ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶନିବାର ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ଏକ ସଙ୍ଗେ ଅନୁଷ୍ଠିତ ହୋଇଛି। ଓ୍ବାନ ବାର୍, ଓ୍ବାନ୍ ଭୋଟ୍, ଓ୍ବାନ୍ ଇଲେକ୍ସନ ଆଧାରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜଣେ ଆଇନଜୀବୀ କେବଳ ଗୋଟିଏ ବାରରେ ହିଁ ଭୋଟ୍ ଦେଇଥିଲେ। ଏହିକ୍ରମରେ ଶାନ୍ତିଶୃଙ୍ଖଳାର ସହିତ କଳାହାଣ୍ଡି ଜିଲ୍ଲା ନର୍ଲା ଓକିଲ ସଂଘର ନିର୍ବାଚନ ସମାପ୍ତ ହୋଇ ଫଳ ପ୍ରକାଶ ପାଇଛି। ନିର୍ବାଚନରେ ନୂଆ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, ଲାଇବ୍ରେରୀ ସମ୍ପାଦକ ଓ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ଅଧିବକ୍ତା ପରିଷଦଙ୍କ ନିର୍ଦ୍ଦେଶ କ୍ରମେ ନର୍ଲାରେ ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଆଇନଜୀବୀ ଯୁବରାଜ ହରିଜନ କାର୍ଯ୍ୟ ନିର୍ବାହ କରିଥିଲେ। ନିର୍ବାଚନ ଫଳକୁ ନେଇ ନର୍ଲା ଓକିଲ ସଂଘରେ ଖୁସିର ଲହରୀ ଖେଳିଯାଇଛି। ନର୍ଲା ବାର ଆସୋସିଏସନର ନୂତନ ସଭାପତି ଭାବେ ଚନ୍ଦ୍ରଶେଖର ଚାନ୍ଦ, ଉପ ସଭାପତି ଭାବେ କ୍ଷିତିଶ କୁମାର ମହାପାତ୍ର, ସଂପାଦକ ଭାବରେ ଡୋଲେଶ୍ବର ସାହୁ, ଯୁଗ୍ମ ସମ୍ପାଦକ ଭାବେ ବିଭୂତି ଭୂଷଣ ବହିଦାର, ଲାଇବ୍ରେରୀ ସମ୍ପାଦକ ଭାବେ ପ୍ରଦୀପ୍ତ ମିଶ୍ର ଏବଂ କୋଷାଧ୍ୟକ୍ଷ ଭାବରେ ଡ଼ଃ ସଞ୍ଜୟ ଧଙ୍ଗଡାମାଝୀ ନିର୍ଦ୍ଵନ୍ଦରେ ମନୋନୀତ ହୋଇଥିବା ନିର୍ବାଚନ ଅଧିକାରୀ ଯୁବରାଜ ହରିଜନ ପ୍ରକାଶ କରିଛନ୍ତି।





