ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରାଚୀନ ମହାକାନ୍ତାର ସଭ୍ୟତାର ମୁକସାକ୍ଷୀ ‘ଦେବଗିରି’ ଚୈତ୍ର ମାସରେ ଦେବୀ ଆରଧନାରେ ମୁଖରିତ ହୋଇ ଉଠିଛି। ଚୈତ୍ର ଶୁକ୍ଳ ପ୍ରତିପଦା ମାର୍ଚ୍ଚ ୧୯ରେ ଶୈଳପୁତ୍ରୀଙ୍କ ସ୍ବତନ୍ତ୍ର ପୂଜା ସହ ଆରମ୍ଭ ହୋଇଛି ଚୈତ୍ର ନବରାତ୍ର। ଏହା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଭଗବତ ସ୍ବାମୀ ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ ଏନେଇ ସୂଚନା ଦେଇଛନ୍ତି। ଗୁରୁବାର ମଠର ଗୁମ୍ଫା ମଧ୍ୟରେ ଥିବା ଦେବୀ ଚଣ୍ଡୀଙ୍କ ପୀଠରେ ଅଖଣ୍ଡ ଦୀପ ପ୍ରଜ୍ବଳନ ସହ ବୈଦିକ ବିଧିରେ ଆରମ୍ଭ ହୋଇଛି ଜଗତଜନନୀଙ୍କ ମହାପୂଜା। ନବରାତ୍ରର ପ୍ରଥମ ଦିବସରେ ଦେବୀ ଦୁର୍ଗାଙ୍କ ସ୍ବରୂପ ଶୈଳପୁତ୍ରୀ ପୂଜା ପାଇଛନ୍ତି। ମଠର ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ, ଗୋପାଳ ସେବକ ଟିକେ ଗଉଡ ପ୍ରମୁଖ ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି। ଦେବଗିରି ମଠ ରାଜ୍ୟର ଏକ ପ୍ରାଚୀନ ଶକ୍ତି ପୀଠ ହୋଇଥିବାରୁ ଦୂର ଦୂରଦୂରାନ୍ତରୁ ଅନେକ ସାଧକ, ଭକ୍ତ ଓ ଶ୍ରଦ୍ଧାଳୁ ଏଠାକୁ ଆସି ଦେବୀ ଆରାଧନା କରୁଥିବା ଦେଖିବାକୁ ମିଳିଛି। ନବରାତ୍ର ସମୟରେ ସମସ୍ତେ ଦେବଗିରିକୁ ଆସି ଦେବୀ ଚଣ୍ଡୀଙ୍କ ଆଶୀର୍ବାଦ ଲାଭ କରିବାକୁ ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିବେଦନ କରାଯାଇଛି।




