ଆମରଣ ଅନଶନରେ ବସିଲେ ଚାଷୀକୂଳ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରାଠାରେ ଚାଲିଥିବା ଚାଷୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି। ମଙ୍ଗଳବାର ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ପ୍ରଶାସନକୁ ଚେତାବନୀ ଦେଇଥିବା ବେଳେ, ବୁଧବାରଠାରୁ କୋକସରାଠାରେ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଚାଷୀମାନେ ସାମୂହିକ ‘ଭୁକ ହରତାଳ’ (ଅନଶନ) ଆରମ୍ଭ କରିଛନ୍ତି। ସଂଘର ସଭାପତି ପୁରୁଷୋତ୍ତମ ଦାସ ଗୁପ୍ତା ଓ ଉପସଭାପତି ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଏହି ଆନ୍ଦୋଳନ। ଭୁକ୍ ହରତାଳରେ ରାଜୀବ କୁମାର ଅଗ୍ରୱାଲ, ମାନସ ରଞ୍ଜନ ବାଗ, ବେନୁପାଣି ଦୁର୍ଗା, ଧବଳେଶ୍ୱର ନାଗ, ଦୁର୍ଗା ପ୍ରସାଦ ନାଏକ, ସହଦେବ ଦାସ, ଇନ୍ଦ୍ରମଣି ସାହୁ, ମୁକେଶ ଲହଜଳ, ସୁନୀଲ ସାହୁ ପ୍ରମୁଖ ବସିଛନ୍ତି। ଏମାନେ ସମସ୍ତେ ସାକାଳ ୮ ଘଣ୍ଟା ସମୟ ରୁ ଭୁକ୍ ହରତାଳରେ ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ବସିଥିବା ବେଳେ ସରକାର ଯଦି ଚାଷୀ ମାନଙ୍କ ଦାବୀ ନଶୁଣନ୍ତି ଏହି ଅନଶନ ଆଗକୁ ଆହୁରି ବଢିବ ବୋଲି କହିଛନ୍ତି। ଏହା ସହ ଆମପାଣି ଠାରେ ରାଜରାସ୍ତା ଅବରୋଧ କରି ଆନ୍ଦୋଳନ କରିବା ଏବଂ ଦରକାର ପଡ଼ିଲେ ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି। ପ୍ରଶାସନ ପକ୍ଷରୁ କୌଣସି ବରିଷ୍ଠ ଅଧିକାରୀ ଆମରଣ ଅନଶନ ସ୍ଥାନରେ ପହଞ୍ଚି ନଥିବା ବେଳେ, ମେଡିକାଲ ଟିମ୍ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି ଫେରିଛନ୍ତି। ଅନଶନରେ ବସିଥିବା ଚାଷୀ ମାନଙ୍କ ମନୋବଳ ବଢ଼ାଇବା ପାଇଁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ, ରାଜେନ୍ଦ୍ର ନାଏକ, ପ୍ରଶାନ୍ତ ତିୱାରୀ ପ୍ରମୁଖ ସେମାନଙ୍କ ସହିତ ସାମିଲ ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଚଳିତ ରବି ଋତୁରେ କୋକସରା, ଜୟପାଟଣା ଏବଂ ଧର୍ମଗଡ଼ ବ୍ଲକର ପ୍ରାୟ ୧୫ ହଜାରରୁ ଅଧିକ ଚାଷୀ ୧୮୮୫୫ ହେକ୍ଟର ଜମିରେ ପ୍ରଭୂତ କଷ୍ଟ ସ୍ୱୀକାର କରି ଧାନ ଚାଷ କରିଛନ୍ତି। କିନ୍ତୁ ସରକାରୀ ସ୍ତରରେ ପି-ପାସ୍ ପୋର୍ଟାଲ୍ ରେ ମେଗା ଉଠାଜଳସେଚନ ବିକଳ୍ପ ନଆସିବା ଏବଂ ପଞ୍ଜୀକରଣ ପ୍ରକ୍ରିୟାରେ ଅବ୍ୟବସ୍ଥା ଯୋଗୁଁ ଏହି ସମସ୍ତ ଚାଷୀଙ୍କ ଧାନ ବିକ୍ରି ଏବେ ସମ୍ପୂର୍ଣ୍ଣ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଫସଲ ଅମଳ ସମୟ ପାଖେଇ ଆସୁଥିଲେ ହେଁ ସରକାର ଧାନ କିଣିବା ପାଇଁ ସୁବ୍ୟବସ୍ଥା