ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ୍ ଭଟଙ୍ଗପାଦର କ୍ଲଷ୍ଟର ପକ୍ଷରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ, ରାଣିକଟାରେ ଦ୍ୱିଦିବସୀୟ ଶିକ୍ଷଣ ସାମଗ୍ରୀ (ଟିଏଲଏମ୍) ପ୍ରସ୍ତୁତି କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାକୁ ଭଟାଙ୍ଗପଦର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ସାହୁ ଉଦଘାଟନ କରିଥିଲେ ଏବଂ ଆନୁଷ୍ଠାନିକ ଭାବରେ ଟିଏଲଏମ୍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା।
ଦ୍ୱିତୀୟ ଦିନରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦେଇ ଶିକ୍ଷକମାନଙ୍କୁ ଟିଏଲଏମ୍ ବ୍ୟବହାର ମାଧ୍ୟମରେ ଶିକ୍ଷାଦାନକୁ ଆହୁରି ଆକର୍ଷଣୀୟ ଓ ଫଳଦାୟକ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଆରସିସି ସୁଢଳଦେବ ମୁଣ୍ଡ ଓ ସମିତି ସଭ୍ୟ ରୂପେନ୍ଦ୍ର ଛତ୍ରିଆ ଉପସ୍ଥିତ ଥିଲେ।
ଏହି ଅବସରରେ କଟୋଡଘାଟି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦାମ ସୁନାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା। ଏହି ସଭାକୁ ଜାମଚୁଆଁ ପ୍ରଧାନଶିକ୍ଷକ ଶିବପ୍ରସାଦ ଦାସ ପରିଚାଳନା କରିଥିଲେ।
ପରବର୍ତୀ ସମୟରେ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ମେହେର, ସମିତି ସଭ୍ୟ ଶ୍ରୀ ଛତ୍ରିଆ, ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସାହୁ, ରାଣିକଟା ପ୍ରଧାନଶିକ୍ଷକ ସୁଶାନ୍ତ, ନାନ୍ଦକନା ପ୍ରଧାନଶିକ୍ଷକ ଅନୀଲ ତ୍ରିପାଠୀ ତଥା ଅନ୍ୟାନ୍ୟ ଶିକ୍ଷକ ନିକଟସ୍ଥ କୋଏଲଗାଁ ଗସ୍ତ କରି ଶିକ୍ଷା ସଭାରେ ନୂତନ ଭାବରେ ଶିଶୁବାଟିକାରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ।
କ୍ଲଷ୍ଟର ଅନ୍ତର୍ଗତ ୧୬ ଗୋଟି ବିଦ୍ୟାଳୟରୁ ଆସିଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ସୃଜନଶୀଳ ଓ ନୂତନ ଧାରଣାମୂଳକ ଟିଏଲଏମ୍ ପ୍ରସ୍ତୁତ କରିଥିଲେ। ଦ୍ୱିତୀୟ ଦିନରେ ଟିଏଲଏମ୍ ଗୁଡ଼ିକର ଅନ୍ତିମ ପ୍ରସ୍ତୁତି ପରେ ଏକ ଆକର୍ଷଣୀୟ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା, ଯାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା।

ଟିଏଲଏମ୍ ପ୍ରସ୍ତୁତ କରିଥିବା ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ମାନପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା। ଏହି କର୍ମଶାଳା ମାଧ୍ୟମରେ ଶିକ୍ଷକମାନେ ନୂତନ ଶିକ୍ଷା ପଦ୍ଧତି ଓ କୌଶଳ ଅର୍ଜନ କରିଥିବା ସହିତ ଶିକ୍ଷାର ଗୁଣାତ୍ମକ ଉନ୍ନତି ପାଇଁ ଏହା ଏକ ମୂଲ୍ୟବାନ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ।





