ପଞ୍ଚୁପାଣ୍ଡବ ବନବାସ ପରେ ଗୁପ୍ତବାସ ବିରାଟ ରାଜ୍ୟରେ କରିଥିଲେ । ତେଣୁ ସେମାନେ ବିରାଟ ରାଜ ଦରବାରରେ ଛଦ୍ମ ବେଶରେ ବିଭିନ୍ନ ନାମ ଓ ବିଭିନ୍ନ କର୍ମରେ ଯୋଗ୍ୟତା ଦର୍ଶାଇ ଆଶ୍ରୟ ନେଇଥିବା ମହାଭାରତରୁ ଜଣାଯାଏ । ତନ୍ମଧ୍ୟରୁ ସହଦେବ ବିରାଟ ରାଜାଙ୍କ ଦରବାରରେ ନିଯୁକ୍ତି ପାଇଁ ଉପସ୍ଥିତ ହେବା ସମୟରେ ଗୋପାଳ ମାନଙ୍କର ରୂପ, ଗୁଣ, ଶକ୍ତି ପ୍ରଭୃତି ସମ୍ପର୍କରେ ସଭା ପଣ୍ଡା କୋନ୍ତଭଟ୍ଟ ଯେ କି ନିଜେ ଯୁଧୁଷ୍ଠିର ସେ ବିରାଟ ରାଜାଙ୍କୁ ଦେଇଥିବା ବର୍ଣ୍ଣନା ଓଡ଼ିଶାର ଆଦିକବି ସାରଳା ଦାସ ମହାଭାରତ ବିରାଟ ପର୍ବରେ ବେଶ୍ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି–
କାଛଟି ବସନ ବିନା ନ ଜାଣନ୍ତି କିଛି
ଗୋରସ ଖାଆନ୍ତି ସର ଭୁଞ୍ଜନ୍ତି ସେ ବାଛି ।
ଳବଣୀ ଅଧାମ ପୁଣି ସୁମଧୁର ଛେନା
ଉବୁରିଲେ ଏହାଙ୍କଠୁ ଅନ୍ୟଖାଏ ସିନା ।
ବୁଲାବନ୍ତି ଲଉଡ଼ି ସେ ମତ୍ତ ରଣ ରଙ୍ଗେ
ନାଚନ୍ତି ଖେମଟା ନାଟ କ୍ରୀଡ଼ା ସତସଙ୍ଗେ ।
ବଳେ ଅନର୍ଗଳ ପୁଣି ଅଟନ୍ତି ମହାସୁଖୀ
ରଜନୀ ହିଁ ବଞ୍ଚନ୍ତି ଗୋ ପଲ ଥାନ୍ତି ରଖି।
ପୁନଶ୍ଚ ମହାଭାରତ ଆଖ୍ୟାନ ଅନୁଯାୟୀ କୁରୁପତି ଦୁର୍ଯ୍ୟୋଧନଙ୍କ ନେତୃତ୍ଵରେ କୁରୁ ସୈନ୍ୟମାନେ ରାଜାଙ୍କ ଗୋଧନ ପଲ ଅପହରଣ କରିବାକୁ ଯାଇଥିଲେ। କିନ୍ତୁ ତନ୍ତ୍ରୀପାଳି ସହଦେବ ଗୋପାଳମାନଙ୍କ ସହଯୋଗରେ କୁରୁ ସୈନ୍ୟମାନଙ୍କୁ ଗୋଧନ ହରଣ ପ୍ରଚେଷ୍ଟାର ପ୍ରତିରୋଧ କରିଥିଲେ। ଏହି ପ୍ରତିରୋଧ ଆଖ୍ୟାନକୁ ବର୍ଣ୍ଣନା କରି ଆଦିକବି ସାରଳା ଦାସ ଗୋପାଳମାନଙ୍କର ବେଶଭୂଷା ଶୌର୍ଯ୍ୟ ବିଷୟର ଅତି ସୁନ୍ଦର ଚିତ୍ର ବିରାଟ ପର୍ବରେ ଦେଇଅଛନ୍ତି –
କଟିତଟେ ମାଳ ପୁଞ୍ଜ କାଛଟାନ୍ତ ଭିଡ଼ି
ବେନିକରେ ଧରି କେନ୍ଦୁ ଶରର ଲଉଡ଼ି ।
ଶିରପରେ ଖୋସିଛନ୍ତି ମୟୁରର ଝାଲି
