରି ପାଇବାକୁ ପୁଣି ସେ ସୂର୍ଯ୍ୟ ଦେବଙ୍କୁ ପ୍ରାର୍ଥନା କଲେ। ସୂର୍ଯ୍ୟ କହିଲେ, ଗୁରୁଙ୍କ ଅଭିଶାପ ଫଳରେ ତୁମର ସ୍ମୃତି ଶକ୍ତି ଲୋପ ପାଇ ଯାଇଛି। ସ୍ମୃତିଶକ୍ତି ଫେରି ପାଇବାକୁ ତୁମେ ବାକ୍ ପ୍ରଦାୟିନୀ ଭଗବତୀ ବାଗ୍ଦେବୀଙ୍କୁ ତପସ୍ୟା କର। ମାଆ ମୂକକୁ ମଧ୍ୟ ବାଚାଳ କରାଇପାରନ୍ତି। ତାଙ୍କ କୃପା ହେଲେ ତୁମର ଅଭୀଷ୍ଠ ପୂର୍ଣ୍ଣ ହେବ।

ସୂର୍ଯ୍ୟଙ୍କ ପରାମର୍ଶାନୁସାରେ ମୁନି ଯାଜ୍ଞବଲ୍କ୍ୟ ସ୍ନାନ ଶୌଚ ହୋଇ ଭକ୍ତିର ସହ ମାଆ ସରସ୍ଵତୀଙ୍କୁ ସ୍ତୁତି କରିବାକୁ ଲାଗିଲେ:-

         କୃପାଂକୁରୁ ଜଗନ୍ନାତର୍ମାଂମେବଂ 

                   ହତଚେତସମ୍।

              ଗୁରୁ ଶାପାତ୍ ସ୍ମୃତିଭ୍ରଷ୍ଟମ୍ 

            ବିଦ୍ୟାହୀନଂ ଚ ଦୁଃଖିତମ୍।।

ଅର୍ଥାତ୍, ହେ ଜଗନ୍ମାତା! ଗୁରୁଦେବଙ୍କ ଅଭିଶାପରୁ ମୋର ସ୍ମୃତିଭ୍ରଂଶ ହୋଇଛି। ବିଦ୍ୟା ହୀନ ଓ ଶାସ୍ତ୍ର ହୀନ ହୋଇ ଅତିଶୟଦୁଃଖରେ ମୁଁ କାଳ କାଟୁଛି। ମାଆ ତୁମେ ମୋ ପ୍ରତି ସଦୟହୋଇ ମୋତେ ସ୍ମୃତି ଓ ସେହି ଶାସ୍ତ୍ର ଜ୍ଞାନ ପ୍ରଦାନ କରନ୍ତୁ। ମାଆ ତୁମେ ପରମା ପ୍ରକୃତି, ବ୍ରହ୍ମସନାତନୀ, ଭକ୍ତ ବତ୍ସଳା, ଭକ୍ତ ବାଞ୍ଛା ପୂରଣ କାରିଣୀ। ମାଆ କରୁଣାମୟୀ ଆପଣ ମୋ ପ୍ରତି କରୁଣା କରନ୍ତୁ। ମହର୍ଷି ପୁଣି ସ୍ତୁତି କଲେ, ମାଆ ତୁମର କରୁଣା ଲାଭନକଲେ କୌଣସି ଶାସ୍ତ୍ର ଜ୍ଞାନ ସମ୍ଭବନୁହେଁ। ମାଆ ତୁମ ପ୍ରସାଦରୁ ବୃହସ୍ପତି ଜନକ, ବ୍ୟାସ, ବାଲ୍ମୀକି ପ୍ରଭୃତି ପୂର୍ବେ ଅପୂର୍ବ ଜ୍ଞାନ ଲାଭ କରିଥିଲେ। ମାଆ ତୁମକୁ ବାରମ୍ବାର ପ୍ରଣାମ କରୁଛି ଅଧମ ପ୍ରତି ପ୍ରସନ୍ନ ହୁଅ। ଯାଜ୍ଞବଲ୍କ୍ୟଙ୍କ ଭକ୍ତିପୂତ ସ୍ତୁତିରେ ଜ୍ୟୋତିରୂପା ମାଆ ଭଗବତୀ ପ୍ରସନ୍ନ ହୋଇ ତାଙ୍କ ସମ୍ମୁଖରେ ଆବିର୍ଭୁତ ହେଲେ ଏବଂ କହିଲେ, ବତ୍ସ! ମୁଁ ତୁମ ପ୍ରତି ପ୍ରସନ୍ନ ହୋଇଛି, ମୁଁ ଆଶୀର୍ବାଦ କରୁଛି ତୁମେ ଅସାଧାରଣ ପାଣ୍ଡିତ୍ୟ, କବିତ୍ଵ ଓ ଧିଶକ୍ତି ଲାଭ କରି ସଂସାରରେ ସୁଖ୍ୟାତି ଅର୍ଜନକରିବ। ଏପରି ଆଶୀର୍ବାଦ ପ୍ରଦାନ କରି ମାଆ ଅନ୍ତର୍ହିତ ହେଲେ।

