ଇନଟାକ ତରଫରୁ ‘ଜୀବନର ଗଛ’ ସର୍ବଭାରତୀୟ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୋନପୁର: କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଦିଗରେ କାର୍ଯ୍ୟରତ ସର୍ବଭାରତୀୟ ଅନୁଷ୍ଠାନ ଇନ଼ଟାକର ସୋନପୁର ଚ୍ୟାପ୍ଟର ତରଫରୁ ଜୀବନର ଗଛ ପୋଷ୍ଟର ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସାହାରା ଟ୍ରଷ୍ଟ ହାଇସ୍କୁଲ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସାହାରା ଟ୍ରଷ୍ଟ ହାଇସ୍କୁଲ, ଆଇଡିଏଲ ପବ୍ଲିକ ସ୍କୁଲ, ପିଏମଶ୍ରୀ ମହାରାଜା ହାଇସ୍କୁଲ, ପିଏମଶ୍ରୀ କେନ୍ଦ୍ରିୟ ବିଦ୍ୟାଳୟରୁ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଣ୍ଟାକ୍‌ ଦ୍ୱାରା ଶ୍ରେଣୀ ୭ ରୁ ୯ ପର୍ଯ୍ୟନ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଏହି “ଜୀବନର ଗଛ” ବିଷୟରେ ଏହି ସର୍ବ ଭାରତୀୟ ପୋଷ୍ଟର ତିଆରି ପ୍ରତିଯୋଗିତା ଆୟୋଜିତ କରାଯାଉଛି। ଏହା ଆମ ଦେଶର ଭବିଷ୍ୟତର ଦୀପବାହକ ଥିବା ଶିଶୁମାନଙ୍କୁ ସଚେତନ କରିବାରେ ସହାୟକ ହେବ ଏବଂ ଏହା ଆମର ଗର୍ବିତ ବିଶ୍ୱସ୍ତରୀୟ ମିଶନ୍‌କୁ ମଧ୍ୟ ସହାୟତା କରିବ, ଯାହା ମୂଲ୍ୟାଙ୍କନ, ଅନୁସନ୍ଧାନ ଓ ସାଂସ୍କୃତିକ ଶିକ୍ଷାର ଆତ୍ମାକୁ ପ୍ରୋତ୍ସାହନ ଦେବାକୁ ଉଦ୍ଦିଷ୍ଟ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୧୦୦ ଜଣ କୃତୀ ପ୍ରତିଯୋଗୀଙ୍କୁ ଆଞ୍ଚଳିକ ସ୍ତରରେ ଏବଂ ୧୦ ଜଣଙ୍କୁ ଜାତୀୟ ସ୍ତରରେ ପୁରସ୍କୃତ କରାଯିବ । ଏହା ବ୍ୟତିତ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯିବ ।

ପ୍ରତିଯୋଗିତା ପରେ ଇନଟାକ ସୋନପୁର ଚାପ୍ଟରର ଆବାହକ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଜିଲ୍ଲା ବନାଧିକାରୀ ତଥା କବି ସୁଶୀଲ କୁମାର ତ୍ରିପାଠୀ, ସମାଜସେବୀ ଗତିକୃଷ୍ଣ ମିଶ୍ର ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସମ୍ବଲପୁର ମଣ୍ଡଳ ପ୍ରମୁଖ ଅଜିତ କୁମାର ମେହେର ଅତିଥି ଭାବେ ଯୋଗଦେଇ ଜୀବନର ଗଛ ଉପରେ ଆଲୋଚନା କରିଥିଲେ । ଇନଟାକର ସହ ଆବାହକ ବନମାଳି ପଣ୍ଡା ସଭା ପରିଚାଳନା କରିଥିବାବେଳେ ଦେବକୀ ନନ୍ଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟଶ୍ରୀ ଗଦାଧର ବାରିକ ଏବଂ ଚିତ୍ରଶିଳ୍ପୀ ଦୁର୍ଯ୍ୟୋଧନ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.