ନାନା ବର୍ଣ୍ଣେ ଭିଡ଼ିଛନ୍ତି ହସ୍ତେ ପାଟଫୁଲି।
ଶଙ୍ଖ ଗରଡ଼ର ମାଳି ଗଳେ କେରା କେରା
ହସ୍ତେ ମୁଦ୍ରିକା ଜଡ଼ିତ ତହିଁପରେ ହୀରା ।
କଟିରେ ଘଣ୍ଟି ଘାଗୁଡ଼ି ଅଛି ମାଳ ମାଳ
କେ ଭାଙ୍ଗିଣ ମାଥେ ଖୋସିଅଛି ଜାମୁଡାଳ ।
ତନ୍ତ୍ରୀପାଳି ପ୍ରସାଦରେ ତାଙ୍କୁ କାରେ ଭୟ
ମତୁଆଳ ନାଟ ନାଚୁଛନ୍ତି ବୀର ଚୟ ।
ଲଉଡିକୁ ବୁଲାଇଣ ଧାମନ୍ତି ଗୋପାଳ
ଆଗେ ଆଗେ ଧାମନ୍ତି ଯେ ବୀର ତନ୍ତ୍ରୀପାଳ।
× × ×
କର୍ଣ୍ଣ ବିରଥ ହୋଇଣ ଗଲା ଅପସରି
ଧାଇଁଲେ ଗୋପାଳ ତହୁଁ ଲଉଡିକୁ ଧରି।
ରଡ଼ି ଦେଇଣ ଗୋପାଳବୀରେ ତହୁଁ ଉଠି
ଯୋଦ୍ଧାଙ୍କ ଉପରେ ନେଇ ପ୍ରହାରିଲେ ଜଷ୍ଟି।
ଯୋଦ୍ଧାଏ ଏ ବାଣ ବିନ୍ଧନ୍ତି ତହିଁ ଅବିଚ୍ଛନ୍ନେ
ଗୋପାଳଙ୍କୁ ଆବୋରିଲେ ଦୌଡ଼ି ଗାଈମାନେ ।
ଅନିବାର୍ଯ୍ୟ ହୋଇ ତହିଁ ଘଟିଲା ଯୁଦ୍ଧ
ବହୁତ ସୈନ୍ୟ ପଡ଼ିଲେ ସେହି ରଣ ମଧ୍ୟ।
ଅସମ୍ଭାଳ ହୋଇ ତହିଁ ପଳାଇଲେ ଥାଟ
ପଡ଼ିଲା ବହୁ ପାଏଢ଼ା ନ ପାବନ୍ତି ବାଟ।
ବନ କନ୍ଦରକୁ ସୈନ୍ୟ ପଳାଇଣ ଗଲେ
ଗଳହ ହେତୁରୁ ତହିଁ କେତେ ଚୂର୍ଣ୍ଣ ହେଲେ।
ପାଞ୍ଚଦଶ ଯୁଣ ଯାଏ ପାଏଢ଼ା ପଡ଼ିଲେ
ବହୁ ଅଶ୍ବ, ଗଜ ସୈନ୍ୟ ତହିଁ ନାଶ ହେଲେ।
ଦଶସହସ୍ର ରଥ ନବ ଅଇବ୍ରତେ ରଥି
ଅସଂଖ୍ୟ ତୁରଗ ତିନି ପରାର୍ଦ୍ଧ ପଦାତି।
ଏତେକ ସୈନ୍ୟ ପଡ଼ିଲେ ଗୋଧନ ସମରେ
ଭଗ୍ନବଳ ଘେନି ରାଜା ରହେ ନଦୀତୀରେ।
× × ×
ଲଉଡ଼ିର ପରିତାଳ ବାଜେ ତଡ଼ବଡ଼ି
ଚଉଦିଗ ଉଛୁଳିଲା ଗୋପାଳଙ୍କ ରଡ଼ି।
ସମଦଣ୍ଡ ରହିଲେ ଯେ ସ୍ତମ୍ଭୀଭୂତ ହୋଇ
ଭୀଷ୍ମ ପ୍ରଶଂସା କରନ୍ତି ଗୋପାଳଙ୍କୁ ଚାହିଁ।
× × ×
ବାଜିଲା ଯେ ବାଦ୍ୟମାନ ମର୍ଦ୍ଦଳ ଘୁମୁରା
ମତ୍ତରଙ୍ଗରେ ନାଚନ୍ତି ଗୈାଡ ମହାବୀରା।
ତ୍ରାସକୁ ପାଇ ଘୁଞ୍ଚିଣ ଗଲେ କଉରବେ
ଗୋଧନ ପଲ ଘେନିଣ ଚଳେ ସହଦେବେ।
