ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ହେଲା ସ୍ୱଚ୍ଛତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କଷାଫଳ ବେଳାଭୂମି ସ୍ଥିତ ବାରୁଣୀ ମେଳା ପଡିଆରେ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ପକ୍ଷରୁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କଷାଫଳ ବାରୁଣୀ ଘାଟକୁ ଓଡିଶା ସମେତ ପଡୋଶୀ ରାଜ୍ୟ ପଶ୍ଚିମ ବଙ୍ଗ ଏବଂ ଝାଡଖଣ୍ଡ ଅଂଚଳରୁ ପ୍ରାୟ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ କରିବା ପାଇଁ ପହଞ୍ଚିଥିଲେ। ଏହା ସହିତ ବେଳାଭୂମିରେ ଏକ ବୃହତ୍ ମେଳା ମଧ୍ୟ ବସିଥିଲା। ମେଳା ସରିବା ପରେ ସମୁଦ୍ର ତଟ ଓ ଝାଉଁ ଜଙ୍ଗଲ ଭିତରେ ବହୁ ପରିମାଣର ପ୍ଲାଷ୍ଟିକ୍ ଆବର୍ଜନା ଯଥା ପଲିଥିନ ଜରି, ପ୍ଲାଷ୍ଟିକ ବୋତଲ ଏବଂ ପାଣି ପାଉଚ ଆଦି ପଡି ରହିଥିଲା, ଯାହା ଭବିଷ୍ଯତରେ ପରିବେଶ ପାଇଁ ଗମ୍ଭୀର ବିପଦ ସୃଷ୍ଟିର କାରଣ ହେବ। ଏହାକୁ ଲକ୍ଷ୍ୟ କରି କମିଟିର ସଭାପତି ସାମାଜିକ କର୍ମୀ ତଥା ପ୍ରକୃତି ବନ୍ଧୁ ସୁମନ୍ତ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାରୁଣୀ ମେଳା ପଡିଆରୁ ସାରଙ୍ଗ ଦେବ ମନ୍ଦିର ପର୍ଯ୍ୟନ୍ତ ପଡିଥିବା ଅଳିଆ ଆବର୍ଜ୍ଜନାକୁ ପରିଷ୍କାର ପରିଚ୍ଛନ୍ନ କରିବା ସହିତ ସମାଜକୁ ସ୍ୱଚ୍ଛତାର ଏକ ପ୍ରଶସଂନୀୟ ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ମୁକୁନ୍ଦ ଆଦିକ, ନାଏବ ସରପଞ୍ଚ ପ୍ରିୟ ରଞ୍ଜନ ପୃଷ୍ଟି, ମା ମନସା କ୍ଲବ ଛୟାଳିଆ ଏବଂ ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟିର ସଦସ୍ୟସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ। ପ୍ରକୃତି ବନ୍ଧୁଙ୍କର ଏହିଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ପ୍ରସଂଶା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.