ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସତର୍କତା ଓ ଯାତ୍ରୀ ସେବାର ଏକ ପ୍ରଶଂସନୀୟ ଉଦାହରଣ ସୃଷ୍ଟି କରି ରେଳ ସୁରକ୍ଷା ବଳ (ଆରପିଏଫ), ବାଲେଶ୍ୱର ‘ଅପରେସନ ଅମାନତ’ ଅଧୀନରେ ଜଣେ ଯାତ୍ରୀଙ୍କ ହଜିଯାଇଥିବା ମୋବାଇଲ ଫୋନ ଉଦ୍ଧାର କରି ତାହାକୁ ପ୍ରକୃତ ମାଲିକଙ୍କୁ ଫେରସ୍ତ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୦ ତାରିଖରେ ଟ୍ରେନ୍ ନଂ ୧୮୪୦୧ ଅପ୍ର ଡ୍ୟୁଟି ସମାପ୍ତ କରିବା ପରେ ଆରପିଏଫ କର୍ମଚାରୀମାନେ ବାଲେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ନଂ ୨ର ଭଦ୍ରକ ପାର୍ଶ୍ୱରେ ଥିବା ବେସ୍ କିଚେନ ନିକଟରେ ଏକ ବେଞ୍ଚ ଉପରେ ଚାର୍ଜିଂ ଅବସ୍ଥାରେ ପଡ଼ିଥିବା ଏକ ଏମଆଇ ଏ୧ ମୋବାଇଲ ଫୋନ ଦେଖିଥିଲେ। ବହୁ ଖୋଜାଖୋଜି ଓ ପଚରାଉଚରା ସତ୍ତ୍ୱେ ତୁରନ୍ତ କୌଣସି ଦାବିଦାର ମିଳିନଥିବାରୁ ମୋବାଇଲଟିକୁ ସୁରକ୍ଷିତ ଭାବେ ଆରପିଏଫ ପୋଷ୍ଟ, ବାଲେଶ୍ୱରରେ ରଖାଯାଇଥିଲା। ପରେ ଉକ୍ତ ମୋବାଇଲକୁ ଏକ ଫୋନ କଲ୍ ଆସିଥିଲା, ଯେଉଁଥିରେ ଜଣେ ମହିଳା ନିଜକୁ ମୋବାଇଲର ମାଲିକାଣୀ ବୋଲି ପରିଚୟ ଦେଇଥିଲେ। ସେ ଆରପିଏଫକୁ ସୂଚନା ଦେଇଥିଲେ ଯେ, ଟ୍ରେନ୍ ନଂ ୧୮୪୦୧ ପୁରୀ ଇଣ୍ଟରସିଟିରେ ତଡ଼ବଡ଼ିରେ ଚଢ଼ିବା ସମୟରେ ସେ ମୋବାଇଲଟିକୁ ଚାର୍ଜିଂରେ ଲଗାଇ ଷ୍ଟେସନରେ ଛାଡ଼ି ଯାଇଥିଲେ।ପରବର୍ତ୍ତୀ ସମୟରେ ମହିଳାଙ୍କ ଜଣେ ସମ୍ପର୍କୀୟ ଆରପିଏଫ ପୋଷ୍ଟ, ବାଲେଶ୍ୱରରେ ପହଞ୍ଚି ଆବଶ୍ୟକ ପରିଚୟ ଓ ଯାଞ୍ଚ ପ୍ରକ୍ରିୟା ସମ୍ପନ୍ନ କରିବା ପରେ ପ୍ରାୟ ୧୭ ହଜାର ଟଙ୍କା ମୂଲ୍ୟର ମୋବାଇଲ ଫୋନଟି ତାଙ୍କୁ ହସ୍ତାନ୍ତର କରାଯାଇଥିଲା। ଯାତ୍ରୀଙ୍କ ପରିବାର ଆରପିଏଫ କର୍ମଚାରୀଙ୍କ ତତ୍ପରତା, ସଚ୍ଚୋଟତା ଓ ହଜିଯାଇଥିବା ସାମଗ୍ରୀକୁ ସୁରକ୍ଷିତ ଭାବେ ଫେରାଇବାରେ କରାଯାଇଥିବା ପ୍ରୟାସ ପାଇଁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଏହି ଘଟଣା ପୁଣିଥରେ ‘ଅପରେସନ ଅମାନତ’ ଅଧୀନରେ ଯାତ୍ରୀ ସହାୟତା ଓ ସେମାନଙ୍କ ସାମଗ୍ରୀର ସୁରକ୍ଷା ପ୍ରତି ଆରପିଏଫର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି।





