ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଗୋତମୁଣ୍ଡା ଗ୍ରାମ ପଞ୍ଚାୟତର ପିପଲଝାପର ଠାରୁ ବିଜୁ ଏକ୍ସପ୍ରେସୱେ କୁ ସଂଯୋଗ କରୁଥିବା ରାସ୍ତା ବର୍ଷ ବର୍ଷ ଧରି ଶୋଚନୀୟ ହୋଇ ପଡିଛି। ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଏହି ରାସ୍ତା ପ୍ରତିବର୍ଷ ବିଭିନ୍ନ ଯୋଜନା ମାଧ୍ୟମରେ ମରାମତି କରାଯାଉଥିଲେ ମଧ୍ୟ ରାସ୍ତା ଅବସ୍ଥାରେ ସୁଧାର ଆସି ପାରୁନାହିଁ। ରାସ୍ତାର ସ୍ଥାନେ ସ୍ଥାନେ ଖଲଖାମା ରହିଛି। ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି। ଏହି ରାସ୍ତାରେ ଚାରି ଚକିଆ ଯାନ ବାହନ ଚଳାଚଳ କରିବା ଭାରି କଷ୍ଟକର ହୋଇଥାଏ। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହିଥାଏ। ଗାଁକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଚାରିଚକିଆ ଯାନ ବାହନ ଯିବାକୁ ହେଲେ ଗୋତମୁଣ୍ଡା ଦେଇ ବୁଲିବାକୁ ପଡ଼ିଥାଏ। ଏହି ରାସ୍ତାରେ ଆଖପାଖର ପ୍ରାୟ ୩ ଖଣ୍ଡ ଗାଁର ଲୋକେ ନିତିଦିନିଆ ଯା’ ଆସ କରିଥାନ୍ତି। ଏହି ରାସ୍ତା କୁ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ହସ୍ତାନ୍ତର କରିବା ସହ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ଆଖପାଖ ଗ୍ରାମର ଲୋକେ ଦାବି କରିଛନ୍ତି।