ନକରିବା ଚାଷୀକୂଳକୁ ଗଭୀର ଚିନ୍ତାରେ ପକାଇଛି। ଏନେଇ ବିଭିନ୍ନ ସମୟରେ ଚାଷୀ ସଂଗଠନ ସ୍ଥାନୀୟ ପ୍ରଶାସନ କୁ ଦାବି କରିଥିବା ବେଳେ, କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ନେତୃତ୍ବରେ ଚାଷୀ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ ଓ ବିଭାଗୀୟ ମୁଖ୍ୟ ସଚୀବ ଙ୍କୁ ମଧ୍ୟ ଦାବି କରିଛନ୍ତି, ଏହା ବାଦ୍ ଲାଞ୍ଜିଗଡ଼ ବିଧାୟକ ମଧ୍ୟ ବିଭିନ୍ନ ସମୟରେ ଏହି ସମସ୍ୟା କୁ ନେଇ ଦାବି କରି ଆସୁଛନ୍ତି। ତଥାପି ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସାକାରତ୍ମକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏହାକୁ ନେଇ ଗତ ୮ ତାରିଖରେ କୋକସରାଠାରେ ଜାତୀୟ ରାଜପଥ ଅବରୋଧ କରି କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ହଜାର ହଜାର ଚାଷୀ ଆନ୍ଦୋଳନ କରିଥିଲେ। ଏହା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଦିର୍ଘ ୧୨ ଦିନ ଧରି ଚାଷୀ ମାନେ ଗଣଧାରଣାରେ ବସିଥିଲେ। ଶେଷରେ ଅସନ୍ତୋଷ ଚାଷୀମାନେ ମଙ୍ଗଳବାର ଇନ୍ଦ୍ରାବତୀ ଉଠା ଜଳସେଚନ ଚାଷୀ ସଂଗଠନ ଏବଂ ସ୍ଥାନୀୟ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏବଂ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ପରେ ମଧ୍ୟ କୌଣସି ସ୍ପଷ୍ଟ ସକାରାତ୍ମକ ପ୍ରତିଶ୍ରୁତି ନମିଳିବାରୁ, କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ଚାଷୀମାନେ ମେ ୨୦ ଠାରୁ ୨୬ ନମ୍ବର ଜାତୀୟ ରାଜପଥ କୋକସରାଠାରେ ଅନଶନରେ ବସିଛନ୍ତି। ଚାଷୀ ନେତାମାନଙ୍କ କହିବା କଥା, “ଇନ୍ଦ୍ରାବତୀ ପ୍ରକଳ୍ପରୁ ପାଣି ନେଇ ଚାଷୀ କଷ୍ଟ କରି ଧାନ ଫଳାଇଛି, ହେଲେ ଏବେ ପି-ପାସ୍ ପୋର୍ଟାଲ୍ ମେଗା ଲିଫ୍ଟ ବିକଳ୍ପ ନଥିବା ଦେଖାଇ ଚାଷୀଙ୍କୁ ମଣ୍ଡିରୁ ଦୂରେଇ ରଖିବାକୁ ଚକ୍ରାନ୍ତ କରାଯାଉଛି। ୧୫ ହଜାର ଚାଷୀଙ୍କ ଭବିଷ୍ୟତକୁ ନେଇ ଆମେ ପ୍ରଶାସନକୁ ଖେଳ ଖେଳିବାକୁ ଦେବୁ ନାହିଁ ବୋଲି ସେମାନେ କହିଛନ୍ତି। ଏହି ସାମୂହିକ ଭୁକ ହରତାଳ ଯୋଗୁଁ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ପ୍ରବଳ ଜନଜାଗରଣ ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ କୌଣସି ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିନଥିବା ବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଅନଶନ ପ୍ରତ୍ୟାହାର ହେବ ନାହିଁ ବୋଲି ଚାଷୀ ସଂଗଠନ ଜିଦ୍‌ରେ ଅଟଳ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.