(ସାରଳା ମହାଭାରତ ବିରାଟ ପର୍ବର ବୀରବାହୁ ସହିତ ଯୁଦ୍ଧ ଗମନ ଗୋଧନ ହରଣ ନିମନ୍ତେ କୁରୁସୈନ୍ୟ ବିରାଟରେ ପ୍ରବେଶ ଓ ପୃଥୁନା ସହଦେବ ସହ ଯୁଦ୍ଧ ବିଷୟରୁ ଉଦ୍ଧୃତ)
ସାରଳା ମହାଭାରତ ପରିବେଶିତ ସମରକୌଶଳ ବା ଯୁଦ୍ଧ ସମ୍ପର୍କୀୟ ବର୍ଣ୍ଣନାମାନ ସାରଳା ଦାସ ଗଜପତି କପିଳେନ୍ଦ୍ର ଦେବଙ୍କ ଯୁଦ୍ଧ ଯାତ୍ରା ସମ୍ମିଳିତ ଓ ଯୁଦ୍ଧ କ୍ଷେତ୍ରର ବର୍ଣ୍ଣନାକୁ ଆଧାର କରି ଲେଖାଯାଇଥିବାର ଗବେଷକମାନେ ମତ ଦେଇଥାନ୍ତି। ସେହି ଦୃଷ୍ଟିରୁ ବିଚାର କଲେ ଗୋପାଳ (ଯାଦବ) ମାନଙ୍କର ଲଉଡି ଯୁଦ୍ଧର ବର୍ଣ୍ଣନା ସେ ସମୟର ଲଉଡି ମାଧ୍ଯମରେ ଯୁଦ୍ଧ କରୁଥିବା ପଦାତିକ ବାହିନୀର ଯୁଦ୍ଧ ବର୍ଣ୍ଣନା ଛଡ଼ା ଅନ୍ୟକିଛି ହୋଇ ନପାରେ । ଫଳତଃ ଉତ୍କଳରେ ଏକ ଗୋପାଳ ବା ଯାଦବ ବାହିନୀ ଥିଲା ଏବଂ ସେମାନେ ଲଉଡି ମାଧ୍ଯମରେ ଯୁଦ୍ଧ କରିବାରେ ବେଶ ପାରଦର୍ଶିତା ଲାଭ କରିଥିବା ଅନୁମେୟ। ଘୁମୁରା ଯୁଦ୍ଧ ବାଦ୍ୟ ଭାବେ ବ୍ୟବହୃତ ହେଉଥିଲା । ଏହା ବ୍ୟତିରେକ ସାରଳା ମହାଭାରତରେ ସାରଳା ଦାସ ‘ଗୋସିଙ୍ଗ ଦୈତ୍ୟ ବଧ’ ପ୍ରକରଣ ଏକ ବିଷୟ ଉଲ୍ଲେଖ କରିଛନ୍ତି –
କୁଳାବଳୀ ପାଟଣା ଯେ ଅପୂର୍ବ ନଗରୀ
ତହିଁ ମଧ୍ୟରେ କନକ ନାମେ ଅଛି ଗିରି।
ମହାପ୍ରତାପି ମହିଷା ଅସୁରର ବଂଶ
ଜେନାବଳୀ ନଗ୍ରେ ରାଜ୍ୟ କରଇ ଅସୁର।
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଅସୁରଗଡ ରାଜସ୍ବ ଗ୍ରାମରେ ରହିଛି ଅସୁରଗଡ ଦୁର୍ଗ। ଏହାର ସମୟସୀମା ଖ୍ରୀ:ପୂ: ନବମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ। ଏହା ଦୈତ୍ୟ ଦାନବ ସଭ୍ୟତାର ଅଂଶ ବିଶେଷ। ଲୋକଶୃତି ଅନୁସାରେ ଅସୁରଗଡ (ସାରଳା ଦାସଙ୍କ ବର୍ଣ୍ଣନାରେ କୁଳାବଳୀ ପାଟଣା)ରେ ଗୋସିଙ୍ଗ ଦୈତ୍ୟ ନାମରେ ଜଣେ ଶକ୍ତିଶାଳୀ ରାଜା ରାଜୁତି କରୁଥିଲେ। କହିବାର ତାତ୍ପର୍ଯ୍ୟ ହେଲା ଆଦି କବି ସାରଳା ଦାସ କଳାହାଣ୍ଡି ତଥା ଏହାର ବୀର ବାଦ୍ୟ ‘ଘୁମୁରା’କୁ ଅତି ପାଖରୁ ଦେଖିଥିଲେ।