ମାଆଙ୍କ ପ୍ରସାଦରୁ ଯାଜ୍ଞବଲ୍କ୍ୟଙ୍କ ବିସ୍ମୃତ ସ୍ମୃତିଶକ୍ତି,  ଶାସ୍ତ୍ରଜ୍ଞାନ ଫେରି ଆସିଲା। ଅପୂର୍ବ ପାଣ୍ଡିତ୍ୟ ଲାଭ କରି, ସେ ଜଣେ ବ୍ରହ୍ମବେତ୍ତା ଋଷି ବୋଲାଇଲେ। ମହର୍ଷି ଯାଜ୍ଞବଲ୍କ୍ୟଙ୍କ ଦ୍ବାରା କରା ଯାଇଥିବା ମାଆ ସରସ୍ୱତୀଙ୍କ ସେହି ସ୍ତବ ଯାଜ୍ଞବଲ୍କ୍ୟ କୃତ ସରସ୍ୱତୀ ସ୍ତୋତ୍ର ନାମରେ ପ୍ରସିଦ୍ଧ। ସପତ୍ନୀ ଗଙ୍ଗାଙ୍କ ଅଭିଶାପରୁ ମା’ ସରସ୍ଵତୀ ଏକ ଅଂଶରେ ଭାରତ ବର୍ଷରେ ନଦୀ ରୂପେ ପ୍ରବାହିତ ହେଉଛନ୍ତି।‌ ପୂର୍ଣ୍ଣ କଳା ଅଂଶରେ ମାଆ ଭଗବାନ୍ ଶ୍ରୀହରିଙ୍କ ପାଖରେ ଅବସ୍ଥାନକରନ୍ତି। ଭାରତରେ  ନଦୀରୂପେ ପ୍ରବାହିତ ହେଉଥିବାରୁ ମାଆଙ୍କ ନାମ ଭାରତୀ। ବ୍ରହ୍ମାଙ୍କ ପ୍ରିୟାଭାବେ ସେ ବ୍ରାହ୍ମୀ ବୋଲି ପରିଚିତ। ବାଣୀର ଅଧିଷ୍ଠାତ୍ରୀ ଭାବେ ସେ ବାଣୀ। ଭଗବାନ ଶ୍ରୀହରି ନଦୀ, କୂପ, ତଡ଼ାଗ, ପୁଷ୍କରିଣୀ ଆଦି ସମସ୍ତ ଜଳାଶୟରେ ବ୍ୟାପ୍ତ ରହିଥିବା ହେତୁ ତାଙ୍କୁ ସରସ୍ଵାନ କୁହାଯାଏ। ମା ବୀଣାପାଣି ତାଙ୍କ ପତ୍ନୀ ହୋଇଥିବାରୁ ତାଙ୍କ ନାମ ସରସ୍ୱତୀ। ନଦୀ ରୂପରେ ମାଆ ଅତ୍ୟନ୍ତ ପବିତ୍ରା ଓ ତୀର୍ଥ ସ୍ୱରୂପା। ସେ ପାପୀ ମାନଙ୍କ ସମସ୍ତ ପାପ ଦହନ କରିବାକୁ ସମର୍ଥା। ମାଆ ବାକ୍ୟଦେବୀ ବା ବାଗ୍ଦେବୀ ରୂପେ ସମସ୍ତଙ୍କର ନମସ୍ୟା। ଶ୍ରୀମଦ୍ ଦେବୀ ଭାଗବତ ନବମ ସ୍କନ୍ଧ ଅଣତିରିଶ ଅଧ୍ୟାୟରେ ପରମେଶ୍ୱରୀ, ଭଗବତୀ ସରସ୍ୱତୀଙ୍କ ଏହି ମହିମା କୀର୍ତ୍ତିତ ହୋଇଛି।

ଅର୍ଜୁନୀ ଚରଣ ବେହେରା 

ମୋ -୭୬୯୩୦୯୧୯୭୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.