ଜାମପଦର ମଣ୍ଡିରେ ପଡି ରହିଛି ୧୭ ଚାଷୀଙ୍କ ୯୫୯ କ୍ୱିଣ୍ଟାଲ ଧାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡା ପେକ୍ସ ଅଧିନସ୍ଥ ଜାମପଦର ମଣ୍ଡିରେ ୧୭ ଜଣ ଚାଷୀଙ୍କ ୯୫୯ କ୍ୱିଣ୍ଟାଲ ଧାନ ପଡିରହିଛି। ଟୋକନ ଲେପ୍ସ ହୋଇଯାଇଥିବା କାରଣରୁ ଉଠି ପାରୁନି ଧାନ। ଚାଷୀମାନେ ଚୋରି ହେବା ଭୟରେ ମଣ୍ଡିରେ ପଡିଥିବା ଧାନକୁ ଦୀର୍ଘ ଦିନ ହେବ ରାତ୍ରି ଅନିଦ୍ରା ହୋଇ ଜଗି ବସିଥିବା ଦେଖିବାକୁ ମିଳୁଛି। ଗତ ଜାନୁୟାରି ୧୭ ତାରିଖରେ ବୃନ୍ଦାବନ ରଣା, ବିଦ୍ୟାଧର ରଣା, ମାଧବ ରଣା, ବିରେନ୍ଦ୍ର ରଣା, ଜୟରାମ ମାଝୀ, ପୀତବାସ ରଣା, ଧର୍ମେନ୍ଦ୍ର ରଣା, ନରେନ୍ଦ୍ର ରଣା, ବନସିଂ ହରିଜନ ଓ ମଧୁସୁଦନ ସାହୁ ଏହି ୧୦ ଜଣ ଚାଷୀଙ୍କ ପ୍ରଥମ କରି ଟୋକନ ଆସିଥିଲା। ସେହିଭଳି ଗ୍ରାମର ଆଉ ୨୦ ଜଣ ଚାଷୀଙ୍କ ମଧ୍ୟ ୧୭ ଜାନୁୟାରୀ ପାଇଁ ଟୋକନ ଆସିଥିଲା। ଆଉ ତିନିଜଣ ଚାଷୀ ସୁଧିର ସାହୁ, ଜଗବନ୍ଧୁ ମାଝୀ ଓ ବଶିଷ୍ଠ ମାଝୀ ପ୍ରମୁଖ ଚାଷୀଙ୍କ ଜାନୁୟାରୀ ୨୬ ତାରିଖ ପାଇଁ ଟୋକନ ମିଳିଥିଲା। ପ୍ୟାକ୍ସ ସମ୍ପାଦକ ଥବିର ରଣାଙ୍କ ସହ ଯୋଗାଯୋଗ କରିବାରୁ ଦୁଇଦିନ ଛାଡିକି ମଣ୍ଡିରେ ଧାନ ପକେଇବା ପାଇଁ କହିଥିଲେ। ଚାଷୀମାନେ ନିର୍ଦ୍ଧାରିତ ଦିନ ନିଜ ନିଜ ଧାନ ନେଇମଣ୍ଡରେ ପକେଇଲେ। ୧୦ ଜଣ ଚାଷୀଙ୍କ “ରେଟିନା” ମଧ୍ୟ ସ୍କେନ କରା ଯାଇଥିଲା । ଉପରୋକ୍ତ ଚାଷୀ ମାନେ ଧାନ କେବେ ଉଠିବ, ଆମର ଦାନ ଉଠେଇ ଦିଅ ବୋଲି ବାରମ୍ବାର କହିବା ସତ୍ୱେ ମଧ୍ୟ ସେମାନଙ୍କ ଧାନ ଉଠିପାରିଲା ନାହିଁ। ଶେଷରେ ଜାନୁୟାରୀ ୧୭ ତାରିଖ ପାଇଁ ଟୋକନ ପାଇଥିବା ଚାଷୀଙ୍କ ମାର୍ଚ୍ଚ ୨ ଓ ଜାନୁୟାରୀ ୨୪ ତାରିଖ ପାଇଁ ଟୋକନ ପାଇଥିବା ଚାଷୀଙ୍କ ମାର୍ଚ୍ଚ ୯ ରେ ଟୋକନ ଗୁଡିକ ଲେପ୍ସ ହୋଇଯାଇଥିଲା। ମୁଁ ସିଏସଓ ଅଫିସକୁ ଲେଖିକି ଜଣେଇଛି ତୁମ ମାନଙ୍କ ଧାନ ଉଠିଯିବ ବୋଲି ତୁଳାପଡା ପ୍ୟାକ୍ସ ସମ୍ପାଦକ ବାରମ୍ବାର କହୁଥିଲେ। କିନ୍ତୁ ଶେଷରେ ମଣ୍ଡି ବନ୍ଦ ହୋଇଗଲା ହେଲେ ଉପରୋକ୍ତ ୧୭ ଜଣ ଚାଷୀଙ୍କ ୨୧୩୦ ବସ୍ତା, ୯୫୯ କ୍ୱିଣ୍ଟାଲ ଧାନ ଆଉ ଉଠି ପାରିଲା ନାହିଁ। ଅଦ୍ୟାବଧି ମଣ୍ଡିରେ ଧାନବସ୍ତା ରଖି ଜରି ପାଲ ଘୋଡେଇ ରାତି ଅନିଦ୍ରା ହୋଇ ଜଗି ରହୁଛନ୍ତି ଚାଷୀ। ଆମେ ଗରୀବ ଚାଷୀ ଧାନ ବିକିଲେ ସେହି ଟଙ୍କାରେ ଝିଅ, ପୁଅ ବାହା କରିବୁ, ମାହାଜନୀ ଓ ବ୍ୟାଙ୍କ ଋଣ ସବୁ ସୁଝିବୁ ବୋଲି ଅନେକ ଆଶା ବାନ୍ଧି ବସିଥିଲୁ। ହେଲେ ପ୍ରଶାସନ ଆମକୁ କୋଉ କୁଳକୁ କଲାନି। ଆମେ ଭାସିଗଲୁ। ଜିଲ୍ଲାପାଳ, ଉପଜିଲ୍ଲାପାଳ ଏପରିକି ମଣ୍ଡି ଅଧିକାରୀ ଦାଇତ୍ୱରେ ରହିଥିବା ବିଡିଓ ଓ ତହସିଲଦାରଙ୍କୁ ମଧ୍ୟ ଲେଖି ଜଣାଇଲୁ। ମାର୍ଚ୍ଚ ୩୧ ପରେ ରବି ଋତୁର ଧାନ ପାଇଁ ରେଜିଷ୍ଟ୍ରସନ ଆରମ୍ଭ ହୋଇଯିବ। ଆମ ଧାନ ଆଉ ଉଠି ପାରିବନି। ଶେଷରେ ବାଧ୍ୟ ହୋଇ ରାଜରାସ୍ତାରେ ଧାନବସ୍ତା ରଖି ରାଜରାସ୍ତା ଜାମ କରିବୁ ବୋଲି ଚାଷୀ କହିଛନ୍ତି। ଜାମପଦର ଚାଷୀଙ୍କ ଏଭଳି ସମସ୍ୟା ଉପରେ ତୁଳାପଡା ପ୍ୟାକ୍ସ ସମ୍ପାଦକ ଥବିର ରଣାଙ୍କ ମତାମତ ନେବାରୁ ସେ କହିଲେ। ମୁ ତ ଜଣେ ଜାମପଦର ର ଚାଷୀ। ମୋର ମଧ୍ୟ ୧୭ କ୍ୱିଣ୍ଟାଲ ଧାନ ପାଇଁ ଶେଷ ପର୍ଯ୍ୟାୟରେ ଆସିଥିବା ଟୋକନ ଲେପସ ହୋଇଗଲା। ମୁଁ ବହୁତ ଦୁଃଖିତ ଟୋକନ ଲେପ୍ସ ହୋଇ ଧାନ ବିକି ପାରିନଥିବା ଚାଷୀଙ୍କ ବିଷୟରେ ଲେଖି ଜଣାଇଲି। ହେଲେ ବିଭାଗ ତରଫରୁ କୌଣସୀ ପ୍ରତିକ୍ରୀୟା କିମ୍ବା ଏକ୍ସନ ନାହିଁ। ବାରମ୍ବାର ଲେଖି ଜଣାଇଲି। ପତ୍ର ସଂଖ୍ୟା ୪୨ ଯୋଗେ ୭ ମାର୍ଚ୍ଚ ରେ ସମବାୟ ସମିତିର ଉପ ନିବନ୍ଧକଙ୍କୁ ୧୭ ଚାଷୀଙ୍କ ଟୋକନ ଲେପ୍ସ କଥା ଲେଖିକି ଜଣାଇଛି। ଯେ ଅନ୍ତତଃ ୯୫୯ କ୍ଵିଣ୍ଟାଲ ର ଟାର୍ଗେଟ ଦିଆଯାଉ ଫଳରେ ମଣ୍ଡିକୁ ଧାନ ଆଣିଥିବା ସମସ୍ତ ଚାଷୀଙ୍କ ଧାନ ଉଠିଯିବ ବୋଲି। ହେଲେ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା କହିଛନ୍ତି ପ୍ୟାକ୍ସ ସମ୍ପାଦକ ଶ୍ରୀ ରଣା।ଏବେ ଚାଷୀଙ୍କ ଏହି ସମସ୍ୟା ଉପରେ ଯାହା କରିବେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଅଧିକାରୀ ବୃନ୍ଦ କରିପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ ମୁଣ୍ଡଝାଳ ତୁଣ୍ଡରେ ମାରି, ଧାର କରଜ କରି ଧାନ ଗଣ୍ଡାକ ମଣ୍ଡିକୁ ଆଣିଥିବା ଗରୀବ ଚାଷୀ ମାନେ କଣ ଧାନ ବିକି ପାରିବେ ନାହିଁ। ଚାଷୀଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ରାଜ୍ୟ ବିଜେପି ମୋହନ ସରକାର ଶାସନ ସମୟରେ ଏଭଳି ଅସୁବିଧା ପାଇଁ ଦାୟୀ କିଏ ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.