ଖ୍ରୀଷ୍ଟପୂର୍ବ ସମୟରୁ ବସବାସ କରୁଥିବା କଳାହାଣ୍ଡି ଅଞ୍ଚଳର ମଗଧା ଯାଦବ ଗୋଷ୍ଠୀ ଘୁମୁରା ଓ ଲଉଡି (ବନାବାଡି)ର ପ୍ରଚାର ପ୍ରସାରରେ ବିଶେଷ ଅବଦାନ ରହିଛି। ପୁରାଣ ପ୍ରସିଦ୍ଧ ସୋମବଂଶ/ ଚନ୍ଦ୍ରବଂଶ ବା ଯଦୁବଂଶର ଏକ ଶାଖା ହେଉଛନ୍ତି ଓଡିଶାର ମଗଧା ଯାଦବ ଗୋଷ୍ଠୀ। ମଗଧରୁ ଆସିଥିବାରୁ ଏମାନଙ୍କୁ ମଗଧା ଯାଦବ ବୋଲି କୁହାଯାଏ। ତେବେ ଏମାନେ ମହାରାଜ ଯଦୁଙ୍କ ଦ୍ବିତୀୟ ପୁତ୍ର ଦୟୋଦଙ୍କ ବଂଶ ଲିତା ଭିତରେ ଯାଆନ୍ତି। ମଗଧ ସମ୍ରାଟ ଜରାସନ୍ଧଙ୍କ ପୂର୍ବ ପୁରୁଷ ହେଉଛନ୍ତି ମହାରାଜ ଦୟୋଦ। ତେଣୁ ମଗଧା ଯାଦବମାନେ ଜରାସନ୍ଧଙ୍କ ବଂଶଜ ବୋଲି ପରିଚିତି ଲାଭ କରିଛନ୍ତି। ଭାଗବତରେ ପ୍ରମାଣ ଦେଖନ୍ତୁ –
“ଏଥୁ ଅନ୍ତରେ ଏବେ ଶୁଣ। ଯଦୁବଂଶର ଯେ ପ୍ରମାଣ।।
ଯଯାତି ଜ୍ୟୋଷ୍ଠପୁତ୍ର ଯଦୁ। ଅଷ୍ଟାଦଶ ଯାଦବ ପ୍ରଭୂ।।
*** *** *** *** *** ***
ସେ ଯଦୁ ପାଞ୍ଚପୁତ୍ର ଶ୍ରେଷ୍ଠ। ସହସ୍ରବ ନାମ ବିଶିଷ୍ଟ।।
ତାର ବଂଶେ ସହସ୍ରାର୍ଜୁନ। ତାକୁ ମାରିଲେ ପର୍ଶୁରାମ।।
ଦ୍ବିତୀୟ ପୁତ୍ର ଯେ ଦୟୋଦ। ସେ ବଂଶେ ଜାତ ଜରାସନ୍ଧ।।
ତୃତୀୟ ପୁତ୍ର କେଶୁ ନାମ। ସେ ବିଷ୍ଣୁ ବଂଶେ ବିଦ୍ୟମାନ।।
ସୁରସେନ ବସୁଦେବାଦି। ଏମାନ କହିଛି ସମ୍ପାଦି।।
ଚତୁର୍ଥ ପୁତ୍ର ନୀଳ ନାମ। ତା ବଂଶେ ପଣ୍ଡୁ ବିଦ୍ୟମାନ।।
ଦ୍ରାବିଡ କଉର ଆବ୍ରତ। ଏ ଆଦି ରାଜା ଯେ ବିଖ୍ୟାତ।।
ପଞ୍ଚମ ପୁତ୍ର ଯେ ଅନ୍ଧକ। ଭୋଜ ଯେ ଉଗ୍ରସେନ ଦିକ।।
ତହୁଁ ବିଷ୍ଣୁ ବଂଶରେ ପୁଣ। ସୁରସେନାଦି ଯେ ରାଜନ।।” (ଶ୍ରୀମଦ୍ଭାଗବତ ଦ୍ବାଦଶସ୍କନ୍ଧ, ଦ୍ବାଦଶ ଅଧ୍ୟାୟ)
