ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବଣ ପାହାଡ଼ ଭିତରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କିଭଳି ଦୟନୀୟ ଅବସ୍ଥାରେ ରହୁଛନ୍ତି ଆଖିରେ ନଦେଖିଲେ ବିଶ୍ଵାସ କରିହେବନାହିଁ। ସ୍ଥାନୀୟ ପ୍ରଶାସନ ପାଇଁ ଏହି ଗାଁ ସତେ ଯେମିତି ଅମଡ଼ା ବାଟ ହୋଇଛି। ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ୍ ବେନଗାଁ ପଞ୍ଚାୟତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଗାଁ ଲିଟିବୁଣ୍ଡେଲର କଥା। ୧୨୦ଟି ପରିବାର ରହୁଥିବା ୭ ଶହରୁ ଉର୍ଦ୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ସମସ୍ୟା କାହିଁରେ କେତେ।ପଞ୍ଚାୟତ ମୁଖ୍ୟାଳୟରୁ ଏହି ଗାଁ ମାତ୍ର ୧୨ କି:ମି ଦୂରରେ ରହିଛି ଏହି ଗାଁ। ୧୦୦ ବର୍ଷ ହେବ ବସବାସ କରୁଥିବା ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ।ଗ୍ରାମରେ ୨ଟି ନଳକୂପ ରହିଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଠିକ ଭାବେ ପାଣି ବାହାରୁନାହିଁ। ତେଣୁ ଗ୍ରାମ ନିକଟସ୍ଥ ଝରଣାର ୨ ପାଖରେ କୁଣ୍ଡ କରି ସେଠାରୁ ବାହାରୁଥିବା ପାଣିକୁ ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି। ବର୍ଷା ଦିନେ ପାଣି ଗୋଳିଆ ହୋଇଯାଉଛି। ଖରାଦିନେ ଝରଣା ପାଣି ଶୁଖିଯାଉଛି। ଉକ୍ତ ଝରଣା ପାଣିକୁ ବନ୍ୟଜନ୍ତୁ, ଗୃହପାଳିତ ପ୍ରାଣୀ ବି ବ୍ୟବହାର କରିଥାନ୍ତି। ଗ୍ରାମବାସୀ ଉକ୍ତ ଦୂଷିତ ପାଣିକୁ ବ୍ୟବହାର କରୁଥିବାରୁ ଅନେକ ରୋଗର ଶିକାର ହେଉଥିବା ଅଭିଯୋଗ ହେଉଛି। ଗାଁରେ ପାନୀୟଜଳର ସୁବିଧା ପାଇଁ ବାରମ୍ବାର ସରପଞ୍ଚ ଓ ବ୍ଳକ୍ ପ୍ରଶାସନକୁ ଜଣାଇବା ପରେ ୨୦୨୩ ମସିହାରେ ଗାଁରେ ଜଳ ଯୋଗାଣ ପାଇଁ ୨ଟି ଭୂତଳ ନଳକୂପ ଖୋଳା ଯାଇଛି।ଗାଁରେ ଜଳ ଯୋଗାଣ ବିଳମ୍ବ ନେଇ ଗ୍ରାମବାସୀ ବ୍ଳକ ଜଳ ଯୋଗାଣ ଦାଇତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ଦଶମନ୍ତ ମାଝୀଙ୍କୁ ୨୦୨୪ ଏପ୍ରିଲ ୪ ତାରିଖ ଦିନ ଯୋଗାଯୋଗ କରିଥିଲେ। ଏହାପରେ ଯନ୍ତ୍ରୀ ଶ୍ରୀ ମାଝୀ ଠିକାଦାରଙ୍କ ସହିତ ଯୋଗାଯୋଗ କରି ଆସନ୍ତା ଏହି ୧୦ ଦିନ ମଧ୍ୟରେ ସେମାନେ ଆସି ଗୋଟିଏ ବଡ ଟାଙ୍କି କାମ ଆରମ୍ଭ କରିବେ ବୋଲି କହିଥିଲେ।କିନ୍ତୁ ଏହାପରେ ଦାଇତ୍ଵ ନେଇଥିବା ଠିକାଦାର ଓ ପ୍ରଶାସନିକ ଅଧିକାରୀଙ୍କ ଯୋଗାଯୋଗ ଅଭାବ ଯୋଗୁଁ ବିଳମ୍ବରେ ୨୦୨୫ ମସିହାରେ ଗାଁରେ ନୂତନ ଭାବେ ବସୁଧା ପାଣି ଟାଙ୍କି ନିର୍ମାଣ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ସେଠାରେ ମୋଟର ସଂଯୋଗ ହୋଇନାହିଁ। ଯାହା ଫଳରେ ଗ୍ରାମବାସୀ ପାନିୟ ଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି।ଏହି ଗ୍ରାମରେ ବିଦ୍ୟୁତ ସଂଯୋଗ ପାଇଁ ବାରମ୍ବାର ଅଭିଯୋଗ ପରେ ୨୦୧୨ ମସିହାରେ ବିଦ୍ୟୁତ ସଂଯୋଗ ପାଇଁ ଖୁଣ୍ଟ ପୋତା ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ୧୪ ବର୍ଷ ହେଲା ବିଦ୍ୟୁତ ସଂଯୋଗ ହୋଇନାହିଁ।ବିକଶିତ ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ପାଠପଢା, ଜରୁରୀକାଳୀନ ମୋବାଇଲ ସେବାରୁ ବଞ୍ଚିତ ରହି ଅନ୍ଧାରରେ ଦିନ କାଟୁଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ। ଏନେଇ ବେନଗାଁ ସରପଞ୍ଚ ପୁରାଣା ମାଝୀଙ୍କୁ ପଚାରିବାରୁ ଗାଁରେ ପାଣି ଓ ବିଜୁଳି ସମସ୍ୟା ଯୋଗୁଁ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି।ଏହାକୁ ନେଇ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ବୈଠକରେ ମୁଁ ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିଡିଓ ଏବଂ ଜଳଯୋଗାଣ ଦାଇତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ଓ ବିଦ୍ୟୁତ ବିଭାଗଙ୍କୁ ବାରମ୍ବାର ଅଭିଯୋଗ କରୁଛି।କିନ୍ତୁ ମୋ କଥାକୁ କର୍ଣ୍ଣପାତ କରୁନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ଏନେଇ ବ୍ଳକ ଜଳ ଯୋଗାଣ ଦାଇତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ଶ୍ରୀ ମାଝୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା।ତେଣୁ ଏହି ଗାଁର ସମସ୍ୟା ପ୍ରତି ପ୍ରଶାସନ ଓ ଜନପ୍ରତିନିଧି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।




