ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ସ୍ଥିତ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ୧୫ତମ ବାର୍ଷିକୋତ୍ସବ ଅଧ୍ୟକ୍ଷା ଡକ୍ଟର ମାନବୀନ କୌରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବେଦାନ୍ତ ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଦାନ୍ତ ବିତ୍ତ ବିଭାଗ ମୁଖ୍ୟ ପିୟୁଷ ଲୁନାବତ ଯୋଗଦାନ କରିଥିଲେ।
ସର୍ବପ୍ରଥମେ ମୁଖ୍ୟ ଅତିଥି ଦୀପ ପ୍ରଜ୍ଜ୍ୱଳନ କରି ବାର୍ଷିକୋତ୍ସବର ଶୁଭାରମ୍ଭ କରିଥିଲେ। ଅଧ୍ୟକ୍ଷ ଡକ୍ଟର କୌର ସ୍ୱାଗତ ଅଭିଭାଷଣ ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହା ସହ କଠିନ ପରିଶ୍ରମ ଓ ଦୁର୍ବାର ଇଚ୍ଛାଶକ୍ତି ହିଁ ଛାତ୍ରଛାତ୍ରୀମାନଙ୍କ ଉନ୍ନତିର ମୂଳ କାରଣ ଅଟେ ବୋଲି ମତବ୍ୟକ୍ତ କରିଥିଲେ।

ଉକ୍ତ ମହୋତ୍ସବରେ ମୁଖ୍ୟ ଅତିଥି ଶ୍ରୀ ଭଟ୍ଟାଚାର୍ଯ୍ୟ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ ସହ ଚାରିତ୍ରିକ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ସମ୍ମାନିତ ଅତିଥି ଶ୍ରୀ ଲୁନାବଟ କୃତୀଛାତ୍ରୀଛାତ୍ରୀ ମାନଙ୍କର ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତ ମଙ୍ଗଳ କାମନା କରିଥିଲେ। ଏହା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ନୁପୁର ଚି଼ଚୁଆଁ, ସୁଶ୍ରୀ ସୌମ୍ୟା, ଲୁସେନ ବାଗ, ଲକ୍ସିତ ବୈଷ୍ଣବ, ଆଦିତ୍ୟ ଅଗ୍ରୱାଲ, ଅପର୍ଣ୍ଣା ପାତ୍ର, ଆରାଧ୍ୟା ଗୁରୁ ଓ ସାଂଭି ପଣ୍ଡା।

ଚଳିତ ବର୍ଷର ବିଦ୍ୟାଳୟର ଉନ୍ନତି ତଥା ପ୍ରଗତିର ଗୁଣଗାନ କରିଥିଲେ ଇଂରାଜୀ ଶିକ୍ଷକ ଶ୍ରୀ ସୁଶାନ୍ତ ମେହେର ବିଦ୍ୟାଳୟ। ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ବର୍ତ୍ତିକା’ ଉନ୍ମୋଚିତ ହୋଇଥିଲା। ଶେଷରେ ଆନୁଷ୍ଠାନିକ ଭାବରେ ଶିକ୍ଷକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





