“ଅବଶିଷ୍ଟ ଜୀବନ ଆଦିବାସୀ ହେଉ”
– ଡ. ଗୌରହରି ଦାସ
ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସାହିତ୍ୟ ଅକାଦେମୀ ଓ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମିଳିତ ଆନୁକୂଲ୍ୟରେ ‘ଓଡ଼ିଆ ସାହିତ୍ୟରେ ଆଦିବାସୀ ଜନଜୀବନର ଚିତ୍ର ଓ ଚରିତ୍ର’ ଶୀର୍ଷକ ଏକ-ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଅକାଦେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡ. ଗୌରହରି ଦାସଙ୍କ ସଭାପତିତ୍ୱରେ ଏହି ଆଲୋଚନାଚକ୍ରର ଉଦଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବିଶ୍ୱବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।
ନିଜ ଅଭିଭାଷଣରେ ଡ. ଦାସ ଓଡ଼ିଆ ଲୋକକଥା ସହ ପାଶ୍ଚାତ୍ୟ ଲୋକକଥାର ଉଦାହରଣ ଦେଇ ‘ଅବଶିଷ୍ଟ ଜୀବନ ଆଦିବାସୀ ହେଉ’ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଏଥିରେ ମୂଳ ଭାଷଣ ଦେଇଥିଲେ ବିଶିଷ୍ଟ ଲୋକସାହିତ୍ୟ ଗବେଷକ ପରମେଶ୍ୱର ମୁଣ୍ଡ। ଆଦିବାସୀ ଜନଜୀବନର ଚିତ୍ର ଓ ଚରିତ୍ର ବିଷୟରେ ସେ ପୁଙ୍ଖାନୁପୁଙ୍ଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସ୍ୱାଗତ ଭାଷଣ ଦେଇଥିଲେ ଅକାଦେମୀର ସହାୟକ ସମ୍ପାଦକ କ୍ଷେତ୍ରବାସୀ ନାଏକ। ପ୍ରାରମ୍ଭିକ ସୂଚନା ରଖିଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଡ. ମନୋଜ କୁମାର ପଣ୍ଡା।
ଡକ୍ଟର ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆଦିବାସୀ ଜନଜୀବନକୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଖିବାକୁ ହେବ। ପରିବର୍ତ୍ତିତ ବିଶ୍ୱ ପରିପ୍ରେକ୍ଷୀରେ ଆଦିବାସୀ ଜନଜୀବନରେ ଆସିଥିବା ପରିବର୍ତ୍ତନ ଓ ତାର ବର୍ତ୍ତମାନ ରୂପକୁ ସାହିତ୍ୟରେ ସ୍ଥାନ ଦେବାକୁ ସେ ଆହ୍ୱାନ ଜଣାଇଥିଲେ। ଡ. ପ୍ରତ୍ୟାଶା ଧଳ ମଞ୍ଚ ସଞ୍ଚାଳନ କରିଥିବାବେଳେ ଓଡ଼ିଆ ବିଭାଗର ମୁଖ୍ୟ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଥମ ବୈଷୟିକ ଅଧିବେଶନରେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର ସଭାମୁଖ୍ୟ ଦାୟିତ୍ୱରେ ଥିଲେ। ଏହି ଅଧିବେଶନରେ ଡ. କୌତୁକ ପନ୍ଦର ‘ଓଡ଼ିଆ ଉପନ୍ୟାସରେ ଆଦିବାସୀ ଜନଜୀବନର ଚିତ୍ର ଓ ଚରିତ୍ର’, ଡ. ପ୍ରତ୍ୟାଶା ଧଳ ‘ଏକବିଂଶ ଶତାବ୍ଦୀର ଓଡ଼ିଆ ଗଳ୍ପରେ ପରିବର୍ତ୍ତିତ ଆଦିବାସୀ ଜୀବନଚିତ୍ର’ ଓ ଡ. ରାଜେନ୍ଦ୍ର ପାଢ଼ୀ ‘ଓଡ଼ିଆ ସାହିତ୍ୟରେ ଆଦିବାସୀ ଜନଜୀବନର ଚିତ୍ର’ ସମ୍ପର୍କରେ ପ୍ରବନ୍ଧ ପାଠ କରିଥିଲେ। ଏହି ଅଧିବେଶନରେ ଡ. ସାଗରିକା ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ୱିତୀୟ ବୈଷୟିକ ଅଧିବେଶନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ଗୋପୀନାଥ ବାଗ ସଭାମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ଅଧିବେଶନରେ ଡୋଳାମଣି ଧରୁଆ ‘ଓଡ଼ିଆ ଆତ୍ମଜୀବନୀରେ ଆଦିବାସୀ ଜନଜୀବନର ଚିତ୍ର ଓ ଚରିତ୍ର’, ସାଇମନ ବିଡ଼ିକା ‘ଓଡ଼ିଆ ସାହିତ୍ୟରେ ଆଦିବାସୀ ସଂସ୍କୃତି’ ଓ ଡ. ସୁରେଶ୍ୱରୀ ବାଘ ‘ଓଡ଼ିଆ କ୍ଷୁଦ୍ରଗଳ୍ପରେ ଆଦିବାସୀ ଜୀବନାୟନ’ ଶୀର୍ଷକରେ ପ୍ରବନ୍ଧ ପାଠ କରିଥିଲେ। ଏହି ଅଧିବେଶନରେ ଅଧ୍ୟାପକ ସୁବ୍ରତ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏଥିରେ କୁଳସଚିବ ଡ. ଗୁଣନିଧି ନାଏକ ଉପସ୍ଥିତ ଥିବା ବେଳେ ସ୍ନାତକୋତ୍ତର ଓଡ଼ିଆ ଭାଷା, ସାହିତ୍ୟ ଓ ଅନୁବାଦ ବିଭାଗର ଅଧ୍ୟାପିକା ରେଣୁକା ଡାକୁଆ, ଅଧ୍ୟାପକ ରାମଶଙ୍କର ମେହେର, ବାଲ୍ମିକୀ କରୁଆଁ ତଥା ସମସ୍ତ ଗବେଷକ-ଗବେଷିକା ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି ଜାତୀୟ ସମ୍ପାନ ସଫଳତାର ସହ ସମାପନ ହୋଇଥିଲା।




