ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହୋଇଥାଏ। ଗତ ୨୦୧୧ ରେ ଜନ ଗଣନା ଅନୁଷ୍ଠିତ ହୋଇଥିଲା। ୨୦୨୧ ରେ ପୁଣିଥରେ ଜନଗଣନା ହେବା କଥା। ହେଲେ ମହାମାରୀ କରୋନା ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ପୁଣି ୨୦୨୭ ରେ ଆରମ୍ଭ ହେବ ଜନଗଣନା। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରୀୟା । ପ୍ରଥମ ପର୍ଯ୍ୟାୟ ୧୬ ଅପ୍ରେଲ ୨୦୨୬ ରୁ ୧୫ ମଇ ୨୦୨୬ ଯାଏଁ ଗୃହ ଗଣନା କରାଯିବ। ୨୦୨୭ ମସିହା ଫେବୃୟାରୀ ୯ ରୁ ୨୮ ଯାଏଁ ଜନଗଣନା ଚାଲିବ ବୋଲି ସରକାର ଦିନ ଧାର୍ଯ୍ୟ କରିଛନ୍ତି।କଳାହାଣ୍ଡି ଜିଲ୍ଲା ନର୍ଲାରେ ୨୦୨୭ ଜନଗଣନା ପାଇଁ ମଙ୍ଗଳବାର ଠୁଁ ଆରମ୍ଭ ହୋଇଯାଇଛି ତାଲିମ ଶିବିର।

ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ଏହି ଜନ ଗଣନାର “ଇନଚାର୍ଯ ଅଫିସର” ବିପିନ ବିହାରୀ ଦୀପଙ୍କ ନେତୃତ୍ୱରେ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ଠାରେ ମଙ୍ଗଳବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଏହାର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଛି। ଏହା ନର୍ଲା ନବ ଘୋଷିତ ଏନଏସି ଏରିଆର ୧୫ ଗୋଟି କାଉନସିଲର ୱାର୍ଡ ର ୩୪ ଜଣ ହାଇସ୍କୁଲ ଓ ୟୁପିସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଜନଗଣନାକାରୀ ଏବଂ ସୁପରଭାଇଜର ଭାବରେ ତାଲିମ ଦିଆ ଯାଉଥିବା ଜଣାପଡିଛି। ୬ ଜଣ ଜନ ଗଣନାକାରୀଙ୍କ ଉପରେ ଜଣେ ଲେଖାଏଁ ସୁପର ଭାଇଜର ରହି ଜନଗଣନାର ସମୀକ୍ଷା କରିବେ ବୋଲି ଜଣାପଡିଛି। ନର୍ଲା ଡିଗ୍ରୀ କଲେଜର ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ ଓ ରମେଶ ଚନ୍ଦ୍ର ଘଡେଇ ଫିଲ୍ଡ ଟ୍ରେନର ଭାବରେ ତାଲିମ ଦେଉଥିବା ବେଳେ ନର୍ଲା ଅତିରିକ୍ତ ବିଡିଓ ଦେବେନ୍ଦ୍ର ସାମଲ, ନର୍ଲା ବ୍ଲକ ଜିପିଡିଓ ଯଦୁମଣି ନାଏକ, ଡିଲିଙ୍ଗ ଆସିଷ୍ଟାଣ୍ଟ କ୍ଷୀରୋଦ ମାଝୀ, ସିପି ସୁଧାଂଶୁ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ତାଲିମ ଶିବିର, ଜନ ଗଣନାରେ ସ୍ୱଚ୍ଛତା ଓ ନିର୍ଭୁଲ ଜନ ଗଣନା ବିଷୟରେ ଏବିଡିଓ ଶ୍ରୀ ସାମଲ ବିସ୍ତୃତ ଭାବରେ ବୁଝାଇଥିଲେ। ଏହି ଶିବିର ତିନିଦିନ ଧରି ଚାଲିବ। ଏହା ଆସନ୍ତା ଗୁରୁବାର ଦିନ ସମାପନ ହେବ ବୋଲି ଏବିଡିଓ ଶ୍ରୀ ସାମଲ ସୂଚନା ଦେଇଛନ୍ତି।

ସେହିଭଳି ନର୍ଲା ତହସିଲ ଅଧିନସ୍ଥ ୨୪ ଗୋଟି ଗ୍ରାମ ପଞ୍ଚାୟତର ମଧ୍ୟ ନର୍ଲା ନୋଡାଲ ହାଇସ୍କୁଲ ଠାରେ ଚାଲିଛି ଜନଗଣନା ତାଲିମ ଶିବିର। ତହସିଲ ଅଧିନସ୍ଥ ଜନଗଣନା କାରୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଏମାନଙ୍କୁ ୬ ଗୋଟି ପର୍ଯ୍ୟାୟରେ ତାଲିମ ଦିଆଯିବ ବୋଲି ଜଣାପଡିଛି। ନର୍ଲା ତହସିଲ ଅଧିନରେ ୨୩୩ ଜଣ ଏନୁମେରେଟର ବା ଜନ ଗଣନାକାରୀ ରହିଥିବା ବେଳେ ୪୨ ଜଣ ସୁପରଭାଇଜର ତାଲିମ ନେଇଉଥିବା ଜଣାପଡିଛି। ନର୍ଲା ଡିଗ୍ରୀ କଲେଜର ଅଧ୍ୟାପିକା କୌଶଲ୍ୟା ଗଡବା, ସଂଘମିତ୍ରା ପଣ୍ଡା, ଅଧ୍ୟାପକ ସୁରେଶ ଚନ୍ଦ୍ର ନାଏକ, ବିକ୍ରମ ହରିଜନ ପ୍ରମୁଖ ତାଲିମ ପ୍ରଦାନ କରୁଥିବା ଜଣାପଡିଛି। ଏହି ତାଲିମ ସମ୍ପୂର୍ଣ୍ଣ ଡିଜିଟାଲ ମାଧ୍ୟମରେ ଚାଲିଛି । ଜନ ଗଣନା ପାଇଁ ସରକାର ଗୋଟିଏ ମୋବାଇଲ ଆପ ଦେବେ। ଅପ୍ରେଲ ୧ ତାରିଖରୁ ଜନ ଗଣନା ତାଲିକାରେ ଜନସାଧାରଣ ନିଜ ନାମ ପଞ୍ଜିକରଣ କରିପାରିବେ। ଜନ ଗଣନାକାରୀ ଲୋକଙ୍କ ପାଖକୁ ଯାଇ ଭେରିଫିକେସନ କରିବେ। ନର୍ଲା ନୋଡାଲ ହାଇସ୍କୁଲରେ ଚାଲିଥିବା ଶିବିରରେ ତହସିଲ ଅଫିସ ଷ୍ଟାଫ ମନୋରଞ୍ଜନ ନାୟକ, ଅଜିତ କୁମାର ସାହୁ, ଭାଗିରଥି ନାଏକ ପ୍ରମୁଖ ଶିବିର ପରିଚାଳନା କରୁଥିବା ଜଣାପଡିଛି।




