ନର୍ଲାରୋଡ ଦୁର୍ଗା ମନ୍ଦିରରେ ଚୈତ୍ର ନବରାତ୍ରୀ ପୂଜା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ଦୁର୍ଗା ମନ୍ଦିରରେ ଗତ ୧୯ ମାର୍ଚ୍ଚ ରୁ ଚାଲିଛି ବାସନ୍ତିକ ଚୈତ୍ର ନବରାତ୍ରୀ ପୂଜା। ଦୁର୍ଗା ମାଆଙ୍କ ମନ୍ଦିର ପ୍ରତିଷ୍ଠା ହେବା ପରଠୁଁ ଗତବର୍ଷ ୨୦୨୫ ରେ ପ୍ରଥମ କରି ଆରମ୍ଭ ହୋଇଥିଲା ଚୈତ୍ର ନବରାତ୍ର ପୂଜା। ଚଳିତ ବର୍ଷ ଦ୍ଵିତୀୟ ବର୍ଷ ଅନୁଷ୍ଠିତ ହୋଇଛି ଚୈତ୍ର ନବରାତ୍ର ପୂଜା। ଆଗରୁ ପ୍ରତି ବର୍ଷ ଦଶହରାରେ ମୃଣ୍ମୟୀ ଦେବୀଙ୍କ ଦୁର୍ଗାପୂଜା ଅନୁଷ୍ଠିତ ହୋଇ ଆସୁଛି। ଦୁର୍ଗା ମନ୍ଦିର ହେବା ପରଠୁଁ ଦଶହରାରେ ମୂର୍ତ୍ତି ପୂଜା ଆଉ ହେଉନି।

ଚୈତ୍ର ନବରାତ୍ର ପାଇଁ ବୁଧବାର ୧୮ ରେ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯଜ୍ଞ ମଣ୍ଡପ ଓ ଦୁର୍ଗା ମନ୍ଦିରରେ କଳସ ସ୍ଥାପନ ପରେ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା। ଦୁର୍ଗା ମନ୍ଦିର ପାର୍ଶ୍ୱରେ ରହିଥିବା ଯଜ୍ଞ ମଣ୍ଡପରେ ପ୍ରତ୍ୟହ ଚାଲିଛି ମାଆଙ୍କ ପୂଜା ଓ ହୋମ ଯଜ୍ଞ। ଚୈତ୍ର ଶୁକ୍ଳ ପ୍ରତିପଦା ମାର୍ଚ୍ଚ ୧୯ ଗୁରୁବାର ଦିନ ଠୁଁ ଶୈଳପୁତ୍ରୀଙ୍କ ସ୍ଵତନ୍ତ୍ର ପୂଜା ସହ ଆରମ୍ଭ ହୋଇଛି ଚୈତ୍ର ନବରାତ୍ର। ଏହା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଚୈତ୍ର ନବରାତ୍ରୀ ବସନ୍ତିକ ପୂଜା ପାଇଁ ଚଳ ଚଞ୍ଚଳ ହୋଇଉଠିଛି ନର୍ଲାରୋଡ। ପ୍ରତ୍ୟହ ମଙ୍ଗଳ ଆଳତି, ଚଣ୍ଡିପାଠ, ସୂର୍ଯ୍ୟପୂଜା, ଗ୍ରହପୂଜା ଓ ହୋମ ଚାଲିଛି। ମାର୍ଚ୍ଚ ୨୭ ଅପରାହ୍ନ ୫.୪୦ ରେ ଏହାର ପୂର୍ଣ୍ଣାହୁତି ହୋମ ହେବ। ଏଵଂ ମାର୍ଚ୍ଚ ୨୮ ସକାଳୁ ଅପରାଜିତା ପୂଜା ପରେ ସମାପନ ହେବ ଚୈତ୍ର ନବରାତ୍ରୀ ପୂଜା।

ମୁଖ୍ୟ ପୂଜକ ଭାବରେ ଖୋର୍ଦ୍ଧାରୁ ଆସିଥିବା ପଣ୍ଡିତ କୃପାସିନ୍ଧୁ ରଥ, ସହଯୋଗୀ ଭାବରେ ଉମାଶଙ୍କର ରଥ ଓ ନିରଞ୍ଜନ ଦାସ ଦେବୀଙ୍କ ନବରାତ୍ରୀ ପୂଜନ କାର୍ଯ୍ୟ ପରିଚାଳନା କରୁଛନ୍ତି। ନର୍ଲାରୋଡର ଯୁବ ଉଦ୍ୟୋକ୍ତ ମନ୍ଦିର ପରିଚାଳନା କମିଟିର ସଭାପତି ବିମଳ କୁମାର କେଡିଆ ଓ ତାଙ୍କ ଧର୍ମପତ୍ନୀ ପ୍ରଜ୍ଞା କେଡିଆ ଏଥିରେ ପୂଜା କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରୁଛନ୍ତି। ମାଆଙ୍କ ଭକ୍ତ ଜହରଲାଲ ବିଶ୍ଵାଳ, ବିନାୟକ ମହନ୍ତ ଚୂଡାମଣି ଭୋଇ, ନନ୍ଦକିଶୋର ଜେନା ପ୍ରମୁଖ ନବରାତ୍ରୀ ପୂଜା ପରିଚାଳନାରେ ସହଯୋଗ କରୁଥିବା ଜଣା ପଡ଼ିଛି। ପ୍ରତ୍ୟହ ସାନ୍ଧ୍ୟ ଆଳତି ଓ ହୋମ ସମୟରେ ପ୍ରବଳ ଭକ୍ତ ସମାଗମ ଦେଖିବାକୁ ମିଳୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.