କେନ୍ଦୁଲିଫ ଫରେଷ୍ଟର ଅପର୍ଣ୍ଣା ମାଝୀ ପାଇଲେ ମୁଖ୍ୟମନ୍ତ୍ରୀ ପୁରସ୍କାର: କର୍ମକ୍ଷେତ୍ର ନର୍ଲାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା କେନ୍ଦୁଲିଫ ଫରେଷ୍ଟର ଅପର୍ଣ୍ଣା ମାଝୀ ନିଜର କର୍ମ ନିଷ୍ଠତା, ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇ ଏହାର ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଛନ୍ତି। ସାରା ଓଡ଼ିଶାର ୪ ଜଣ ରେଞ୍ଜର ଓ ୧୨ ଜଣ ଫରେଷ୍ଟର ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ନର୍ଲା କେନ୍ଦୁଲିଫ ଫରେଷ୍ଟର ଅପର୍ଣ୍ଣା ମାଝୀ ଅନ୍ୟତମ। ଏନେଇ ଶନିବାର ୨୧ ମାର୍ଚ୍ଚ ବିଶ୍ଵ ବନ ଦିବସ- ୨୦୨୬ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଭୁବନେଶ୍ୱର ଲୋକସେବା ଭବନର କନଭେନସନ ହଲରେ ଭବ୍ୟ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ୟ ଯୋଗ୍ୟ ଅଧିକାରୀ ମାନଙ୍କ ସମେତ ନର୍ଲା କେନ୍ଦୁଲିଫ ଫରେଷ୍ଟର ଅପର୍ଣ୍ଣା ମାଝୀଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ, ମାନପତ୍ର ଓ ମେଡାଲ ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ। କେନ୍ଦୁଲିଫ ଫରେଷ୍ଟର ଅପର୍ଣ୍ଣା ମାଝୀ ପୁରସ୍କାର ଗ୍ରହଣ କରି ନିଜ କର୍ମକ୍ଷେତ୍ରକୁ ଫେରିବା ସମୟରେ ନର୍ଲାର ସର୍ଗିଗୁଡା ରେଳବାଇ ଫାଟକ ନିକଟରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉଗ୍ରସେନ ଗୌଡଙ୍କ ନେତୃତ୍ବରେ ତାଙ୍କ ସହଧର୍ମିଣୀ ସାଇଁଶ୍ରୀ ନିଆଲ, ଶିକ୍ଷାବିତ ଡ. ଅନୀଲ କୁମାର ସାହୁ, ରମେଶ ନାଏକ, ପ୍ରମୋଦ ପଧାନ, ପ୍ରକାଶ ପଧାନ, ପ୍ରକାଶ ଡାକୁଆ, ସ୍ମିତା ଗୌଡଙ୍କ ସମେତ ସର୍ଗିଗୁଡା ଜନସାଧାରଣ ଫରେଷ୍ଟର ଶ୍ରୀମତୀ ମାଝୀଙ୍କୁ ଉପଢ଼ୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ‘ମୁଁ ମୋ କର୍ତ୍ତବ୍ୟ ନିଷ୍ଠାର ସହ କରିଆସୁଛି। ମୋର ଡ୍ୟୁଟିକୁ ମୁଁ ପ୍ରାଥମିକତା ଦେଇଥାଏ। ତୃଣମୂଳ ସ୍ତରରେ ସାଧାରଣ ଲୋକେ କେମିତି ସରକାରଙ୍କ ଯୋଜନାରୁ ଅଧିକରୁ ଅଧିକ ଲଭାନ୍ଵିତ ହେବେ ସେଥିପ୍ରତି ମୁଁ ସବୁବେଳେ ଶତ ଚେଷ୍ଟିତ। ଧନ୍ୟବାଦ ଦେବି ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ମୋର କାର୍ଯ୍ଯ ଦକ୍ଷତା ପାଇଁ ମୋତେ ପୁରସ୍କୃତ କରିଛନ୍ତି। ଧନ୍ୟବାଦ ଦେବି ମୋର ଉଚ୍ଚ ପଦସ୍ଥ ଅଧିକାରୀ ବୃନ୍ଦ ଓ ମୋର ଅଞ୍ଚଳ ବାସୀଙ୍କୁ’ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ନର୍ଲା କେନ୍ଦୁଲିଫ ଫରେଷ୍ଟର ଶ୍ରୀମତୀ ମାଝୀ। ନର୍ଲା କେନ୍ଦୁଲିଫ ଫରେଷ୍ଟର ଶ୍ରୀମତୀ ମାଝୀଙ୍କୁ ତାଙ୍କର ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.