ସାରଳା ମହାଭାରତର ଗୋସିଂହ ଦୈତ୍ୟ ବଧ ପ୍ରସଙ୍ଗ ଅନୁସାରେ କୃଷ୍ଣ ବଳରାମ ରୈବତ ପର୍ବତରେ ଏକ ଯଜ୍ଞର ଆୟୋଜନ କରି ନିଜର ଚାରି ପୁତ୍ରଙ୍କୁ ରାଜା ମାନଙ୍କୁ ନିମନ୍ତ୍ରୀ ଆଣିବା ପାଇଁ ଚାରି ଦିଗକୁ ପ୍ରେରଣ କଲେ। ସାତ୍ୟକି ମାନବ କିମ୍ବା ଦାନବ ରାଜ୍ୟ ବୋଲି ଜାଣିନପାରି ଗୋସିଂହ ଦୈତ୍ୟର ରାଜ୍ୟରେ ପ୍ରବେଶ କଲେ। ସେ ଜୀବନ ବଞ୍ଚାଇବାକୁ ଯାଇ ଗୋସିଂହ ଦୈତ୍ୟଙ୍କୁ କୃଷ୍ଣ-ବଳରାମଙ୍କ ସନ୍ଦେଶ ଦେଇ ରୈବତ ପର୍ବତରେ ଆୟୋଜିତ ହେଉଥିବା ଯଜ୍ଞକୁ ଆମନ୍ତ୍ରଣ କଲେ। ଅସୁରବଳ ରେରେକାର କରି ରୈବତ ପର୍ବତ ଅଭିମୁଖେ ଯାତ୍ରା କଲେ। ଏହି ପ୍ରସଙ୍ଗରେ ଶାରଳା ଦାସ ଗୋସିଂହ ଦୈତ୍ୟର ସୈନ୍ୟବଳ ସହ ବାଦ୍ୟନାଦର ବର୍ଣ୍ଣନା କରିଛନ୍ତି। –
ଢୋଲ ଟମକ ନିଶାଣ ବାଣ ବିଜିଘୋଷ।
ବୀର ତୂରୀ ଶବଦରେ କମ୍ପଇ ଆକାଶ।।
ଓଟ ଗଧ ଗଜ ଅଶ୍ବ ବ୍ୟାଘ୍ର ଯେ ଶାର୍ଦ୍ଦୁଳ।
ଆରୋହୀ ଅସୁରେ ଯାନ୍ତି ଅପର୍ଯ୍ୟାପ୍ତ ବଳ।।
ଗଦାଶୂଳ ଚକ୍ରକାତି ମୁଦଗର ଭୂଷଣ୍ଡି।
ସୁବର୍ଣ୍ଣ ପ୍ରବାଳ ରତ୍ନେ ରଥଯାକ ମଣ୍ଡି।।
ଲକ୍ଷେକ ସାଗର ରଥ ଦ୍ବିସାଗର ହୟ।
ବେନିଲକ୍ଷ ସାଗର ଯେ ମାତଙ୍ଗ ଗବୟ।।
ଅଶୀଲକ୍ଷ ଅସୁରଙ୍କ ବ୍ୟାଘ୍ର ଯେ ବାହନ।
ଓଟ ପିଠିରେ ଚଢିଲେ ଅୟୁତେକ ସୈନ୍ୟ।।
ଗଧ ବାହାନେ ପଞ୍ଚାଶ ଖର୍ବ ଦୈତ୍ୟ ଚଳି।
ବଳିଆ ବାହାନେ ତେର ଖର୍ବ ମହାବଳୀ।।
ବଳଦ ବାହାନେ ଗଲେ ଅଶୀ ପଦ୍ମ ସେନା
ଗଜବାହାନରେ ଗଲେ ଅଶୀ ପଦ୍ମ ଜେନା।।
ଏହି ପ୍ରସଙ୍ଗରୁ ପ୍ରମାଣିତ ହୁଏ ଯେ, ଯାଦବ ସଂସ୍କୃତି ଏକ ପ୍ରାଚୀନ ତଥା ସମୃଦ୍ଧ ସଂସ୍କୃତି। ସେହି ସମୟରେ କଳାହାଣ୍ଡି ସମେତ ପଶ୍ଚିମ ଓଡିଶାରେ ଘୁମୁରା, ବନାବାଡି ସମେତ ଢ଼ୋଲ୍, ନିସାନ୍, ତସା ଆଦି ବିବିଧ ବାଦ୍ୟବୃନ୍ଦ ମଧ୍ୟ ଥିଲା।
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ଓଡ଼ିଆ ବାର୍ତ୍ତା





