ବୃଦ୍ଧ ବଡ଼ ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନ ଭାଇଙ୍କ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲାର ସଇଁତଳା ବ୍ଲକ ଅନ୍ତର୍ଗତ ଜଲିଆ ଦରହ ଗ୍ରାମରେ ଏକ ବିଷାଦମୟ ଘଟଣା ଦେଖିବାକୁ ମିଳିଛି। ବଡ଼ ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନ ଭାଇଙ୍କ ମଧ୍ୟ ମୃତ୍ୟୁ ଘଟିଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ନୀଳମଣି ସାହୁ କଣ୍ଟାମାଲରେ ବସବାସ କରୁଥିଲେ ଓ ତାଙ୍କ ସାନ ଭାଇ ସୁଦର୍ଶନ ସାହୁ ଜଲିଆ ଦରହ ଗ୍ରାମରେ ରହୁଥିଲେ। ବଡ଼ ଭାଇ ନୀଳମଣି ସାହୁ ଅସୁସ୍ଥ ହେବା ପରେ ସାନ ଭାଇ ସୁଦର୍ଶନ ସାହୁ କଣ୍ଟାମାଲକୁ ଯାଇ ତାଙ୍କ ସେବା କରୁଥିଲେ।
ଗତ ରାତି ପ୍ରାୟ ୩ଟା ସମୟରେ ବୃଦ୍ଧାବସ୍ଥା ଯୋଗୁଁ ନୀଳମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ପରେ ବଡ଼ ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନ ଭାଇ ସୁଦର୍ଶନ ସାହୁ ଭାତୃସ୍ନେହରେ ବିଭୋର ହୋଇ ପ୍ରାୟ ୩ଟା ୧୫ ମିନିଟ ସମୟରେ ତାଙ୍କ ମଧ୍ୟ ଦେହାନ୍ତ ଘଟିଥିବା ଜଣାପଡ଼ିଛି। ସୁଦର୍ଶନ ସାହୁ ଜଲିଆ ଦରହ ଗ୍ରାମର ଜଣେ ଧର୍ମପରାୟଣ ଓ ସମ୍ମାନିତ ବ୍ୟକ୍ତି ଥିଲେ। ଏହି ଦୁଃଖଦ ଘଟଣାରେ ସମଗ୍ର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.