ଆର୍‌ଏସ୍‌ଏସ୍ ପକ୍ଷରୁ ସାମାଜିକ ନେତୃତ୍ବ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (ଡ. କୁମୁଦ ଚନ୍ଦ୍ର ବେହେରା): ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ପକ୍ଷରୁ ସାମାଜିକ ନେତୃତ୍ବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସ୍ଵୟଂ ସେବକ ଜୟନ୍ତ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବଂଶୀଧର ନାୟକ, ସେବାନିବୃତ୍ତ ପ୍ରଧାନାଚାର୍ଯ୍ୟ ବୃନ୍ଦାବନ ପାଣିଗ୍ରାହୀ, ଘୁମୁସର ଜିଲ୍ଲା ସଂଘ ଚାଳକ ବନମାଳୀ ଗୌଡ ଓ ଆସିକା ଚିନିଶିଳ୍ପ ନିର୍ଦ୍ଦେଶକ ବସନ୍ତ ଦଳେଇ ପ୍ରମୁଖ ମଞ୍ଚାସୀନ ରହିଥିଲେ। ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶତବାର୍ଷିକୀ ଅବସରରେ ଆୟୋଜିତ ସମ୍ମିଳନୀ ଅବସରରେ ସାମ୍ପ୍ରତିକ ସ୍ଥିତିରେ ସମାଜରେ ସଦଭାବନା ରକ୍ଷା ଦିଗରେ ମାନବୀୟ ଚିନ୍ତା ଓ ଚେତନା ସାଙ୍ଗକୁ ସାମାଜିକ ମୂଲ୍ୟବୋଧକୁ ଆଧାର କରି ଆବଶ୍ୟକୀୟ ଉତ୍ତମ ପଦକ୍ଷେପମାନ ଗ୍ରହଣ ସମ୍ପର୍କେ ବ୍ୟାପକ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଗଣ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ଛାତ୍ରୀ ଆଦ୍ୟାଶା ରାଣୀ ଡାକୁଆ ଓ ପଦ୍ମିନୀ ବେହେରା ସଙ୍ଗୀତ ଗାନ ଏବଂ ଶେଷରେ ସ୍ଵୟଂ ସେବକ ଅଶୋକ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.