କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ୍‌ ନକ୍ସଲ ନେତା ଶୁକ୍ରୁ ସମେତ ୪ ଜଣ 

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଶେଷରେ ଆତ୍ମସମର୍ପଣ କରିଛନ୍ତି ମୋଷ୍ଟ ୱାଣ୍ଟେଡ୍‌ ନକ୍ସଲ ନେତା ଶୁକ୍ରୁ। ସେ କନ୍ଧମାଳ ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେ ତାଙ୍କ ଏକେ-୪୭ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଶୁକ୍ରୁଙ୍କୁ ଧରାଇ ଦେବା ପାଇଁ ୫୫ ଲକ୍ଷର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର। ଶୁକ୍ରୁ ସହିତ ଆଉ ୪ ଜଣ ନକ୍ସଲ ମଧ୍ୟ ଆତ୍ମସମର୍ପଣ କରିଛନ୍ତି। କନ୍ଧମାଳ ରେ ବେଶ୍‌ ସକ୍ରିୟ ଥିଲେ ନକ୍ସଲ ନେତା ଶୁକ୍ରୁ। ଏଇଟ୍‌ଥ କମ୍ପାନୀ ନାଁରେ ନୂଆ ସଂଗଠନ ଚଳାଇଥିଲେ ଶୁକ୍ରୁ। ଆତ୍ମସମର୍ପଣ ପାଇଁ ତାଙ୍କୁ ଆହ୍ବାନ ଦେଇଥିଲା ଓଡ଼ିଶା ପୁଲିସ। ସାଥୀ ନକ୍ସଲ ଅନ୍ୱେଷ ଓରଫ ରେଣୁଙ୍କୁ ହତ୍ୟା କରି ଗତ ମାସରେ ଚର୍ଚ୍ଚାରେ ଥିଲେ ଶୁକ୍ରୁ। ଅନ୍ୱେଷ ଆତ୍ମସମର୍ପଣ କରିବାକୁ ଚାହୁଁଥିବା ବେଳେ ଶୁକ୍ରୁ ଓ ତା’ ସାଥୀମାନେ ମିଶି ତାଙ୍କୁ ମାରି ପୋତି ଦେଇଥିଲେ ବୋଲି ପୁଲିସ୍ କହିଥିଲା। ଶୁକ୍ରୁ ଆତ୍ମସମର୍ପଣ କରିଥିବା ବେଳେ ଶିଲା ସମେତ ୬ ଜଣ ନକ୍ସଲଙ୍କୁ ଧରିବା ପାଇଁ କମ୍ବିଂ ଅପରେସନ୍‌ କରୁଛନ୍ତି ସୁରକ୍ଷା କର୍ମୀ। କନ୍ଧମାଳ-ଗଞ୍ଜାମ-ଗଜପତି ସୀମାନ୍ତରେ ଜୋରଦାର୍‌ କମ୍ବିଂ ଚାଲିଛି। ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରିବାକୁ ଧାର୍ଯ୍ୟ ହୋଇଛି ଡେଡ୍‌ଲାଇନ୍‌। ଶୁକ୍ରୁଙ୍କ ସରେଣ୍ଡର ପରେ ଆଣ୍ଟି ଏଡିଜି (ନକ୍ସଲ ଅପରେସନ) ସଞ୍ଜୀବ ପଣ୍ଡା କହିଛନ୍ତି ଯେ ଶୁକ୍ରୁ ନାଁରେ ଥିବା ୫୫ ଲକ୍ଷର ପୁରସ୍କାର ବାବଦ ଅର୍ଥ ତାକୁ ଦିଆଯିବ। ଏଥିସହ ସରକାରଙ୍କ ପକ୍ଷରୁ ଘୋଷିତ ଅନ୍ୟ ସୁବିଧା ସବୁ ପାଇବେ। ଏହା ସହିତ ସେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ନକ୍ସଲଙ୍କ ସଂଖ୍ୟା ସିଙ୍ଗିଲ ଡିଜିଟ୍‌କୁ ଖସି ଯାଇଛି। ନକ୍ସଲଙ୍କ ପାଇଁ ଏହା ଝଟ୍‌କା। ଆମ ପାଇଁ ଏହା ବଡ଼ ସଫଳତା। ଆଉ ଯେଉଁମାନେ ରହି ଯାଇଛନ୍ତି ସେମାନଙ୍କୁ ଆତ୍ମସମର୍ପଣ ପାଇଁ ଆମେ ଆହ୍ୱାନ କରୁଛୁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.